ତାଳଚେରରୁ ରେକର୍ଡ ୬୬ ଟି ରେକ କୋଇଲା ପରିବହନ

73

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ଗତକାଲି (ରବିବାର) ତାଳଚେର ଅଂଚଳରୁ ଦେଶର ବିଭିନ୍ନ ରାଜ୍ୟକୁ ରେକର୍ଡ ୬୬ ଟି ଟ୍ରେନ ରେକ ଦ୍ୱାରା କୋଇଲା ପରିବହନ କରାଯାଇଛି । ଦେଶର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ୍ ସଙ୍କଟକୁ ଏଡ଼ାଇବା ପାଇଁ ତଥା ଗ୍ରାହକଙ୍କୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଗତ ରବିବାର ଦିନ, ପୂର୍ବ ତଟ ରେଳପଥର ତାଳଚେର ଲୋଡିଂ ପଏଂଟରୁ ଦିଲ୍ଲୀ, ପଞ୍ଜାବ, ଉତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ କୋଇଲା ପରିବହନ କରାଯାଇଛି ।

ପୂର୍ବ ତଟ ରେଳପଥ ଗତ ରବିବାରରେ ୧୮୧ ଟି ରେକ ଦ୍ୱାରା ପଣ୍ୟ ପରିବହନ କରିଛି; ଯେଉଁଥିରେ ୧୦୭ ଟି ରେକ ଦ୍ୱାରା କୋଇଲା, ୩୧ ଟି ରେକ ଦ୍ୱାରା ଖଣିଜ ପଦାର୍ଥ, ୧୪ ଟି ରେକ ଦ୍ୱାରା ଆଇରନ୍ ଆଣ୍ଡ ଷ୍ଟିଲ୍ ଏବଂ ୨୧ ଟି ରେକ ଦ୍ୱାରା ଅନ୍ୟ ପଣ୍ୟ ପରିବହନ ଅନ୍ତର୍ଭୁକ୍ତ । ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଗତ ରବିବାର ଦିନ ଉଲ୍ଲେଖନୀୟ ପଣ୍ୟ ବୋଝେଇ ପାଇଁ ଜଡିତ ଥିବା ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

Comments are closed.