ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଦ୍ଵାରା ଜନ୍ମମାଟିର କାଳଜୟୀ ସ୍ରଷ୍ଟା ବୈଷ୍ଣବପାଣିଙ୍କ ୧୩୯ ତମ ଜୟନ୍ତୀ ଉଦଘାଟିତ

69

ମାହାଙ୍ଗା : ପାଣି ସାହିତ୍ୟରେ ମେହେନତି ମଣିଷର ସ୍ୱର ଶାଣିତ -ଆଇନି ମନ୍ତ୍ରୀ । ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ, ପ୍ରଖ୍ୟାତ ସାରସ୍ୱତ ସାଧକ, ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ କୋଠପଦା ଠାରେ ଉଦଘାଟିତ ହୋଇଯାଇଛି । ଆଇନିମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଏହି ସାରସ୍ୱତ ସଭାକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବାସହ କହିଲେ କାଳଜୟୀ ସ୍ରଷ୍ଟା ବୈଷ୍ଣବ ପାଣିଙ୍କ ସାହିତ୍ୟରେ ମେହେନତି ମଣିଷର ସ୍ୱର ଅଧିକ ଶାଣିତ । ଶ୍ରୀଜେନା କହିଲେ ଅର୍ଦ୍ଧ ଶତକରୁ ଉର୍ଦ୍ଧ୍ଵ ସମୟ ଧରି ଗଣକବିଙ୍କ ଜୟନ୍ତୀ ମାହାଙ୍ଗାରେ ଗଣପର୍ବରେ ପରିଣତ ହୋଇ ପାରିଛି ଓ ସାରା ରାଜ୍ୟର କୋଟିକୋଟି ଜନତାଙ୍କ ହୃଦୟକୁ ଛୁଇଁ ପାରିଛି ପାଣି ସାହିତ୍ୟ । ମଞ୍ଚଅଭିନେତା ସୁବାଷ ବେହେରା ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ସୁସାହିତିକ ଗବେଷକ ଡକ୍ଟର ଅଜିତ କୁମାର ମହାପାତ୍ର ଯୋଗଦେଇ ପାଣିସାହିତ୍ୟର ବହୁ ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ସାହିତ୍ୟିକ ଅଖିଳେଶ ମହାନ୍ତି, ସମାଜସେବୀ ରାଧାନାଥ ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂସଦର ସଂପାଦକ ହୃଷିକେଶ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଡକ୍ଟର ଅଜିତ ମହାପାତ୍ରଙ୍କ ଲିଖିତ ପୁସ୍ତକ “ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଏକ ସମାଜ ଶାସ୍ତ୍ରୀୟ ଅଧ୍ୟୟନ”କୁ ମନ୍ତ୍ରୀ ଶ୍ରୀ ଜେନା ଉନ୍ମୋଚନ କରିଥିଲେ । ସେହିପରି ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀଙ୍କ ୨ ଖଣ୍ଡ ପୁସ୍ତକ “ଆସ ବୁଲିଯିବା ପର୍ଯ୍ୟଟନ କ୍ଷେତ୍ର” ଓ “ସଚିତ୍ର ବିଜ୍ଞାନ ଓ ବୈଜ୍ଞାନିକ” ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଏହି ସାରସ୍ୱତ ସମାରୋହକୁ ସର୍ବଶ୍ରୀ ରାମଚନ୍ଦ୍ର ମହାପାତ୍ର, ପନଂଗ ଭୂଷଣ ଦାସ,ହେମନ୍ତ ପ୍ରଧାନ, ଗଣେଶ ବିହାରୀ, ଲକ୍ଷ୍ମୀଧର ବେହେରା, ରଘୁନାଥ ଜେନା, ଜଗନ୍ନାଥ ନାୟକ, ସୁଧାଂଶୁ ଶେଖର ପାଣି,ଅନନ୍ତ ସାହୁ, ରମାକାନ୍ତ ପଣ୍ଡା, ଦୀପକ ଦାସ, ପ୍ରମୁଖ ପରିଚାଳନା କରିଥିଲେ ।

Comments are closed.