ଡୁଆଝର ଢ଼ାବା ମାଲିକାଣି ହତ୍ୟା ଘଟଣା, ୪ ଅଭିଯୁକ୍ତ ଗିରଫ

71

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଢ଼ାବା ମାଲିକାଣି ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ।

ଆଜି ଖଡ଼ିଆଳ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦେଇଥିବା ସୂଚନା ଅନୁଯାୟୀ, ଗତ ତା ୩୧/୦୭/୨୧ରିଖ ରାତ୍ରୀ ୮ଟା ୩୦ ରେ ଦୁଇଜଣ ବ୍ୟକ୍ତି ଖାଇବାକୁ ମାଗିବା ବାହାନାରେ ଢ଼ାବା ମାଲିକାଣିକୁ ଦେଶି ପିସ୍ତଲରୁ ଗୁଳି ଚଳାଇ ହତ୍ୟା କରିଥିଲେ ।ପାରିବାରିକ କଳହକୁ ନେଇ ଅସନ୍ତୁଷ୍ଟ ଥିବା ମୃତକଙ୍କ ଜ୍ୱାଇଁ ଏହି ଘଟଣାର ମୁଖ୍ୟ ସୂତ୍ରଧର ଥିଲେ । ସେ ନିଜ ବଡଭାଇ ଓ ଜଣେ ବନ୍ଧୁଙ୍କ ସହ ମିଶି ହତ୍ୟା ଯୋଜନା କରିଥିଲେ । ଏଥିପାଇଁ ବୁର୍ଲାର ଦୁଇ ଜଣ ସୁପାରୀ କିଲରଙ୍କ ସହ ଯୋଗାଯୋଗ କରି ୬ ଲକ୍ଷ ଟଙ୍କାରେ ଚୁକ୍ତି କରି ବଇନା ୨ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ପ୍ରଦାନ କରିଥିଲେ । ହତ୍ୟା ପରେ ବାକି ଚାରି ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହତ୍ୟା ଘଟଣାର ତଦନ୍ତ ପାଇଁ ଖଡ଼ିଆଳ ଏସଡିପିଓ ସନ୍ତକ ଜେନାଙ୍କ ନେତୃତ୍ୱରେ ଗୋଟିଏ ଦଳ ଓ ଆଇଆଇସି କୈଳାସ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଆଉ ଗୋଟିଏ ଦଳ ଗଠନ କରି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୁଲିସ । ଅଭିଯୁକ୍ତଙ୍କ ଠାରୁ ନଗଦ ନବେ ହଜାର ଟଙ୍କା, ସିମ୍ ସହ ଚାରିଟି ମୋବାଇଲ ଫୋନ, ଦୁଇଗୋଟି ବାଇକ୍ (କଳା ରଙ୍ଗର ବାଜାଜ ଡୋମିନାର ଓ କଳା ଓ ସିମେଣ୍ଟ ରଙ୍ଗର ହିରୋ ଗ୍ଲେମର), କଳା ରଙ୍ଗର ଗୋଟିଏ ରେନକୋଟ, ଗୋଟିଏ କଳା ହେଲମେଟ ଜବତ କରାଯାଇଛି । କେଶ ନଂ ୨୭୧/୨୧ରେ ଆଇପିସି ଦଫା ୩୦୨,୫୦୭,୩୪ ଓ ଅସ୍ତ୍ରଶସ୍ତ୍ର ଆଇନ ୨୫,୨୭ ଅନୁଯାୟୀ କେଶ ରୁଜ୍ଜୁ କରାଯାଇଥିବା ସୂଚନା ଦିଆଯାଇଛି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନା, ଥାନାଧିକାରୀ କୈଳାସଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ ।

Comments are closed.