ତୃତୀୟ ଲହରର ମୁକାବିଲା ପାଇଁ ସରକାର ପ୍ରସ୍ତୁତ , ଶିଶୁଙ୍କ ପାଇଁ ୩୦୦୦ ବେଡ୍ ର ବ୍ୟବସ୍ଥା

0 74

ଭୁବନେଶ୍ୱର : କରୋନାର ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ତୃତୀୟ ଲହରକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ରିପୋର୍ଟ ଆସୁଛି । ସବୁ ରିପୋର୍ଟକୁ ତର୍ଜମା କରାଯାଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏହାସହ ଶିଶୁ ମାନଙ୍କ ପାଇଁ ବେଡ ଓ ଔଷଧ ମହଜୁଦ ରଖିବା ନେଇ ପ୍ରକ୍ରିୟା ଜାରି ରହିଛି । ଦୈନିକ ୧୦ରୁ ୧୫ ହଜାର ସଂକ୍ରମଣ ହେଲେ ମଧ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଏହାସହ ୧୦ ହଜାର ପଜିଟିଭ ଆସିଲେ ଶିଶୁଙ୍କ ପାଇଁ ୬୦୦ ବେଡ଼ ଆବଶ୍ୟକ,୧୫ ହଜାର ଆସିଲେ ୯୦୦ ବେଡ଼ ଆବଶ୍ୟକ ପଡିବ ଆମେ କିନ୍ତୁ ୩୦୦୦ ବେଡ଼ ପୂର୍ବରୁ ପ୍ରସ୍ତୁତ କରି ରଖିଛୁ ।

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ । କରୋନାର ତୃତୀୟ ଲହର ଶୀର୍ଷରେ ଛୁଇଁଲା ବେଳକୁ ଓଡିଶାରେ ଦୈନିକ ସଂକ୍ରମଣ ୧୯ ହଜାର ୨୭୮ ଛୁଇଁପାରେ ବୋଲି କେନ୍ଦ୍ର ସତର୍କ କରାଇ ଦେଇଛି । ସେହିପରି ଦୈନିକ ହାରାହାରି ୧୦ ହଜାର ୨୧୭ ମାମଲା ଆସିପାରେ ବୋଲି ରିପୋର୍ଟରେ କୁହାଯାଇଛି । କେନ୍ଦ୍ର ସରକାରଙ୍କ କୋଭିଡ ଏମର୍ଜେନ୍ସି ରେସପନ୍ସ ଆଣ୍ଡ ହେଲ୍ଥ ସିଷ୍ଟମ ପ୍ରିପେୟାର୍ଡନେସ- ଇସିପିଆର ଫେଜ- ଟୁ ଏହି ସମ୍ଭାବ୍ୟ ଚିତ୍ର ନେଇ ଆକଳନ କରିଛି ।ଏପରିକି ତୃତୀୟ ଲହରରେ ୭୫ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୭ଲକ୍ଷ ୬୬ ହଜାର ୨୭୫ କରୋନା ମାମଲା ଆସିବ ବୋଲି ଆକଳନ କରାଯାଇଛି ।

କେନ୍ଦ୍ରର ଏଭଳି ସତର୍କବାଣୀ ପରେ ପ୍ରସ୍ତୁତ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମାହାପାତ୍ର । ଏହି ସମୟରେ ୨୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ହେବ । ୩ ପ୍ରତିଶତଙ୍କ ପାଇଁ ଆଇସିୟୁ ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଅର୍ଥାତ ୨୨ ହଜାର ୯୮୮ ଆଇସିୟୁ ବେଡ୍ ଏବଂ ୫ ପ୍ରତିଶତ ଅର୍ଥାତ ୩୮ ହଜାର ୩୧୪ ଜେନେରାଲ ବେଡ ଆବଶ୍ୟକ ହୋଇପାରେ ବୋଲି କୁହାଯାଇଛି । ସେହିଭଳି ତୃତୀୟ ଲହରରେ ୯୧୯୫୩ ଜଣ ଶିଶୁ ସଂକ୍ରମିତ ହେବାର ସମ୍ଭାବନା ରହିଛି । ସଂକ୍ରମିତ ଶିଶୁଙ୍କ ମଧ୍ୟରୁ ୫ରୁ ୧୨ ପ୍ରତିଶତ ଶିଶୁ ଗୁରୁତର ହୋଇପାରନ୍ତି ।

Leave A Reply

Your email address will not be published.