ପିପିଲି ଫାଇଟ୍ , ସରିଲା ପ୍ରଚାର: ୩କୁ ଅପେକ୍ଷା

0 70

ପୁରୀ : ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଆନୁଷ୍ଠାନିକ ଭାବେ ସୋମବାର ଅପରାହ୍ଣରେ ଶେଷ ହୋଇଛି । ଗତ ଅକ୍ଟୋବର ୨୦ ତାରିଖରେ କରୋନା ଯୋଗୁଁ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା । କାର୍ଯ୍ୟସୂଚୀ ଅନୁସାରେ,ଚଳିତ ୩୦ ତାରିଖରେ ପିପିଲିରେ ଭୋଟ ଗ୍ରହଣ କରାଯିବ ଓ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି କରାଯାଇ ଫଳ ପ୍ରକାଶ ପାଇବ । ପିପିଲିରେ ବିଗତ କିଛି ଦିନ ଧରି ତିନିଟି ଯାକ ଦଳ ଯଥା ବିଜେଡ଼ି,ବିଜେପି ଓ କଂଗ୍ରେସ ପକ୍ଷରୁ ଘମାଘୋଟ ପ୍ରଚାର ଚାଲି ଆସିଥିଲା । କୋଭିଡ କଟକଣା ଭିତରେ ବି ଦଳୀୟ ପ୍ରାର୍ଥୀ ଏବଂ କର୍ମୀମାନେ ରାତି ଓ ଦିନକୁ ଏକାକାର କରିଦେଇଥିଲେ । ଏଥିରୁ ପିପିଲି ଉପନିର୍ବାଚନର ଗୁରୁତ୍ୱକୂ ବୁଝିହେବ । ତିନି ଦଳର ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବା ବେଳେ ଲୋକେ କାହାକୁ ପ୍ରକୃତରେ ପସନ୍ଦ କରିଛନ୍ତି ତାହା ୩ ତାରିଖରେ ହିଁ ଜଣାପଡ଼ିବ ।

ଏଥି ପୂର୍ବରୁ ପିପିଲିରେ ଦୁଇ ଦୁଇଥର ନିର୍ବାଚନ ଘୁଞ୍ଚା ଯାଇଥିଲା । ପ୍ରଥମେ ଏପ୍ରିଲ ୧୭ରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯିବା ପରେ ଉପନିର୍ବାଚନ ମେ ୪ରେ ହେବ ବୋଲି ଘୋଷଣା କରିଥିଲେ ନିର୍ବାଚନ କମିଶନ । କିନ୍ତୁ କରୋନା ମାମଲା ବଢ଼ୁଥିବା କାରଣରୁ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିବାରୁ ନିର୍ବାଚନ ତାରିଖକୁ ପୁଣି ଘୁଞ୍ଚାଯାଇଥିଲା । ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ସ୍ୱର୍ଗତ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଆଶ୍ରିତ ପଟ୍ଟନାୟକ ୨୦୧୯ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମହାରଥୀଙ୍କ ବିରୁଦ୍ଧରେ ଲଢ଼ିଥିଲେ । କଂଗ୍ରେସର ବିଶ୍ୱକେଶନ ମହାପାତ୍ରଙ୍କ ବ୍ୟତୀତ ଆଉ ୭ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀ ହେଉଛି ଶାସକ ବିଜେଡିର ଦୁର୍ଗ । ବିଜେଡ଼ି ଓ ମହାରଥୀ ପରିବାରର ପତିଆରା ଏଠି ଖୁବ୍ ଅଧିକ । ଅତୀତରେ ଏହି ଆସନରୁ ବିଜେପି କେବେ ବି ଜିତି ନାହିଁ । ପ୍ରଦୀପ ମହାରଥୀ ଏହି ଆସନରୁ ୭ ଥର ଜିତି ବିଧାନସଭାକୁ ଯାଇଥିଲେ ଓ ମନ୍ତ୍ରୀ ମଧ୍ୟ ହୋଇଥିଲେ ।

୨୦୨୧ ପିପିଲି ଉପନିର୍ବାଚନ ସବୁ ଯାକ ଦଳ ପାଇଁ ଏଥି ସକାଶେ ଗୁରୁତ୍ୱପୂର୍ଣ୍ଣ ଯେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ନିର୍ବାଚନ । ବିଜେଡ଼ିର ରୁଦ୍ର ମହାରଥୀ ଯଦି ଏଠାରୁ ବିଜୟ ଲାଭ କରନ୍ତି ଧରି ନିଆଯିବ ଯେ ଯାବତୀୟ ଦୁର୍ନୀତି ଅଭିଯୋଗ ସତ୍ତେ୍ୱ• ବିଜେଡ଼ିର ଲୋକପ୍ରିୟତା ଅତୁଟ ରହିଛି । ଯଦି ବିଜେପିର ପ୍ରାର୍ଥୀ ଜିତନ୍ତି ଏହା ବୁଝାଯିବ ଯେ ଉପକୂଳ ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବୃଦ୍ଧି ପାଇଛି । ବିଜେପି ପାଇଁ ଏହି ନିର୍ବାଚନ ଆଗକୁ ଭଲ ସମୟ ଆଣିବ କି ନା ତାହା ବି ଉପନିର୍ବାଚନରୁ ଜଣାପଡ଼ିବ । ସତ କହିଲେ, ପିପିଲି ବିଧାନସଭା ଉପନିର୍ବାଚନରେ ଲଢ଼େଇଟି କେବଳ ବିଜେପି ଓ ବିଜେଡ଼ି ମଧ୍ୟରେ ସୀମିତ ରହିଛି । ଯଦିଓ ପୂର୍ବରୁ ଥରେ ଦୁଇଥର କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି, ଏବେ କିନ୍ତୁ ଦଳର ସେଭଳି କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ । କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ହିଁ ରହିବେ ତାର ସ୍ପଷ୍ଟ ସଂକେତ ଏବେଠାରୁ ହିଁ ମିଳିଲାଣି ।

ଆଜି ବୁଥ୍କୁ ଯିବେ ପୋଲିଂ ପାର୍ଟି :

ଆଉ ୨ ଦିନ ପରେ ପିପିଲି ଉପନିର୍ବାଚନ । ସେପ୍ଟେମ୍ବର ୩୦ ସକାଳ ୭ଟାରୁ ଆରମ୍ଭ ହେବ ମତଦାନ । ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ୍ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତିପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୋଲିଂ ପାର୍ଟିଙ୍କ ଶେଷ ପ୍ରଶିକ୍ଷଣ ଆଜି ଶେଷ ହୋଇଛି । ଦିନକ ପରେ ଅର୍ଥାତ୍ ସେପ୍ଟମ୍ବର ୨୮ରେ ୧୪ଶହ ପୋଲିଂ ପାର୍ଟି ପିପିଲି ଅଭିମୁଖେ ଯାତ୍ରା କରିବେ । ଏଥିପାଇଁ ପୁରୀ ପେଙଋକଟାସ୍ଥିତ ୱେୟାର ହାଉସଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହିଠାରୁ ପୋଲିଂ ପାର୍ଟି, ଅଫିସରମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିବାରୁ ସଂକ୍ରମଣମୁକ୍ତ ପରିବେଶ ଭିତରେ ମତଦାନ ସଂପର୍କିତ କାଗଜପତ୍ର ବଣ୍ଟନ ପାଇଁ ୧୦ଟି ବିତରଣ କେନ୍ଦ୍ର ଖୋଲାଯାଇଛି । ପିପିଲି ଉପନିର୍ବାଚନ ପାଇଁ ୩୪୮ ବୁଥ୍ ଖୋଲିଥିବା ବେଳେ ଉଭୟ ଡେଲାଙ୍ଗ ଓ ପିପିଲିର ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ପିପିଲି ଉପନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରଦୀପ କୁମାର ସାହୁ କହିଛନ୍ତି କି ପିପିଲି ଉପନିର୍ବାଚନ ପାଇଁ ୧୭୪୦ଜଣ ପୋଲିଂ ପର୍ସୋନେଲ୍ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.