ମଦ ମାଂସ ପୁଜାର ବିଲୋପ ପାଇଁ ପବିତ୍ର ମହେନ୍ଦ୍ରଗିରିଠାରେ ମହେନ୍ଦ୍ରେଶ୍ୱରୀ ମନ୍ଦିରରେ ୫୧ ବନବାସୀଙ୍କ ନବରାତ୍ର ବ୍ରତ

0 69

ପାରଳାଖେମୁଣ୍ଡି : ଓଡିଶାର ହିମାଳୟ ଓ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ବନବାସୀମାନଙ୍କ ତରଫରୁ ଏକ ନିଆରା ଢଙ୍ଗରେ ନବରାତ୍ର ବ୍ରତ ପାଳନ ଚାଲିଛି । ବନବାସୀମାନଙ୍କ ମଦ ମାଂସ ପୁଜାର ବିଲୋପ ପାଇଁ ଏହି ବ୍ରତକୁ ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରାଯାଉଛି । ମହେନ୍ଦ୍ରାଆଶ୍ରମର ମୁଖ୍ୟ ସାଧୁ ଲକ୍ଷ୍ମୀବାବା କହିଛନ୍ତି ଯେ,ଏହି ଅଞ୍ଚଳର ବନବାସୀଙ୍କ ଠାରେ ପୁରୁଷ ପୁରୁଷ ଧରି ମଦ ମାଂସର ପୁଜା ରହି ଆସିଛି । ବିଶେଷ କରି ଏହି ନବରାତ୍ର ପୁଜା ପାଳନ ବେଳେ ନିଜ ନିଜର ଇଷ୍ଟଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କୁକୁଡା ଓ ଛେଳିକୁ ବଳି ଦେଇ ମାଂସ ସହ ନିଜ ଘରେ ତିଆରି ମଦକୁ ନିଜ ନିଜର ଇଷ୍ଟଦେବୀଙ୍କୁ ସମର୍ପଣ କରି ପୁଜା କରିବା ପରେ ଏହାକୁ ସମସ୍ତେ ଗ୍ରହଣ କରିଥାନ୍ତି । ମଦ୍ୟ ପାନ କରି ବନବାସୀଙ୍କ ଧନଜୀବନ ବିପର୍ଣ୍ଣ ହେବାରେ ଲାଗିଛି ।

ଅନ୍ୟ ପକ୍ଷରେ ମାଂସ ପୁଜା ନାମରେ ବଳି ପ୍ରଥା ବଢି ଚାଲିଛି । ଏହାର ବିଲୋପ ସହ ବନବାସୀଙ୍କୁ ସଚେତନ କରି ମଦ ମାଂସରୁ ନିବୃତ୍ତ ରଖିବା ବ୍ରତର ମୁଳ ଉଦ୍ଦେଶ୍ୟ । ବଳି ପ୍ରଥାର ସମ୍ପୁର୍ଣ୍ଣ ବିଲୋପ ପାଇଁ ଏହି ବ୍ରତ ପାଳନ କରି ବନବାସୀଙ୍କୁ ସଚେତନ କରାଯାଉଛି । ଚଳିତ ବର୍ଷ ମହେନ୍ଦ୍ରଗିରି ଶିଖରରେ ରହିଥିବା କୁନ୍ତୀ ମନ୍ଦିର ନିକଟରେ ରହିଥିବା ମହେନ୍ଦ୍ରେଶ୍ୱରୀଙ୍କ ମନ୍ଦିରରେ ଏହି ନବରାତ୍ର ବ୍ରତ ପାଳନ କରାଯାଉଛି । ଗତ ୬ ତାରିଖ ଠାରୁ ଏହି ବ୍ରତ ୫୧ଜଣ ବନବାସୀଙ୍କ ଦ୍ୱାରା ମହେନ୍ଦ୍ରାଆଶ୍ରମର ମୁଖ୍ୟ ସାଧୁ ଲକ୍ଷ୍ମୀବାବାଙ୍କ ମୁଖ୍ୟ ପୁରୋଧାରେ ଆରମ୍ଭ ହୋଇଛି । ୧୪ ତାରିଖ ଦିନ ଏହି ବ୍ରତ ସମାପନ ହେବ । ଜଗତର କଲ୍ୟାଣ ସହ ମଦ ମାଂସ ପୁଜାର ବିଲୋପ ପାଇଁ ଏହି ୫୧ଜଣ ବନବାସୀ ଅତ୍ୟନ୍ତ ନିଷ୍ଠାର ସହ ଜପ, ତପ, ହୋମ, ଯଜ୍ଞ ଆଦି ଦ୍ୱାରା ଦିନକୁ ମାତ୍ର ମଧ୍ୟାହ୍ନ ସମୟରେ ଗୋଟିଏ ବେଳା ଅନ୍ନ ପ୍ରସାଦ ଗ୍ରହଣ କରି ବ୍ରତ ପାଲନ କରିଆସୁଛନ୍ତି । ୧୪ ତାରିଖ ବ୍ରତ ସମାପନ ପରେ ବନବାସୀଙ୍କୁ ସମ୍ପୁର୍ଣ୍ଣ ସଚେତନ ପାଇଁ ଏହି ବନବାସୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ସୁଚନା ମିଳିଛି ।

Leave A Reply

Your email address will not be published.