ଭୋକ ସମ୍ଭାଳି ହେଉନି, ବିକୁଛନ୍ତି କନ୍ୟାରତ୍ନ

61

-ଆଫଗାନ୍ ରେ ଉକ୍ରଟ ଖାଦ୍ୟ ସଂକଟ
-ୟେମେନ୍, ସିରିଆ ଏବଂ କଙ୍ଗୋ ଠାରୁ ସ୍ଥିତି ସଂଗୀନ : ଜାତିସଂଘ
-୬ ବର୍ଷର ଝିଅକୁ ଅଢେଇ ଲକ୍ଷ, ବର୍ଷେ ଦେଢ ବର୍ଷର ଶିଶୁକନ୍ୟାକୁ ୨ ଲକ୍ଷରେ ବିକ୍ରି

କାବୁଲ :ବଢ଼ୁଛି ଅନାହାର । କ୍ଷୁଧାରେ ସଢ଼ୁଛନ୍ତି ଆଫଗାନ୍ବାସୀ । ତାଲିବାନୀ ଶାସନରେ ଦୋହଲିଯାଇଛି ଆଫଗାନିସ୍ତାନର ଆର୍ଥିକ ସ୍ଥିତି । ଲୋକଙ୍କ ପାଖରେ କାମ ନାହିଁ କି ପଇସା ନାହିଁ । ତେଣୁ ବୁଭୁକ୍ଷୁଙ୍କ ସଂଖ୍ୟା ବଢ଼ୁଛି । ଏପରିକି ଭୋକର ଜ୍ୱାଳା ଶାନ୍ତ କରିବା ପାଇଁ ଯିଏ ଯାହା ପାରୁଛି ତାହା ବିକ୍ରି କରୁଛନ୍ତି । ଏପରିକି ପେଟ ଚାଖଣ୍ଡ ପାଇଁ ନିଜ ଜନ୍ମ କଲା ଝିଅକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । କରୋନା, ତାଲିବାନୀ ଶାସନ ଆଉ ଏବେ ଅନାହାର ସହ ଜୁଝୁଛି ଆଫଗାନିସ୍ତାନ । ସେଠାକାର ଅବସ୍ଥା ଏବେ ଖରାପରୁ ଅତି ଖରାପ ହେବାରେ ଲାଗିଛି । ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ଅନାହାରର ଶିକାର ହୋଇଛନ୍ତି । ଏଏଫ୍ସିର ଏକ ରିପୋର୍ଟ ମୁତାବକ ଦେଶର ଗରିବ ଅଞ୍ଚଳରେ ଲୋକେ ନିଜ ଭୋକ ମେଣ୍ଟାଇବା ପାଇଁ କୁନି କୁନି ଝିଅଙ୍କୁ ବିକ୍ରି କରି ଦେଉଛନ୍ତି । ନିକଟରେ ଫହିମା ନାମ୍ନୀ ଜଣେ ମହିଳା କହିଛନ୍ତି, ତାଙ୍କର ୬ ବର୍ଷର ଓ ଦେଢ ବର୍ଷର ଦୁଇଟି ଝିଅଙ୍କୁ ତାଙ୍କ ସ୍ୱାମୀ ବିକ୍ରି କରିଦେଇଛନ୍ତି । ଯଦି ଆମେ ଏଭଳି କରିନଥାନ୍ତି ତେବେ ଆମେ ନିଜେ ଭୋକରେ ମରିବା ସହ ପିଲାମାନେ ବି ମୃତ୍ୟୁ ମୁଖରେ ପଡିଥାନ୍ତେ । କାରଣ ଆମ ପାଖରେ ଖାଇବା ପାଇଁ କିଛି ନଥିଲା । ଟଙ୍କା ପାଇଁ ଝିଅମାନଙ୍କୁ ଏଭଳି ବିକ୍ରି କରିବା ଛଡା ପାଖରେ ଆଉ କିଛି ବିକଳ୍ପ ନଥିଲା ବୋଲି ସେ କହିଛନ୍ତି ।

ଆଫଗାନିସ୍ତାନର ୬ ବର୍ଷର ଝିଅ ପାଇଁ ପାଖାପାଖି ଅଢେଇ ଲକ୍ଷ ଟଙ୍କା ମିଳୁଥିବା ବେଳେ ବର୍ଷେ ଦେଢ ବର୍ଷର ଝିଅମାନେ ପାଖାପାଖି ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛନ୍ତି । ପଶ୍ଚିମ ଆଫଗାନିସ୍ତାନର ବଦଘିସ୍ରେ ବାଲ୍ୟ ବିବାହ ପାଇଁ ଏପରି ପିଲାବିକ୍ରି ଘଟଣା ବଢ଼ିବାରେ ଲାଗିଛି । ଲୋକେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ପେଟକାଟି ଜନ୍ମ କଲା ପିଲାଙ୍କୁ ବିକ୍ରି କରୁବାକୁ ପଛାଉ ନାହାନ୍ତି । ବଦଘିସ୍ର ଏକ ଗ୍ରାମ ହେଉଛି କାଲା-ଏ-ନ । ଏଠାରେ ୨୦୧୮ ମସିହାରେ ମରୁଡି ପଡିଥିଲା । ତେବେ ସେତେବେଳେ ଦେଶର ପରିସ୍ଥିତି ଭଲ ଥିବାରୁ ଲୋକଙ୍କ ଉପରେ ମରୁଡିର ପ୍ରଭାବ ପଡିନଥିଲା । ଏଣୁ ଅନେକ ଯୁବକ ଯୁବତୀ ବିବାହ କରିଥିଲେ । ଚଳିତବର୍ଷ ଏଠାରେ ୨୦୧୮ର ପୁନରାବୃତ୍ତି ହୋଇଛି । ମରୁଡି ଯୋଗୁ ଫସଲ ଭଲ
ହୋଇନଥିବା ବେଳେ ଦେଶରେ ସରକାର ମଧ୍ୟ ବଦଳି ଯାଇଛି । ନୂଆ ବିଦ୍ରୋହୀ ସରକାର ଏପର୍ଯ୍ୟନ୍ତ ନିଜର ଦାୟିତ୍ୱ ମଧ୍ୟ ଠିକ ଭାବେ ସମ୍ଭାଳି ନାହାନ୍ତି । ଏଥିରେ ଲୋକଙ୍କ କଥା ପଚାରେ କିଏ? ଏଣୁ ଲୋକେ ବଞ୍ଚିବା ଲାଗି ନିଜ ପିଲାଛୁଆଙ୍କୁ ବିକ୍ରି କରିବାରେ ଲାଗିଛନ୍ତି । ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ଗତ ସୋମବାର ଚେତାବନୀ ଦେଇ କହିଥିଲା ଯେ, ଆଫଗାନିସ୍ତାନର ଅଧାରୁ ଅଧିକ ଜନସଂଖ୍ୟା ଅର୍ଥାତ ଅଢ଼େଇ କୋଟି ଲୋକଙ୍କୁ ନଭେମ୍ବର ମାସରେ ଅନାହାରର ସାମ୍ନା କରିବାକୁ ପଡିପାରେ । ଦେଶର ବିଭିତ୍ତ ଅଞ୍ଚଳରେ ଏହାର ପ୍ରାରମ୍ଭ ହୋଇ ସାରିଲାଣି । ଗତ ୨୦ ବର୍ଷର ଗୃହ ଯୁଦ୍ଧରୁ ମୁକ୍ତି ପାଇବାକୁ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ମରୁଡ଼ି ଏବେ ନୂଆ ସଂକଟ ସୃଷ୍ଟି କରିଛି । ଚଳିତ ଶୀତ ଋତୁରେ ଲକ୍ଷାଧିକ ଆଫଗାନୀ ଅନାହାର ଯୋଗୁଁ ଦେଶାନ୍ତର ହେବାକୁ ବାଧ୍ୟ ହେବେ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି । ୟେମେନ୍, ସିରିଆ ଏବଂ କଙ୍ଗୋର ଖାଦ୍ୟ ଅଭାବ ସ୍ଥିତି ଠାରୁ ଆଫଗାନ୍ର ସଂକଟ ଅଧିକ ଗୁରୁତର ରହିଛି ବୋଲି ଜାତିସଂଘ କହିଛି ।

Comments are closed.