ଗାନ୍ଧୀଙ୍କ ସାମଗ୍ରିକ ଚିନ୍ତାଧାରାର ଦର୍ପଣ

75

ସାମ୍ପ୍ରତିକ ସମୟରେ ମହାତ୍ମା ଗାନ୍ଧୀଙ୍କ ଉପରେ ଓଡ଼ିଶାରେ ଯଦି କେହି ନିରବଚ୍ଛିନ୍ନ ଭାବରେ ଅଧ୍ୟୟନ, ଗବେଷଣା ଓ ପୁସ୍ତକ ରଚନା କରୁଛନ୍ତି ନିଶ୍ଚିତ ଭାବରେ ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ାଙ୍କ ନାମ ସର୍ବାଗ୍ରେ ରହିବ । ଏଥିପୂର୍ବରୁ ସେ ତିନି ଖଣ୍ଡ ଗାନ୍ଧୀ ପୁସ୍ତକ ଲେଖିସାରିଛନ୍ତି -ମୋହନରୁ ମହାତ୍ମା, ଗାନ୍ଧୀ ମହାତ୍ମା, ଗାନ୍ଧୀ ଚର୍ଚ୍ଚା ଓ ଏବେ ମହାତ୍ମାଙ୍କ ମନକଥା । ପ୍ରତିଟି ପୁସ୍ତକର ବିଷୟ ପ୍ରବେଶ କିନ୍ତୁ ଅଲଗା, ରଚନା ଶୈଳୀ ଅଲଗା ଓ ସ୍ୱାଭାବିକ ଭାବରେ ବିଭିନ୍ନ ଶ୍ରେଣୀର ପାଠକଙ୍କ ପାଇଁ ସେ ସବୁ ଲେଖାଯାଇଛି । ଆଲୋଚ୍ୟ ପୁସ୍ତକଟି ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ଅବସରରେ ରଚିତ । ତେବେ ଗାନ୍ଧୀ ସାହିତ୍ୟ ଚର୍ଚ୍ଚା କୌଣସି ଅବସରକୁ ଅପେକ୍ଷା କରେନା । ଏହା ଏକ ନିରନ୍ତର ପ୍ରକ୍ରିୟା ଓ ଏକ ଅଙ୍ଗୀକାରବଦ୍ଧ ମାନସିକତାରୁ ହିଁ ଏହିଭଳି ସାହିତ୍ୟ ସୃଷ୍ଟି ହୋଇପାରେ । ମହାତ୍ମାଙ୍କ ମନକଥା ପୁସ୍ତକକୁ ଯଦି ଆମେ ବୁଲେଇକି ଦେଖିବା ଏହା ଗାନ୍ଧୀ ବିଚାର ବା ଗାନ୍ଧୀଙ୍କ ଭିଜନର ଏକ ସ୍ଥୂଳ ଅବତାରଣା ।

ଲେଖକ ପ୍ରସ୍ତାବନାରେ ଲେଖିଛନ୍ତି, ଗାନ୍ଧିଜୀ ନିଜ ଦର୍ଶନ ସମ୍ପର୍କରେ ନିଜେ ସେମିତି କିଛି ପୂର୍ଣ୍ଣାଙ୍ଗ ବହି ଲେଖିନାହାନ୍ତି । ତାଙ୍କର ବିଭିନ୍ନ ଲେଖା, ଭାଷଣ ଏବଂ ନିଜ ବନ୍ଧୁଙ୍କ ସହ ନିଜେ ବାଣ୍ଟିଥିବା ଅନୁଭୂତିରୁ ପ୍ରତିଷ୍ଠିତ ଗାନ୍ଧୀ ବିଚାରର ଉତ୍ପତ୍ତି । ଏହା ବି ଗାନ୍ଧୀ ଦର୍ଶନର ନାଁ ନେଇଛି…. ବାସ୍ତବତା ହେଲା ଗାନ୍ଧିଜୀ କୌଣସି ନୂଆଁ ଦର୍ଶନ ବା ନୂଆ ଧର୍ମର ସ୍ରଷ୍ଟା କିମ୍ବା ପ୍ରବର୍ତ୍ତକ ନୁହଁନ୍ତି । ପୁରୁଣା ସିଦ୍ଧାନ୍ତର ସେ କେବଳ ପ୍ରୟୋଗ କରିଛନ୍ତି । ବିଡମ୍ବନା ଯେ, ଗାନ୍ଧୀ ବିଚାରର ସମ୍ପୂର୍ଣ୍ଣ ପ୍ରୟୋଗ ଏ ପର୍ଯ୍ୟନ୍ତ ଏଠି ହୋଇପାରିନାହିଁ । ମହାତ୍ମାଙ୍କ ମନକଥା ପୁସ୍ତକରେ ଗାନ୍ଧିଜୀଙ୍କ ବିଶାଳକାୟ ଜୀବନଦୃଷ୍ଟି ଉପରେ ତେସ୍ତରୀଟି ପରିଚ୍ଛେଦ ରହିଛି । ଲେଖକଙ୍କ କହିବା ଅନୁଯାୟୀ, ଗାନ୍ଧୀ ଦର୍ଶନ ଏବଂ ତତ୍ତ୍ୱର ଭିନ୍ନାର୍ଥ ସେ କରିନାହାନ୍ତି, କେବଳ ତାହାକୁ ନିଜସ୍ୱ ଶୈଳୀରେ ପାଠକଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି । ଏହି ସ୍ୱୀକାରୋକ୍ତି ସହିତ ଶ୍ରୀ ପରିଡ଼ା ଗାନ୍ଧୀ ସାହିତ୍ୟର ଏକ ବ୍ୟାପକ କ୍ଷେତ୍ରକୁ ଓଡ଼ିଆ ପାଠକଙ୍କ ନିକଟକୁ ଆଣିପାରିଛନ୍ତି ।

ଗାନ୍ଧୀ କଣ ଚିନ୍ତା କରୁଥିଲେ, କହୁଥିଲେ ଓ ତାହାକୁ କାର୍ଯ୍ୟରେ ପରିଣତ କରୁଥିଲେ ତାହାର ଏକ ସାମଗ୍ରିକ ପ୍ରତିବେଦନ ଏହି ପୁସ୍ତକ । ଈଶ୍ୱର କଣ, ପ୍ରାର୍ଥନା କଣ, ରାମନାମ କଣ, ପ୍ରତିମା ପୂଜା କାହାକୁ କହନ୍ତି, ଧର୍ମ ଓ ରାଜନୀତି ଭିତରେ ପ୍ରଭେଦ, ଅସ୍ପୃଶ୍ୟତା ନିବାରଣ, ଅହିଂସା, ଆତଙ୍କବାଦ, ଭୀରୁତା, ସତ୍ୟାଗ୍ରହ, ଅସହଯୋଗ, ଅନଶନ, ସମ୍ପତ୍ତି ତ୍ୟାଗ, ଭିକ ନୁହେଁ କାମ ଦିଅ, ଶ୍ରମ ଓ ପୁଞ୍ଜି, ସର୍ବୋଦୟର ରୂପରେଖ, ମଣିଷ ଓ ମେସିନ, ଆଧୁନିକ ଶିଳ୍ପ ସଭ୍ୟତା, ସମାଜବାଦ, ସାମ୍ୟବାଦୀ ଗାନ୍ଧୀ, ଟ୍ରଷ୍ଟିସିପ, ଆର୍ଥିକ ସମାନତା, ବିବାହ, ଜନ୍ମ ନିୟନ୍ତ୍ରଣ, ନାରୀ ଶିକ୍ଷା ଓ ନାରୀ ସୁରକ୍ଷା, ସ୍ୱରାଜ, ଭାରତ ବିଭାଜନ, ଗଣତନ୍ତ୍ର, ଗ୍ରାମ ବିକାଶ, ଭାଷାଭିତ୍ତିକ ରାଜ୍ୟ, ସ୍ୱଦେଶୀ, ଚରଖା, ଜାତୀୟତାବାଦ, ଏକାଦଶ ବ୍ରତ, ଜିଟେରିଆନଜିମ, ସାମ୍ବାଦିକତା, ଓକିଲାତି ଏଭଳି ଗାନ୍ଧିଜୀଙ୍କ ବଛା ବଛା ଦୃଷ୍ଟିକୋଣର ସମାହାର ଏହି ପୁସ୍ତକ ।

ସବୁଠାରୁ ବଡ଼ କଥା ପୁସ୍ତକରେ ଗାନ୍ଧୀଙ୍କ ଘଟଣାବହୁଳ ଜୀବନର ଏକ କାଳାନୁକ୍ରମିକ ବିବରଣୀ ପ୍ରଦାନ କରିଛନ୍ତି ଲେଖକ । ୧୮୬୯ ଅକ୍ଟୋବର ୨ରୁ ୧୯୪୮ ଜାନୁଆରୀ ୩୦ ମଧ୍ୟରେ ଗାନ୍ଧିଜୀଙ୍କ ସମଗ୍ର ଜୀବନରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଯାଇଛି ତାର ଉଲ୍ଲେଖ ଅତ୍ୟନ୍ତ ଉପାଦେୟ । ଏଠି ହାତ ପାହାନ୍ତାରେ ପାଠକଟି ପାଇଯିବ ଗାନ୍ଧିଜୀଙ୍କ ଟାଇମ ଲାଇନ । ପୁସ୍ତକର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ ହେଉଛି ଲେଖକ ଯେଉଁ ସହାୟକ ଗ୍ରନ୍ଥ ସୂଚୀ ଦେଇଛନ୍ତି । ତାରିଖ ଓ ସୂତ୍ର ଜରିଆରେ କେଉଁଠୁ ସେ ତଥ୍ୟକୁ ଏକାଠି କରିଛନ୍ତି ତାହାର ଉଲ୍ଲେଖ କରାଯାଇଛି । ଏଥିରୁ ଲେଖକ ତାଙ୍କ ଉଦ୍ୟମ ଓ ଅଧ୍ୟବସାୟର ପ୍ରମାଣ ଦେଇଛନ୍ତି ବୋଲି ବୁଝିବାକୁ ପଡ଼ିବ ।

ଗାନ୍ଧୀ ବିଚାରର କେତୋଟି ଉଦାହରଣ ଏଠି ଦିଆଗଲା ଯାହାକୁ ଶ୍ରୀ ପରିଡ଼ା ଅତି ଚମକ୍ରାର ଭାବରେ ଚୟନ କରିଛନ୍ତି ଏବଂ ଗାନ୍ଧୀଙ୍କ ଏହି ସବୁ ଉଦ୍ଧୃତିର ଏକ ପୂର୍ବାପର ସମ୍ପର୍କ ବି ଟାଣିଛନ୍ତି : ମଦ ପିଇବାରେ ଲାଭ କାହାର ହୁଏନାହିଁ । ମଦପାନ କଲେ ଶିଳ୍ପୀର କଳା କୌଶଳ ଏବଂ ସୃଜନୀ ଶକ୍ତି କମିଯାଏ । ଖେଳ ପଡ଼ିଆରେ ଖେଳାଳୀର ପ୍ରଦର୍ଶନ କମେ ।ସରକାରୀ ଅଫିସରେ କାମ କମ ହୁଏ । ହିନ୍ଦୁ ଧର୍ମ ଏକ ସଂକୀର୍ଣ୍ଣ ଧର୍ମ ନୁହେଁ । ବର୍ଷବର୍ଷ ଧରି ଏହାର ବଳିଷ୍ଠ ବିବର୍ତ୍ତନ ହୋଇ ଆସିଛି । ଏଇ ବିବର୍ତ୍ତନ ଏବଂ ସଂସ୍କାର ଏ ଧର୍ମରେ ଭବିଷ୍ୟତରେ ବି ଚାଲିବ । ଜୋରଷ୍ଟର, ମୋଜେସ, ଯୀଶୁଖ୍ରୀଷ୍ଟ, ମହମ୍ମଦ, ନାନକ ଏବଂ ଅନ୍ୟ ଧର୍ମଯାଜକଙ୍କର ମତକୁ ହିନ୍ଦୁଧର୍ମ ଗ୍ରହଣ ବି କରିଛି । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହେଉଛି ବର୍ଣ୍ଣର ଏକ ଚିହ୍ନଟ ମାତ୍ର-ଲେବଲ । ସମସ୍ତ ହିନ୍ଦୁ ଯଦି ନିଜକୁ ସ୍ୱେଚ୍ଛାକୃତ ଭାବେ ଶୁଦ୍ର ନାମରେ ସମ୍ବୋଧନ କରନ୍ତେ, ବର୍ଣ୍ଣ ଏବଂ ଜାତି ଭିତରେ ଦ୍ୱନ୍ଦ୍ୱ ରହନ୍ତା ନାହିଁ ।

ଖବରକାଗଜ ସମ୍ପର୍କରେ ଗାନ୍ଧିଜୀଙ୍କ ମତଟି ପ୍ରଣିଧାନଯୋଗ୍ୟ :
ମୋର ଅଭ୍ୟାସ ହେଲା ମୁଁ କେବେ ମୋ ମତ ଖବରକାଗଜ ଖବରକୁ ଆଧାର କରି ତିଆରି କରେନି । ମୁଁ କେବଳ ଖବରକାଗଜରେ ପ୍ରକାଶିତ ଘଟଣାକୁ ଅଧ୍ୟୟନ କରେ । ମୋ ମତ ମୁଁ ନିଜେ ପ୍ରସ୍ତୁତ କରେ । ମତ ତିଆରି କରିବାକୁ ମୁଁ ମୋର ସ୍ୱତନ୍ତ୍ର ଚିନ୍ତାକୁ କେବେ ହତ୍ୟା କରିଦେଇନି । କିନ୍ତୁ ଖବରକାଗଜରେ ପ୍ରକାଶିତ ଖବର ସତ ହେବା ଦରକାର । ଏହା ଅତିରଞ୍ଜିତ ନହେବା ଉଚିତ । ମହାତ୍ମା ଗାନ୍ଧୀଙ୍କୁ ଜଣେ ସର୍ବଶ୍ରେଷ୍ଠ ପ୍ରେରଣାଦାୟକ ମଣିଷ ଓ ରୂପାନ୍ତରଣର ଏକ ଶକ୍ତିମାନ ଉତ୍ସ ଭାବରେ ଯଦି ସମଗ୍ର ବିଶ୍ୱ ସ୍ୱୀକାର କରେ, ଏହି ପୁସ୍ତକଟି ନିଶ୍ଚିତଭାବେ ସେହି ବିରଳ ବ୍ୟକ୍ତିତ୍ୱକୁ ଚିହ୍ନିବାରେ ସହାୟକ ହେବ । ଗାନ୍ଧୀଙ୍କ ସାମଗ୍ରିକ ଚିନ୍ତାଧାରାକୁ କୋଟେବଲ କୋଟ ମାଧ୍ୟମରେ ଓଡ଼ିଶାର ପାଠକଙ୍କ ପାଖରେ ପହଞ୍ଚାଇବାର ଯେଉଁ ଉଦ୍ୟମ ଲେଖକ ଏହି ପୁସ୍ତକରେ କରିଛନ୍ତି ତାହା ପ୍ରଶଂସନୀୟ । ଖୁବ୍ ସରଳ ଓ ବୋଧଗମ୍ୟ ଭାଷାରେ ଲିଖିତ ଏହି ପୁସ୍ତକ ପ୍ରତ୍ୟେକଟି ପାଠକ ଯିଏ ଗାନ୍ଧୀ ସାହିତ୍ୟରେ ସାଧାରଣ ଆଗ୍ରହ ବି ରଖନ୍ତି ତାଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ।

-ଭାସ୍କର ପରିଚ୍ଛା

Comments are closed.