ଧୋଇଗଲା ମୌସୁମୀ ଅଧିବେଶନ : ଉଭୟ ସଦନ ସାଇନ୍-ଏ-ଡାଏ

59

ନୂଆଦିଲ୍ଲୀ : ଦୁଇଦନି ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ । ଉଭୟ ଲୋକସଭା ଓ ରାଜ୍ୟସଭାକୁ ସାଇନ୍-ଏଡାଏ ଘୋଷଣା କରାଯାଇଛି । ଅଗଷ୍ଟ ୧୩ ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନକୁ ଆଜି ଅନିର୍ଦ୍ଦିଷ୍ଟକାଳ ଯାଏ ସ୍ଥଗିତ ରଖାଯାଇଛି । ଆଜି ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ ବାଚସ୍ପତି ଓମ୍ ବିର୍ଲା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନିତ୍ୟାନନ୍ଦ ମିଶ୍ର, ଗୋପାଳ ରାଓ ମାୟେକର୍ ଓ ସୁଦର୍ଶନ ରାୟ ଚୌଧୁରୀଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶ୍ରୀ ବିର୍ଲା ଅଧିବେଶନ ସମୟରେ ଯାହା ସବୁ କାର୍ଯ୍ୟ ସମ୍ପାଦନ ହୋଇଛି ତାହାର ଏକ ବିବରଣୀ ପ୍ରଦାନ କରିଥିଲେ । ପେଗାସସ୍, ଚାଷୀ ଆନ୍ଦୋଳନ ଓ ଦରବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସଂସଦର ଉଭୟ ସଦନରେ ହୋହାଲ୍ଲା କରିବା ପରେ ଶେଷରେ ଲୋକସଭା ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ମୌସୁମୀ ଅଧିବେଶନ ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ତାରିଖର ଦୁଇଦିନ ପୂର୍ବରୁ ଲୋକସଭାକୁ ସ୍ଥଗିତ କରାଯାଇଛି । ଗତକାଲି ଗୃହରେ ସମ୍ବିଧାନର ୧୨୭ତମ ସଂଶୋଧନ ବିଲ୍-୨୦୨୧ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା । ସେହିପରି ରାଜ୍ୟସଭାକୁ ମଧ୍ୟ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ।

ସୂଚନାଯୋଗ୍ୟ ଯେ,ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ଗତକାଲିର କାର୍ଯ୍ୟକୁ ନେଇ ଅଧ୍ୟକ୍ଷ କ୍ଷୋଭପ୍ରକାଶ କରିଥିଲେ । ସେ କହିଥିଲେ କିଛି ସଦସ୍ୟ ଟେବୁଲ୍ ଉପରେ ଛିଡ଼ା ହେବା ଦ୍ୱାରା ସଭା ଗୃହର ପବିତ୍ରତା କ୍ଷୁଣ୍ଣ ହୋଇଛି । ଶ୍ରୀ ନାଇଡୁ ଏହି ଘଟଣାର ନିନ୍ଦା କରିଥିଲେ । ଏହି ବିଷୟ କହିବା ସମୟରେ ସେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ଅଧ୍ୟକ୍ଷ ମନ୍ତବ୍ୟ ଦେଉଥିବା ବେଳେ ଟିଏମ୍ସି ସାଂସଦ ଡେରେକ୍ ଓବ୍ରିଏନ୍ ତରବରିଆ ଭାବେ ବିଲ୍ ଉପସ୍ଥାପନ କରାଯିବା ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲେ । ପରେ ଟିଏମ୍ସି, କଂଗ୍ରେସ,ଆମ୍ ଆଦ୍ମୀ ପାର୍ଟି ଓ ଅନ୍ୟ ବିରୋଧୀଦଳ ସଦସ୍ୟମାନେ ସ୍ଲୋଗାନ ଦେବାରୁ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଏହାପରେ ସଭାଗୃହର ପରିସ୍ଥିତିରେ କୌଣସି ଉନ୍ନତି ନ ଘଟିବାରୁ ରାଜ୍ୟସଭାକୁ ମଧ୍ୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଶେଷରେ ରାଜ୍ୟସଭାକୁ ମଧ୍ୟ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା । ଚଳିତ ଅଧିବେଶନରେ ଉଭୟ ସଦନରେ ବହୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଥମେ ଟିଏମ୍ସି ସାଂସଦ ସାନ୍ତନୁ ସେନ୍ ବାଚସ୍ପତିଙ୍କୁ ଅଶାଳୀନ ବ୍ୟବହାର କରି ଗୃହରୁ ନିଲମ୍ବନ ହୋଇଥିଲେ । ଏତିକିରେ କାର୍ଯ୍ୟ ଶେଷ ହୋଇନଥିଲା । ଏହାପରେ ପେଗାସସ୍ ମାମଲାରେ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରି ୬ଜଣ ଟିଏମ୍ସି ସାଂସଦ ଗୃହରେ ହୋହାଲ୍ଲା କରିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିଲା ।

Comments are closed.