ବିଜୁବାବୁଙ୍କୁ ଭାରତ ରତ୍ନ କେବେ?

71

-ଅନ୍ୟ ଦେଶରୁ ପାଇଛନ୍ତି ସର୍ବଶ୍ରେଷ୍ଠ ସମ୍ମାନ । କିନ୍ତୁ ନିଜ ଦେଶରେ ଅବହେଳା କାହିଁକି?

ଭୁବନେଶ୍ୱର : ୧୯୫୪ ମସିହାରୁ ଆରମ୍ଭ ହୋଇଥିବା ଭାରତ ରତ୍ନ ସମ୍ମାନ ଏଯାବତ୍ ଦେଶର ୪୮ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାର ଜଣେ ହେଲେ ଏ ଯାଏଁ ଏହି ସମ୍ମାନ ପାଇନାହାନ୍ତି କି କୌଣସି ପ୍ରଧାନମନ୍ତ୍ରୀ କେତେବେଳେ ବି କାହା ନାମକୁ ସୁପାରିଶ୍ କରିନାହାନ୍ତି । ବିଶେଷକରି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆ ଯିବାର ଦାବି ଅନେକ ଦିନରୁ ହୋଇଆସୁଛି । ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକା ଏବଂ ଜଣେ ଦୁର୍ଦ୍ଦଷ ପାଇଲଟ୍ ଭାବରେ ସେ ଯେଉଁ ସାହସିକତା ଦେଖାଇଥିଲେ ସେଥିପାଇଁ ତାଙ୍କୁ ଅନ୍ୟ ଦେଶର ସର୍ବଶ୍ରେଷ୍ଠ ସମ୍ମାନ ମିଳିଥିଲେ ହେଁ ଭାରତର ସର୍ବୋଚ୍ଚ ସମ୍ମାନ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେବା ସହିତ କଳା, ବାଣିଜ୍ୟ, ଇଞ୍ଜିନିୟରିଂ, କ୍ରୀଡ଼ା ଓ ବିଜ୍ଞାନ ଆଦି ବିବିଧ କ୍ଷେତ୍ରରେ ଉକ୍ରର୍ଷ ପ୍ରତିପାଦିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଦେଶ କୃତଜ୍ଞତା ଜଣାଇ ଏହି ବେସାମରିକ ଶୀର୍ଷ ସମ୍ମାନ ପ୍ରଦାନ କରିଥାଏ । ଏଥିପାଇଁ ପ୍ରଧାନମନ୍ତ୍ରୀ ନାମ ଚୟନ କରି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥାନ୍ତି ଓ ତାହା ଗୃହୀତ ହେବା ପରେ ପ୍ରଦାନ କରାଯାଇଥାଏ । ବର୍ଷରେ ଅତି ବେଶୀରେ ୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ ଲାଗି ବ୍ୟବସ୍ଥା ରହିଛି । ୧୯୫୪ ମସିହାରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ବିଶିଷ୍ଟ ପଦାର୍ଥବିଜ୍ଞାନୀ ଡ. ସିଭି ରମଣଙ୍କୁ ପ୍ରଥମଥର ଲାଗି ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

୧୯୫୫ ମସିହାରେ ସେତେବେଳର ପ୍ରଧାନମନ୍ତ୍ରୀ ପଣ୍ଡିଜ ଜବାହରଲାଲ ନେହରୁଙ୍କ ସମେତ ବିଶିଷ୍ଟ ଇଞ୍ଜିନିୟର ଡ. ଏମ୍. ବିଶେଶ୍ୱରେୟା ଓ ପାର୍ସୀ ବିଦ୍ୟାପୀଠର ପ୍ରତିଷ୍ଠାତା ଡ. ଭଗବାନ ଦାସଙ୍କୁ ଏହି ସମ୍ମାନ ମିଳିଥିଲା । ୧୯୫୭ରୁ ୧୯୬୬ ମଧ୍ୟରେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ, ଡ. ଡିକେ କାର୍ଭେ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାନଚନ୍ଦ୍ର ରୟ, ପୂର୍ବତନ କଂଗ୍ରେସ ସଭାପତି ପୁରୁଷୋତ୍ତମ ଟଣ୍ଡନ, ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ, ଡ. ଜାକିର ହୁସେନ୍,ଡ. ପାଣ୍ଡୁରଙ୍ଗ ବାମନକାନେ ଓ ମରଣୋତ୍ତର ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ନେହରୁଙ୍କ ପରେ ନିଜେ ପ୍ରଧାନମନ୍ତ୍ରୀ ଥାଇ ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀ ଏହି ପୁରସ୍କାର ଗ୍ରହଣ କରିଥିବାବେଳେ ୧୯୭୫ରୁ ୯୦ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି କେ କାମରାଜ, ମଦର ଟେରେସା, ବିନୋବା ଭାବେ, ସୀମାନ୍ତ ଗାନ୍ଧୀ ଖାଁ, ଅବଦୁଲ ଗଫର୍ ଖାଁ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ଜି ରାମଚନ୍ଦ୍ରନ୍, ଡ. ବିଆର୍ ଆମ୍ବେଦକର ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ନେଲ୍ସନ୍ ମାଣ୍ଡେଲାଙ୍କ ଉଦ୍ଦେଶ୍ୟରେ ଏହି ସମ୍ମାନ ଦିଆଯାଇଥିଲା । ପରେ ମରଣୋତ୍ତର ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୋରାର୍ଜୀ ଦେଶାଇ,ମୌଲାନା ଅବଦୁଲ କାଲାମ ଆଜାଦ, ଜେଆର୍ଡି ଟାଟା, ସତ୍ୟଜିତ୍ ରାୟ, ଗୁଲଜାରୀ ଲାଲ ନନ୍ଦା, ଅରୁଣା ଆସଫ୍ ଅଲ୍ଲୀ ଓ ଏପିଜେ ଅବଦୁଲ କାଲାମ ୧୯୯୭ ପର୍ଯ୍ୟନ୍ତ ଏହି ସମ୍ମାନ ପାଇଥିଲେ ।

୧୯୯୮ରୁ ୨୦୧୫ ମଧ୍ୟରେ ଏମ୍ଏସ୍ ଶୁଭଲକ୍ଷ୍ମୀ, ସି ସୁବ୍ରମଣ୍ୟମ୍, ଜୟପ୍ରକାଶ ନାରାୟଣ, ଅମର୍ତ୍ତ୍ୟ ସେନ୍, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପୀନାଥ ବର୍ଦ୍ଦଳେଇ, ପଣ୍ଡିତ ରବିଶଙ୍କର, ଲତା ମଙ୍ଗେସକର, ଓସ୍ତାଦ୍ ବିସ୍ମିଲ୍ଲା ଖାଁ, ଭୀମସେନ୍ ଯୋଶୀ, କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର, ବୈଜ୍ଞାନିକ ସିଏନ୍ଆର୍ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ମଦନ ମୋହନ ମାଲବ୍ୟଙ୍କ ନାମରେ ଏହି ସମ୍ମାନ ଦିଆ ଯାଇଥିଲା । ୨୦୧୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ,ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ନାନାଜି ଦେଶମୁଖ ଓ ଭୂପେନ୍ ହଜାରିକାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୨୦୨୦-୨୧ ବର୍ଷରେ କାହାକୁ ଭାରତ ରତ୍ନ ଦିଆଯାଇନାହିଁ । ମାତ୍ର ଓଡ଼ିଶାର ଜଣେ ହେଲେ ଏ ଯାଏଁ ଏହି ସମ୍ମାନ ପାଇନାହାନ୍ତି କି କୌଣସି ପ୍ରଧାନମନ୍ତ୍ରୀ କେତେବେଳେ ବି କାହା ନାମକୁ ସୁପାରିଶ୍ କରିନାହାନ୍ତି । ବିଶେଷକରି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯିବାର ଦାବି ଅନେକ ଦିନରୁ ହୋଇଆସୁଛି । ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକା ଏବଂ ଜଣେ ଦୁର୍ଦ୍ଦଷ ପାଇଲଟ୍ ଭାବରେ ସେ ଯେଉଁ ସାହସିକତା ଦେଖାଇଥିଲେ ସେଥିପାଇଁ ତାଙ୍କୁ ଅନ୍ୟ ଦେଶର ସର୍ବଶ୍ରେଷ୍ଠ ସମ୍ମାନ ମିଳିଥିଲେ ହେଁ ଭାରତର ସର୍ବୋଚ୍ଚ ସମ୍ମାନ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

Comments are closed.