ପୁଣି ବିଶ୍ୱରେ ଡେଲ୍ଟା ଭାଇରସ୍ ଆତଙ୍କ : ଏସିଆ-ୟୁରୋପରେ ବଢୁଛି ସଂକ୍ରମଣ

79

ନୂଆଦିଲ୍ଲୀ : ଅଧା ବିଶ୍ୱରେ ପୁଣି ଡେଲଟା ଭାଇରସର ରାଜ୍ । କରୋନା ବିପର୍ଯ୍ୟୟରୁ ମିଳୁନି ନିସ୍ତାର । ସାରା ଏସିଆ ଓ ୟୁରୋପରେ ପୁଣି ବଢିଲା ସଂକ୍ରମଣ । ଚିନ୍ତା ବଢାଇଲା ଡେଲଟା ଭାଇରସର ୨୦ଟି ପ୍ରଜାତି । ସେଗୁଡିକୁ ଟ୍ରାକ କରିବା ହେଲାଣି କଷ୍ଟକର । ୨୦ ପ୍ରଜାତିରୁ କେବଳ ଇଣ.୪.୨କୁ ଚିହ୍ନଟ କରାଯାଇପାରିଛି ଏବଂ ଏହାକୁ ଟ୍ରାକିଂ କରାଯାଇପାରିଛି । ସେପଟେ ଶୀତ ଯୋଗୁ ସଂକ୍ରମଣ ବଢିବ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଋଷ, ଚୀନ, ପୂର୍ବ ୟୁରୋପ, ବ୍ରିଟେନରେ କୋଭିଡ ସଂକ୍ରମଣ ଆଖିଦୃଶିଆ ବୃଦ୍ଧି ପାଇଛି । ଗତ ସପ୍ତାହ ତୁଳନାରେ ବ୍ରିଟେନରେ ୧୪ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଋଷରେ ଗତ ସପ୍ତାହ ତୁଳନାରେ ଏହି ସଂଖ୍ୟା ୧୫ ପ୍ରତିଶତ ଏବଂ ୟୁରୋପୀୟ ରାଷ୍ଟ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ଅଧିକ ହୋଇଛି । ବ୍ରିଟେନ ସମେତ ଏହି ସବୁ ରାଷ୍ଟ୍ରରେ ଇଣ.୪.୨ ଡେଲଟା ପ୍ଲସ ଭାରିଆଣ୍ଟ ଉତ୍ପାତ ଜାରି ରଖିଛି । ଋଷରେ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୧୦୬୪ ଜଣ ଯାହାକି ମହାମାରୀ ଆରମ୍ଭ କାଳରୁ ସର୍ବାଧିକ ।

ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଆସନ୍ତା ୩୦ରୁ ସାତଦିନ ଲାଗି ଦେଶରେ କାମ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ, ଜର୍ଜିଆରେ ସ୍ଥିତି ବି ବିଶେଷ ଗୁରୁତର ହେଲାଣି । ସିଙ୍ଗାପୁରରେ ବି କ୍ରମଶଃ ଆତଙ୍କ ସୃଷ୍ଟି କଲାଣି ଭାଇରସ । ସେପଟେ ଚୀନର ଜିରୋ କୋଭିଡ ସ୍ଲୋଗାନ ନେଇ ଉଠିଛି ପ୍ରଶ୍ନ । ବିଭିନ୍ନ ପ୍ରଜାତନ୍ତ୍ରରେ ବଢିଛି ସଂକ୍ରମଣ । ବେଜିଂରେ ପୁଣି ଆରମ୍ଭ ହୋଇଛି ମାସ୍ ଟେଷ୍ଟିଂ । ନ୍ୟୁଜିଲାଣ୍ଡରେ ବି ସଂକ୍ରମଣ ବଢିବା ଯୋଗୁ ଆରମ୍ଭ ହୋଇଛି ଲକଡାଉନ୍ । ଭାରତରେ ବି କ୍ରମାଗତ ୧୬ ହଜାର ଉପରେ ରହୁଛି ସଂକ୍ରମଣ । ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି
୬୬୬ ଲୋକ । ତେଣେ କଟକଣାକୁ କୋହଳ କରାଯ଼ିବାରୁ ଏହି ବିପଦ ପୁଣି ଉଭା ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସଂଗଠନର ଜରୁରିକାଳୀନ ବିଭାଗ ମୁଖ୍ୟ ଡାକ୍ତର ମାଇକ ରିଆନ କହିଛନ୍ତି ଶୀତ ପଡିବା ଯୋଗୁ ସଂକ୍ରମଣ ଅଧିକ ହେବାରେ ଲାଗିଛି । ବିଭିନ୍ନ ରାଷ୍ଟ୍ର କୋଭିଡ କଟକଣା କୋହଳ କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି । ଡେଲଟା ଭାରିଆଣ୍ଟ ଏବେ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ଭୂତାଣୁ ଭାବେ ପରିଗଣିତ ହେଲାଣି ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ମୁଖ୍ୟ ମାରିଆ ଭାନ କେର୍କୋଭ ।

Comments are closed.