ଚରଣଜିତ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ,ଆଜି ନେବେ ଶପଥ

62

ଚଣ୍ଡିଗଡ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଅନେକ ଛକାପଞ୍ଝା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ଘୋଷଣା କରାଯାଇଛି । କଂଗ୍ରେସ ନେତା ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଏହାର ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ରାୱତ । ଚଣ୍ଡିଗଡ଼ରେ ହୋଇଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ଚନ୍ନିଙ୍କ ନାଁ ଉପରେ ମୋହର ଲଗାଯାଇଛି । ଏହା ପୂର୍ବରୁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ସୁପାରିସ୍ ହୋଇଥିବା ଜଣାପଡ଼ିଥିଲା । କିନ୍ତୁ ଏହାର କେଇ ଘଣ୍ଟା ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ସମସ୍ତଙ୍କୁ ଚକିତ କରିଦେଇଛି । କିଛି ସମୟ ତଳେ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେଣୁଗୋପାଳ ସୂଚନା ଦେଇଥିଲେ ଯେ ପର୍ଯ୍ୟବେକ୍ଷକଙ୍କ ବିଧାୟକଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଚରଣଜିତ ସିଂହ ଚନ୍ନି ରାଜ୍ୟର ଚମକୌର ସାହିସ ଆସନରୁ କଂଗ୍ରେସର ବିଧାୟକ ଅଛନ୍ତି । ସେ ଦଳିତ ସମ୍ପ୍ରଦାୟରୁ ଆସିଛନ୍ତି । ଚରଣଜିତ୍ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ୍ ଅମରିନ୍ଦର ସିଂହଙ୍କର ଘୋର ବିରୋଧୀ
ବୋଲି କୁହାଯାଉଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିବାର କୁହାଯାଉଥିବା ସୁଖଜିନ୍ଦର ସିଂହ ରନ୍ଧାୱା ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି । ଏହାକୁ ମୁଁ ସ୍ୱାଗତ କରୁଛି । ଚନ୍ନି ମୋ ସାନ ଭାଇ ଭଳି । ମୁଁ ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ଆଦୌ ନିରାଶ ନୁହେଁ ବୋଲି ସୁଖଜିନ୍ଦର ସିଂହ କହିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନାଁ ଉପରେ ଚର୍ଚ୍ଚା ·ଲିଥିଲା । ସର୍ବ୍ରଥମେ ରାହୁଲ୍ ଗାନ୍ଧିଙ୍କ ଅତି ଘନିଷ୍ଠ ଓ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ୍ ଜାଖରଙ୍କ ନାଁ ସାମ୍ନାକୁ ଆସିଥିଲା । ଏହାପରେ କଂଗ୍ରେସ ହାଇକମାଣ୍ଡ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବିକା ସୋନୀଙ୍କୁ ଆଉ କିଛି ଦିନ ପାଇଁ ଦାୟିତ୍ୱ ନେବାକୁ କହିଥିଲା । ହେଲେ ସେ ସିଧାସଳଖ ମନା କରି ଦେଇଥିଲେ । ସୋନି କହିଥିଲେ ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଜଣେ ଶିଖ ହେବା ଦରକାର ଏବଂ ଏହି କାରଣରୁ ସେ ଏହି ପଦବୀ ପାଇଁ ମନା କରିଦେଲେ । ସୂଚନାଯୋଗ୍ୟ, ଶନିବାର କ୍ୟାପଟେନ୍ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳୀୟ ଅସନ୍ତୋଷ କାରଣରୁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Comments are closed.