ମହଙ୍ଗା ମାଡ, ଖାଉଟି ଛଟପଟ

63

-ବୃଦ୍ଧି ହୋଇପାରେ ରନ୍ଧନ ଗ୍ୟାସ୍ ମୂଲ୍ୟ

ନୂଆଦିଲ୍ଲୀ : ୫୦୦ ଟଙ୍କାରେ ବି ପୂରା ହେଉନି ବ୍ୟାଗ୍ । ସବୁଠି ଏବେ ମହଙ୍ଗା ମାଡ଼ । ଛଟପଟ ହେଉଛନ୍ତି ଖାଉଟି । ଡିଜେଲ ପେଟ୍ରୋଲ ଠାରୁ ଆରମ୍ଭ କରି ପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ମାସକ ଭିତରେ ପରିବା ଦର ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି । କରୋନାରୁ ଟିକେ ଅଣ୍ଟା ସଳଖିବା ବେଳକୁ ଏହି ମହଙ୍ଗା ମାଡ଼ ସାଧାରଣ ଲୋକଙ୍କ ଅଣ୍ଟାକୁ ପୁଣି ଭାଙ୍ଗି ଦେଇଛି । ଦରବୃଦ୍ଧି ଏବେ ଏମାନଙ୍କ ଜୀବନକୁ ଦୁର୍ବିସହ କରି ଦେଲାଣି । କିଭଳି ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳାଇବେ ଏବେ ତାଙ୍କୁ ସେହି ଚିନ୍ତା ଘାରିଛି । ଲୋକେ ଏବେ ଅଚ୍ଛେଦିନ କେବେ ଆସିବ ତାହାକୁ ନେଇ କଟାକ୍ଷ କରିବା ଆରମ୍ଭ କଲେଣି । କେନ୍ଦ୍ର ଓ ରାଜ୍ୟ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ବେଳେ କିଭଳି ଏହାର ସମାଧାନ କରାଯିବ କେହି ଚିନ୍ତା କରୁନାହାନ୍ତି । ବିଶେଷକରି ପେଟ୍ରୋଲିୟମ୍ ଦ୍ରବ୍ୟର ଦରବୃଦ୍ଧିର ପ୍ରଭାବ ପରିବହନ ଉପରେ ପଡ଼ୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ୁଥିବା ଜଣାଯାଇଛି । ତେଲ ଦର ବୃଦ୍ଧିକୁ ନେଇ ଘରୋଇ ବସ୍ ସଂଘ ମଧ୍ୟ ଚେତାବନୀ ଦେଇସାରିଲାଣି । ତୁରନ୍ତ ତେଲ ଦର ହ୍ରାସ କରାନଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଲେଣି । ତୈଳ ପରେ ଘରୋଇ ରୋଷେଇ ଗ୍ୟାସ ଦର ବଢ଼ିବା ନେଇ ମଧ୍ୟ ସୂଚନା ମିଳିଲାଣି । ନଭେମ୍ବର ମାସ ଆରମ୍ଭରେ ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ୍ ମୂଲ୍ୟ ସୁଧାର କରିପାରନ୍ତି । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଓ ଟଙ୍କା ତୁଳନାରେ ମହଙ୍ଗା ଡଲାର ଯୋଗୁ କମ୍ପାନୀ ମୂଲ୍ୟ ସଂଶୋଧନ କରିବେ।

ସେପଟେ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏଲପିଜି ବାବଦ ବ୍ୟୟ ଠାରୁ କମ୍ ମୂଲ୍ୟରେ ବିକ୍ରି ଲାଗି ବର୍ତ୍ତମାନ ସିଲିଣ୍ଡର ପିଛା କ୍ଷତିର ପରିମାଣ ୧୦୦ ଟଙ୍କାରେ ପହଞ୍ଚି ଗଲାଣି । ହୁଏତ ତୈଳ କମ୍ପାନୀମାନେ ଏଲପିଜି ବାବଦ ଖର୍ଚ୍ଚ ହ୍ରାସ ଲାଗି ସିଲିଣ୍ଡର ପିଛା ଦରବୃଦ୍ଧି କରିପାରନ୍ତି । ଏହା ପୂର୍ବରୁ ଗତ ଅକ୍ଟୋବର ୬ ତାରିଖରେ ଏଲପିଜି ସିଲିଣ୍ଡର ପିଛା ୧୫ ଟଙ୍କା ବଢିଥିଲା । ଦେଶରେ ଗତ ଜୁଲାଇ ମାସରୁ ତୈଳ କମ୍ପାନୀ ଏଲପିଜି ମୂଲ୍ୟ ସଂଶୋଧନ କରିଆସୁଛନ୍ତି । ଗତ ୪ ମାସରେ କମ୍ପାନୀମାନେ ଏପର୍ଯ୍ୟନ୍ତ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି କଲେଣି । ଏହା ସହ ଖର୍ଚ୍ଚଭାର ବଢି ବଢି ଚାଲିଛି । ଏବେ ତୈଳ କମ୍ପାନୀମାନେ ମୂଲ୍ୟ ବୃଦ୍ଧି କରିବେ କି ନା ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ । ଯଦି ମୂଲ୍ୟ ବୃଦ୍ଧି ହୁଏ ତେବେ କେତେ ବଢିବ ସେ ନେଇ ମଧ୍ୟ ସୂଚନା ନାହିଁ । ହେଲେ ଶିଲିଣ୍ଡର ବାବଦ ବ୍ୟୟ ଭାର ବଢିବଢି ଚାଲିଥିବାରୁ ହୁଏତ ବୃଦ୍ଧି ହୋଇପାରେ ବୋଲି ଏକ ଆକଳନ କରାଯାଉଛି । ଏଥିରେ ଯଦିବି ଦରବୃଦ୍ଧି ହୁଏ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ସରକାରଙ୍କ ଉପରେ ନିର୍ଭର କରେ । ସରକାର ଯେତିକି ବୃଦ୍ଧି ଲାଗି ଅନୁମତି ଦେବେ ତୈଳ କମ୍ପାନୀ ସେତିକି ବୃଦ୍ଧି କରିବେ ।

Comments are closed.