ଗୁପ୍ତଚରୀକୁ ସହ୍ୟ କରାଯିବନି

71

ନୂଆଦିଲ୍ଲୀ : ଏବେ ବି ଥମିନି ପେଗାସସ୍ ଝଡ଼ । ପେଗାସସ୍ ଡାଟା ଚୋରି ମାମଲାରେ ସ୍ୱତନ୍ତ୍ର ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି । ପେଗାସସ ମାମଲାକୁ ଖଣ୍ଡନ କରିବା ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଜବାବ ଦିଆଯାଇ ନାହିଁ । ଏମିତିରେ ଆବେଦକଙ୍କ ଆବେଦନ ସ୍ୱୀକାର କରିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ବୋଲି ସୁପ୍ରିମକୋର୍ଟ ସଫା ସଫା ଶୁଣାଇ ଦେଇଛନ୍ତି । ଏନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିବା ବେଳେ ସୁପ୍ରିମକୋର୍ଟ ଏହାର ତଦାରଖ କରିବେ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ସେପ୍ଟେମ୍ବର ୨୩ରେ ସିଜେଆଇ ଇସ୍ରାଏଲ ନିର୍ମିତ ପେଗାସସ୍ ସ୍ପାଇୱେର ଦ୍ୱାରା ଦେଶର ବିରୋଧୀ ନେତା, ସାମ୍ବାଦିକଙ୍କ ଡାଟା ଚୋରି ନେଇ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ ଏକ ଯାଞ୍ଚ କମିଟି ଗଠନ କରିବାକୁ ସଂକେତ ଦେଇଥିଲେ । ଏହା ପରେ ବୁଧବାର ସୁପ୍ରିମକୋର୍ଟ ନିଜର ରାୟ ପ୍ରକାଶ କରିବା ସହ ୩ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନା, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି ଯେ ତିନି ସଦସ୍ୟ ବିଶିଷ୍ଟ ଏହି କମିଟିର ଅଧ୍ୟକ୍ଷତା କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆରବି ରବୀନ୍ଦ୍ରନ୍ । ଏହା ସହ ସଦସ୍ୟ ରହିବେ ଆଲୋକ ଯୋଶୀ ଏବଂ ସନ୍ଦୀପ ଓବ୍ରାୟନ । ଏହି କମିଟି ସହ ସାଇବର ସୁରକ୍ଷା, ଫରେନ୍ସିକ ଏକ୍ସପର୍ଟ, ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ମଧ୍ୟ ସାମିଲ କରାଯିବ । କମିଟି ଗଠନ ପରେ ଜଳଦି ରିପୋର୍ଟ ଦେବାକୁ ନିର୍ଦେଶ ଦେବା ସହ ମାମଲାର ଆଗାମୀ ଶୁଣାଣି ୮ ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି ।

ଏହା ସହ ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ନାଗରିକଙ୍କ ପାଖରୁ ଡାଟା ଚୋରି କରିବା ଆଦୌ ଗ୍ରହଣୀୟ ନୁହେଁ । ଆମେ ମୁକଦର୍ଶକ ହୋଇ ବସିପାରିବୁ ନାହିଁ । କୌଣସି ବ୍ୟକ୍ତିଙ୍କ ନିଜତ୍ୱର ଉଲ୍ଲଂଘନ ନହେବା ଦରକାର । ଏହା ପୂର୍ବରୁ ଜାତୀୟ ସୁରକ୍ଷାର ନାଁ ନେଇ ପେଗାସସ ମାମଲାରେ ସରକାର ବିସ୍ତୃତ ବିବରଣୀ ଦାଖଲ କରିନଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ପେଗାସସ୍ ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଜବାବ ଦିଆଯାଇନାହିଁ । ତେଣୁ ଏହି ପରିସ୍ଥିତିରେ ମାମଲାର ଯାଞ୍ଚ ହେବା ଜରୁରୀ ।

Comments are closed.