ଟିକାକରଣରେ ମାଇଲ୍ଖୁଣ୍ଟ : କୋଟିଏ ଲୋକଙ୍କୁ ଦୁଇ ଡୋଜ୍ ଟିକା

69

-ସ୍ୱାସ୍ଥ୍ୟକର୍ମୀଙ୍କ ସେବାକୁ ନବୀନଙ୍କ ପ୍ରଶଂସା

ଭୁବନେଶ୍ୱର : କରୋନା ଟିକାକରଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ରାଜ୍ୟର କୋଟିଏ ଲୋକ କୋଭିଡ୍ ଟିକାର ଉଭୟ ଡୋଜ ନେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି । ରାଜ୍ୟରେ ମହାମାରୀ ପାଇଁ ରାଜ୍ୟ ସରକାର ଶଟ୍ଡାଉନ୍ ଓ ଲକ୍ଡାଉନ୍ ଘୋଷଣା କରିଥିଲେ । ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ତେବେ କୋଭିଡ୍ ଟିକାକରଣ ପରେ ଧୀରେ ଧୀରେ ଟ୍ରାକ୍କୁ ଫେରୁଛି ଜୀବନ ଯାତ୍ରା । ଆୟତ୍ତକୁ ଆସୁଛି କରୋନା । ଆଉ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା । କୋଭିଡ୍ ଗାଇଡଲାଇନରେ ଦୋକାନ ବଜାର ଖୋଲୁଛି । ଆଉ ଲୋକମାନେ କୋଭିଡ୍ ଗାଇଡଲାଇନ୍ ମାନିକିଣାକିଣି କରୁଛନ୍ତି । ଯେଉଁଥିପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ତଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ୩୪୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୫୦ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୧୯୯ ଜଣ ଲୋକାଲ୍ କେସ୍ ଅଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ୧୦୩୫୪୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୮୨୯୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୨୨୭୮୦ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏବେ ୪୨୯୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛି । ତେବେ କୋଭିଡରୁ ଆରୋଗ୍ୟ ହୋଇ ୫୩ ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି ।

ଟିକାକରଣରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହିତ ସ୍ୱାସ୍ଥ୍ୟକର୍ମୀଙ୍କ ସେବାକୁ ପ୍ରଶଂସା କରିଛନ୍ତି । ଲୋକଙ୍କ ଜୀବନ ବଞ୍ଚାଇବାରେ ତ୍ୱରାନ୍ୱିତ ସେବାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୫୩୦ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୨୨ ହଜାର ୭୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ଜଣ ରହିଛନ୍ତି ।

୨୨ରେ ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ :

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଏଥିପାଇଁ ଜିଲ୍ଲାର ୨୭ ବ୍ଲକ୍ ରେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ଜଣାଯାଇଛି । ଗସ୍ତ ବେଳେ ପ୍ରାୟ ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

କର୍ଣ୍ଣେଲ ଭୂୟାଁଙ୍କୁ ୧୦ଲକ୍ଷର ପୁରସ୍କାର :

ରେକର୍ଡମ୍ୟାନ୍ ଲେଫ୍ଟନାଣ୍ଟ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁଙ୍କୁ ୧୦ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାକ୍ଷାତ ଅବସରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି । ୮ଟି ବିଶ୍ୱ ରେକର୍ଡର ଅଧିକାରୀ ହେଉଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ଲକ୍ଷ୍ମୀଧର । ଶାରୀରିକ ଅକ୍ଷମତା ସତ୍ତେ୍ୱ ସେ ରେକର୍ଡ ରିଚାଲିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ପୁରସ୍କୃତ କରିଥିବା ଜଣାପଡ଼ିଛି ।

Comments are closed.