ରକ୍ତ ସମ୍ପକରେ ଲାଗିଲା ଛିଟା – ମୃତ ବାପାଙ୍କ ଟଙ୍କା ହାତେଇବା ପାଇଁ ବଡ ଭାଇକୁ ହତ୍ୟା କଲା ସାନଭାଇ

74

ଟିଟିଲାଗଡ : ସମ୍ପର୍କର ଅର୍ଥ କଣ ? ମଣିଷ ବୁଝିବା ପୂର୍ବରୁ ନିଜର ଲୋଭ ପାଇଁ ରାକ୍ଷସ ପାଲଟି ଯାଉଛି । ଛାଆର ଘରବାଡି, ସମ୍ପତ୍ତି, ଟଙ୍କା ପଇସାକୁ ନିଜର ସର୍ବସ୍ବ ଭାବି ମଣିଷ ଜଘନ୍ୟ କାଣ୍ଡଘଟାଇବାକୁ ମଧ୍ଯ ପଛଉନି, ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡରେ । ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୪ ହାଟପଦା ପଡ଼ା(ଗୋରୁବଜାର)ର ସ୍ଵର୍ଗତ ଦିଜିଲି ବେହେରାଙ୍କ ବଡପୁଅ ସଞ୍ଜୟ ବେହେରା ବୟସ ୩୩ ଦୀର୍ଘ ୨୦ ଦିନରୁ ଉର୍ଦ୍ଧ ଧରି ନିଖୋଜ ଥିବାବେଳେ ଏ ନେଇ ପରିବାର ଲୋକେ ଟିଟିଲାଗଡ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିବା ବେଳେ ପୋଲିସ ଏ ନେଇ କେସ ନଂ୭୭/୨୦୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ଟିଟିଲାଗଡ଼ ବେଲ ଗାଁ ରାସ୍ତା ଝାଡଦେବନ୍ଧ ନିକଟରେ ଥିବା ଜଙ୍ଗଲ ଭିତରୁ ଉକ୍ତ ନିଖୋଜ ସଞ୍ଜୟର ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ସଞ୍ଜୟଙ୍କ ପିତା ଦିଜିଲି ବେହେରା ବିଦ୍ୟୁତ ବିଭାଗ କର୍ମଚାରୀ ଥିଲେ କିଛି ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଙ୍କୁ ବିଜୁଳି ବିଭାଗ ତରଫରୁ ମିଳିଥିବା ଟଙ୍କାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିବା ସହ ଭାଇଭାଇଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଏଇ ଟଙ୍କା ଭାଗବଣ୍ଟାକୁ ନେଇ ସଞ୍ଜୟକୁ ସାନ ଭାଇ ପ୍ରମୋଦ ବେହେରା (ବ-୨୭) ନିଜେ ହତ୍ୟା କରିଦେଇଥିବା ସୂଚନା ମିଳିଛି ।

ଟିଟିଲାଗଡ ଏସ ଡି ପି ଓ ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ , ଥାନାଧିକାରୀ ରଞ୍ଜନ କୁମାର ବରିହା, ଏବଂ ପୋଲିସ ଦଳ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ସହକାରୀ ଜିଲ୍ଲାପାଳ ଡ ଲଲିତ ବାଗ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ମାଟି ଖୋଳି ଶବ ଉଦ୍ଧାର କରିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ବେଶ ହଟ,ଚମଟ ସୃଷ୍ଟି ହୋଇଥିବା ବେଳେ ପୋଲିସ ତରଫରୁ ଅନୁସନ୍ଧାନ ଜାରି ରହିଛି। ତେବେ ସହର ଠାରୁ ଏତେ ଦୂରରେ ଶବ ପୋତା ଯାଇଥିବାକୁ ନେଇ ହତ୍ୟାକାରୀ ନିଜେ ଏକା ଏକା ଏତେ ସବୁ କାମ କରିବା ସମ୍ଭପର ନୁହେଁ ଏବଂ ହତ୍ୟାକାରି ସହ ନିଶ୍ଚୟ ଅନ୍ୟ ସହୋଜୋଗି ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ପ୍ରକାଶ ଥାଉ ଯେ ମୃତ ସଞ୍ଜୟ ଯେଉଁ ଦିନ ନିଖୋଜ ହୋଇଥିଲେ ସେହିଦିନ ସେ ମୁନିଗୁଡ଼ାରେ ଥିବା ତାଙ୍କ ସ୍ତ୍ରୀଙ୍କ ସହ ସାନଭାଇ ପ୍ରମୋଦ ଟଙ୍କା ପାଇଁ ତାଙ୍କୁ ମାରିଦେବାକୁ ଧମକ ଦେଉଥିବା କଥା ଜଣାଇଥିଲେ।ମୃତ ସଞ୍ଜୟର ଗୋଟିଏ ଛୋଟଝିଅ ଥିବାବେଳେ ଟଙ୍କା ପାଇଁ ନିଜ ସାନ ଭାଇ ଅମାନୁଷିକ ଭାବରେ ହତ୍ୟା କରି ଶବକୁ ଜଙ୍ଗଲକୁ ନେଇ ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଗଳିତ ଶବ ପୋଲିସ ଉଦ୍ଧାର କରି ପୋଷ୍ଟମଟମ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Comments are closed.