ଆସନ୍ତାକାଲି ପିପିଲି ଭୋଟ୍, ପ୍ରସ୍ତୁତି ଶେଷ : ୩୪୮ରୁ ୨୦୧ ବୁଥ୍ ସମ୍ବେଦନଶୀଳ

0 64

-କୋଭିଡ୍ ଲକ୍ଷଣ ଥିଲେ ବି କରିପାରିବେ ମତଦାନ
-୩୦ରେ ସମସ୍ତ ସରକାରୀ ଅଫିସ ଛୁଟି
-ସୁରକ୍ଷା କଡ଼ାକଡ଼ି: ୨ହଜାର ପୋଲିସ ନିୟୋଜିତ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ୩୦ ତାରିଖରେ ହେବ ଭୋଟ୍ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିପାରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ମୋଟ୍ ୨୦୧ଟି ବୁଥ୍କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ଯେଉଁ ଭୋଟରଙ୍କର କୋଭିଡ୍ ଲକ୍ଷଣ ଥିବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜିଠୁ ବୁଥ୍ଗୁଡ଼ିକୁ ପୋଲିଂ ପାର୍ଟିଗୁଡ଼ିକୁ ପଠାଯାଉଛି । ୩୪୮ଟି ପୋଲିଂ ପାର୍ଟି ମଧ୍ୟରୁ ୨୦୦ଟିକୁ ସେମାନଙ୍କ ବୁଥ୍କୁ ପଠାଯାଇ ସାରିଲାଣି । ମୋଟ ୧୪୯୦ ଜଣ କର୍ମଚାରୀଙ୍କୁ ପୋଲିଂ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅତିରିକ୍ତ ୭୦୦ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି । ବୁଥ୍ ବାହାରେ ରହି କୋଭିଡ୍ ନିୟମ ଅନୁସାରେ ସବୁ ପ୍ରସ୍ତୁତି କରିବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଏହି ଉପନିର୍ବାଚନ ପାଇଁ ସୁରକ୍ଷା ଦୃଷ୍ଟିରୁ ପୋଲିସର ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨ ହଜାର ପୋଲିସ୍ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । ସେମାନଙ୍କ ଭିତରେ ବିଏସ୍ଏଫ୍ର ୩ଟି କମ୍ପାନୀ ମଧ୍ୟ ରହିଛନ୍ତି । ପୋଲିସ୍ କର୍ମଚାରୀଙ୍କ ନେତୃତ୍ୱ ଏସପି ନେଉଛନ୍ତି । ତାଙ୍କୁ ଏଥିପାଇଁ ୩ ଜଣ ଅତିରିକ୍ତ ଏସପି ଓ ୭ ଜଣ ଡିଏସପି ସହଯୋଗ କରୁଛନ୍ତି ।

ଏଥର ୨୦୧ଟି ବୁଥ୍କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ୍ ଗୁଡ଼ିକରେ ମତଦାନ ବେଳେ ଯେପରି କିଛି ଗଡ଼ବଡ଼ ନହେବ ସେଥିପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଇଛି । ଏହିଭଳି ପ୍ରତ୍ୟେକ ବୁଥ୍ରେ ଜଣେ ମାଇକ୍ରୋ ଅବଜରଭର କିମ୍ବା କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ କିମ୍ବା ୱେବକାଷ୍ଟିଂ କିମ୍ବା ଭିଡିଓ ରେକର୍ଡିଂ ମଧ୍ୟରୁ ଗୋଟିଏ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏହି ଉପନିର୍ବାଚନ ପାଇଁ ୪୨୩ଟି ଗାଡ଼ିକୁ ନିୟୋଜିତ କରାଯାଇଛି । ପୋଲିଂ ପାର୍ଟି, ପୋଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ପାଇଁ ଏହିସବୁ ଗାଡ଼ିର ବ୍ୟବସ୍ଥା କରାଯାଇଛି ।ଉପନିର୍ବାଚନରେ ସାମିଲ ସମସ୍ତ କର୍ମଚାରୀ ଡବଲ୍ ଡୋଜ୍ ନେଇଛନ୍ତି । ଭିନ୍ନକ୍ଷମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଘରୁ ଆଣି ପୁଣି ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥ୍ଗୁଡ଼ିକରେ ସେମାନଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା ରହିବ । ତା’ସହିତ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି । ମତଦାନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଭୋଟରଙ୍କୁ ହ୍ୟାଣ୍ଡଗ୍ଲୋବ୍ସ ଓ ମାସ୍କ ଦିଆଯିବାର ବ୍ୟବସ୍ଥା ହୋଇଛି ।

ସେହିଭଳି ସେମାନଙ୍କ ଶରୀରର ତାପମାତ୍ରା ବି ମପାଯିବ । କୌଣସି ଭୋଟରଙ୍କ ଶରୀରର ତାପମାତ୍ରା ସାଧାରଣରୁ ଅଧିକ ଥିଲେ ବା ସେମାନଙ୍କ ଠାରେ କୋଭିଡରେ ଅନ୍ୟ କୌଣସି ଲକ୍ଷଣ ଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ସେମାନଙ୍କୁ ଏକ ଚିରକୁଟ୍ ଦେଇ ଘରକୁ ପଠାଇ ଦିଆଯିବ । ସେମାନେ ଭୋଟ୍ ଗ୍ରହଣର ଅନ୍ତିମ ୧ ଘଣ୍ଟାରେ ଆସି ସେମାନଙ୍କ ମତସାବ୍ୟସ୍ତ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେ କହିଛନ୍ତି, ପ୍ରତ୍ୟେକ ବୁଥରେ କୋଭିଡ୍ ନୋଡାଲ୍ ଷ୍ଟାଫ୍ଙ୍କୁ ନିଯୁକ୍ତି ଦିଆଯାଇଛି । ସାଧାରଣତଃ ଆଶାକର୍ମୀ ବା ଅଙ୍ଗନୱାଡ଼ି କର୍ମୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ବୁଥ୍ଗୁଡ଼ିକରେ କୋଭିଡ୍ର ସବୁ ପ୍ରୋଟୋକଲକୁ ଅନୁସରଣ କରାଯାଉଛି ନା ନାହିଁ ତାହା ସେମାନେ ତଦାରଖ କରିବା ସହିତ ଏଥିରେ ସହଯୋଗ କରିବେ । ସୂଚନାଯୋଗ୍ୟ ଆସନ୍ତା ୩୦ ତାରିଖ ଅର୍ଥାତ ଗୁରୁବାର ଦିନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପିପିଲିରେ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ଛୁଟି ଦିଆଯାଇଛି ।

Leave A Reply

Your email address will not be published.