ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ

50

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ନେଇ ସରକାର ପୂରା ତୟାର । ଖୁବ୍ଶୀଘ୍ର ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନିର୍ବାଚନ କମିଶନକୁ ଅବଗତ କରାଇବେ । କରୋନା ମହାମାରୀ ପାଇଁ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ଯଥା ସମୟରେ ହେବ । କେବଳ ସେତିକି ନୁହେଁ ପୌର ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଭୁବନେଶ୍ୱରଠାରୁ ଦିଲ୍ଲୀ ଯାଏ ସବୁଠି କସରତ୍ ଆରମ୍ଭ ହୋଇଗଲାଣି । ଦିଲ୍ଲୀରେ ଓଡ଼ିଶା ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଭୁବନେଶ୍ୱରରେ ବିଜେଡି ମଧ୍ୟ ସଜବାଜ ଆରମ୍ଭ କରିଦେଇଛି । ଭୁବନେଶ୍ୱରରେ ବିଜେଡି ମିଶ୍ରଣ ପର୍ବ ଓ ମହିଳା ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏବେ ଫୋକସ୍ ରେ ମହିଳା ଭୋଟର । ଘରକୁ ଘର ଯାଇ ମହିଳା ସଶକ୍ତିକରଣର ବାର୍ତ୍ତା ଦେବେ ବିଜେଡି ମହିଳା କର୍ମୀ । ଏଥର ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତେଇବାକୁ ଲକ୍ଷ୍ୟ ରଖିଛି ବୋଲି ଦଳ କହିଛି ।

ସେହିପରି ଦିଲ୍ଲୀରେ ଓଡ଼ିଶା ବିଜେପିର ରଣନୀତି ଆରମ୍ଭ ହୋଇଛି । ସୋମବାର ଦିଲ୍ଲୀରେ ବିଜେପି ନେତା ଏକାଠି ହୋଇ ରଣକୌଶଳ ଆରମ୍ଭ କରିଦେଇଛନ୍ତି । ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସହ ଦଳୀୟ ସଂଗଠନ ଉପରେ ଆଲୋଚନା ହୋଇଛି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ରାଜ୍ୟ ପ୍ରଭାରୀଙ୍କ ସହ ଦଳର ତୁଙ୍ଗ ନେତାମାନେ ସାଙ୍ଗଠନିକ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ବିଜେଡି ଓ ବିଜେପି ଏଥିନେଇ ଜୋରଦାର ଅଙ୍କ କଷୁଥିବାବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ପଞ୍ଚାୟତ କମିଟି ଗଠନ କରିବାକୁ ଜିଲ୍ଲା ସଭାପତିମାନଙ୍କୁ ଦାୟିତ୍ୱ ଦେଇଛି ଦଳ ।

Comments are closed.