୨ରେ ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ !

45

ସମ୍ବଲପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବ୍ଲକଗୁଡ଼ିକରେ ଶିଳାନ୍ୟାସ ଓ ଉଦ୍ଘାଟନ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଚୂଡ଼ାନ୍ତ ତାଲିକା ମଗାଯାଇଥିବା ଜଣାପଡ଼ିଛି । ତେବେ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଏବେ ବିଜେପି ଓ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନଭେମ୍ବର ୨ତାରିଖରେ ପ୍ରସ୍ତାବିତ ଗସ୍ତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ନଭେମ୍ବର ୨ତାରିଖରେ ସମ୍ବଲପୁର ଗସ୍ତରେ ଯାଇ ଜିଲ୍ଲାରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାୟ ୭୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯେଉଁଥିପାଇଁ ଜିଲ୍ଲାର ସମସ୍ତ ୯ବ୍ଲକ ଓ ୨ଟି ଏନ୍ଏଏସି ଏବଂ ଗୋଟିଏ ମହାନଗର ନିଗମ ଅଞ୍ଚଳରେ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ମନ୍ତ୍ରୀଙ୍କ ସମେତ ଦଳର ପ୍ରାୟ ୨୫ରୁ ଅଧିକ ନେତା ଏହିସବୁ ବ୍ଲକ୍ ଓ ପୌରାଞ୍ଚଳରେ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବାଣ୍ଟିବେ । ଏହି ନେତାମାନଙ୍କୁ ୧ତାରିଖ ସନ୍ଧ୍ୟା ସୁଦ୍ଧା ଆବଣ୍ଟିତ ବ୍ଲକ ଓ ପୌରାଞ୍ଚଳରେ ପହଞ୍ଚିବାକୁ ନିର୍ଦ୍ଦେଶ ମିଳିଛି ।

ସୂଚନାଯୋଗ୍ୟ, ମମିତା ମେହେର ମାମଲାକୁ ନେଇ ରାଜ୍ୟବ୍ୟାପୀ ବିରୋଧୀ ଦଳ ବିକ୍ଷୋଭ ଓ ପ୍ରତିବାଦ କରୁଥିବାବେଳେ ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଆଶଙ୍କା ମଧ୍ୟ ରହିଛି । ତେବେ କରୋନା କଟକଣା ମଧ୍ୟରେ ବି ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ପାଇଁ ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି, ପୁରୀ ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିବା ବେଳେ ଭର୍ଚୁଆଲ ମୋଡରେ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

Comments are closed.