କେରଳରେ ପ୍ରକୃତିର କୋପ: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି

67

ତିରୁଅନନ୍ତପୁରମ୍ : କେରଳରେ ଲାଗି ରହିଥିବା ବର୍ଷା ଓ ବନ୍ୟାର ବିଭୀଷିକାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଉଦ୍ଧାରକାର୍ଯ୍ୟ ଓ ରିଲିଫ କାର୍ଯ୍ୟରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ଇଡୁକି ଏବଂ କୋଟାୟାମ ଜିଲ୍ଲାର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ବିରୋଧୀଦଳର ନେତା ଭି.ଡି ସାଥେସନ ପ୍ରଶ୍ନ କରିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଚେତାବନୀ ସତ୍ତେ୍ୱ ରାଜ୍ୟ ସରକାର କାହିଁକି ପ୍ରତିକାର ମୂଳକ ପଦକ୍ଷେପ ନେଇ ପାରିଲେ ନାହିଁ । ଏହାର ଉତ୍ତରରେ କେରଳ ରାଜସ୍ୱମନ୍ତ୍ରୀ କେ.ରାଜନ କହିଛନ୍ତି ଆମେ ରିପୋର୍ଟ ଉପରେ ନିର୍ଭର କରୁ ଏବଂ କେନ୍ଦ୍ର ଆଧାରରେ କାର୍ଯ୍ୟ କରୁଛୁ ଏବଂ ଆମେ ତାହା କରିଛୁ । ଯେତେବେଳେ ରାଜ୍ୟ କଠିନ ସମୟ ଦେଇ ଗତି କରୁଛି ସେତେବେଳେ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସଦ୍ୟତମ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ପ୍ରବଳବର୍ଷା କେରଳକୁ ପ୍ରଭାବିତ କରିବ । ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ଆଠଟିରେ ସତର୍କ ସୂଚନା ଜାରି କରାଯାଇଛି । କେରଳର ପୂର୍ବ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ସେପଟେ କେରଳ ସରକାର ଚେତାବନୀ ଦେଇଛନ୍ତି ଯେ କେତେକ ଜଳଭଣ୍ଡାରର ଫାଟକ ଉଠାଯିବ । ଯାହା ଦ୍ୱାରା ଦକ୍ଷିଣ ଏବଂ ମଧ୍ୟ କେରଳରେ ନଦୀଜଳର ଜଳସ୍ତର ବୃଦ୍ଧି ପାଇବ । ସୋମବାର ଇଡୁକି ଜଳଭଣ୍ଡାରର ଜଳସ୍ତର ୨,୩୯୬.୯୬ ଫୁଟକୁ ବୃଦ୍ଧି ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜଙ୍କ କହିବାନୁସାରେ, ପମ୍ବା ଡ୍ୟାମ ପାଇଁ ସତର୍କ ସୂଚନା ଜାରି କରାଯାଇଛି ଏବଂ ଆଜି କକ୍କି ଡ୍ୟାମ୍ ଖୋଲାଯିବ । ସତର୍କ ସୂଚନା ଜାରି କରାଯାଇଥିବାରୁ ନିମ୍ନଗାମୀ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଜି ଏକ ବୈଠକ ଡାକିଛନ୍ତି । ପ୍ରାୟ ୪,୦୦୦ ଲୋକଙ୍କୁ କେରଳ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ପଠାନାମଥୀତା, ଇଡୁକି, କୋଟାୟାମ ଏବଂ ଆଲାପୁଜା ଜିଲ୍ଲାର ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି ।

Comments are closed.