ପ୍ଲାଟୋ ସ୍ଥିତିରେ କରୋନା: ବଢ଼ୁଛି ଚିନ୍ତା

74

-ହଲ୍-ମଲ୍-ହାଟବଜାରରେ ହେବ ଚଢ଼ଉ
-ଶୀତଋତୁରେ ସତର୍କ ରହିବାକୁ ପରାମର୍ଶ
-ଖୋର୍ଦ୍ଧା ଜିଲ୍ଲାରେ କେବଳ ୪୦ ପ୍ରତିଶତ

ଭୁବନେଶ୍ୱର : ପ୍ଲାଟୋ ସ୍ଥିତିରେ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମଣ । କେତେବେଳେ କମୁଛି ତ ଆଉ କେତେବେଳେ ବଢ଼ୁଛି । ତଳମୁହାଁ ହେଉନି ଯାହାକୁ ନେଇ ବିଏମ୍ସିର ଚିନ୍ତା ବଢ଼ିବାରେ ଲାଗିଛି । ସରକାରୀ ତଥ୍ୟ ଅନୁସାରେ ରାଜ୍ୟର ମୋଟ ପଜିଟିଭ୍ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୪୦ ପ୍ରତିଶତ । ଯାହାର ସିଂହଭାଗ ସଂକ୍ରମିତ ହେଉଛନ୍ତି ଭୁବନେଶ୍ୱରରେ । ଗତ ୩ଦିନରେ କରୋନା ଗ୍ରାଫ୍ରୁ ସଂକ୍ରମଣ ଉପରମୁହାଁ ହେଉଥିବା ଜଣାଯାଇଛି । ୨୭ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୧୭୫ ଥିବାବେଳେ ୨୬ରେ ୧୪୯ ଓ ୨୫ ତାରିଖରେ ୧୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମଣ ପ୍ଲାଟୋ ସ୍ଥିତିରେ ରହୁଥିବାରୁ ଆଗକୁ ହଲ୍, ମଲ୍ ଓ ହାଟବଜାରରେ ଚଢ଼ାଉ ଜୋରଦାର କରାଯିବ ବୋଲି ବିଏମ୍ସି କହିଛି ।

ପାର୍ବଣ ସମୟରେ ମଣ୍ଡପ ଓ ପୀଠକୁ ଛାଡ଼ିଦେଲେ ଆଉ ସବୁଠି ଲୋକଙ୍କର ସମାଗମ ହୋଇଥିଲା । ବସ୍ତିରୁ ବଜାର, ମଲରୁ ହଲ୍ ସବୁ ସ୍ଥାନରେ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ । ସାମାଜିକ ଦୂରତା ଫେଲ୍ ମାରିବା ସହିତ ଅଧିକାଂଶ ସ୍ଥାନରେ ଲୋକଙ୍କ ମୁହଁରେ ନଥିଲା ମାସ୍କ । କରୋନା କଟକଣାକୁ ଯେମିତି ଫୁ କରିଦେଇଥିଲେ ସମସ୍ତେ । ସତେ ଯେମିତି ଲାଗୁଥିଲା ଦେଶ ତଥା ରାଜ୍ୟରୁ କରୋନା ଅପସରି ଯାଇଛି । ପୋଲିସ ପ୍ରଶାସନ ସହିତ ବିଏମ୍ସି ମଧ୍ୟ ବେଫିକର ହୋଇପଡ଼ିଥିଲା । କୌଣସି ସ୍ଥାନରେ ଚଢ଼ଉର ନାଁ ଗନ୍ଧ ନଥିଲା । ପାର୍ବଣ ସମୟର ପ୍ରଭାବ ଏବେ ପରିଲକ୍ଷିତ ହେଉଛି ବୋଲି ବିଏମ୍ସି ପକ୍ଷରୁ ସଫେଇ ଦିଆଯାଉଛି । ତେବେ ଆଗକୁ ଶୀତ ଆସୁଥିବାରୁ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୬୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରୁ ୧୧ ଜଣ, ଭଦ୍ରକରୁ ୬ ଜଣ, ବଲାଙ୍ଗୀରରୁ ଜଣେ, କଟକରୁ ୪୬ ଜଣ, ଦେବଗଡ଼ରୁ ୭ ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ୨ ଜଣ, ଗଜପତିରୁ ୨ ଜଣ, ଜଗତସିଂହପୁରରୁ ୧୦ ଜଣ, ଯାଜପୁରରୁ ୧୧ ଜଣ, ଝାରସୁଗୁଡ଼ାରୁ ୧ ଜଣ, କଳାହାଣ୍ଡିରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, ଖୋର୍ଦ୍ଧାରୁ ୧୮୯ ଜଣ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୧୪ ଜଣ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୬ ଜଣ, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ ଷ୍ଟେଟ ପୁଲରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୦ ହଜାର ୨୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ
ଭିତରୁ ୧୦ଲକ୍ଷ ୨୭ ହଜାର ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୪ ହଜାର ୭୪୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ମସ୍କୋରେ ଲକ୍ଡାଉନ :

ଋଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣିଥରେ ଲକ୍ଡାଉନ୍ ଘୋଷଣା କରାଯାଇଛି । ଔଷଧ ଏବଂ କିଛି ଜରୁରି ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୦ହଜାରରୁ ଊଦ୍ଧ୍ୱର୍ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୧୫୯ଜଣଙ୍କ ଜୀବନ ଯାଇଛି । ସ୍କୁଲ, କଲେଜ, ମଲ ଓ ରେଷ୍ଟୁରାଣ୍ଟ ସମେତ ଦୋକାନବଜାର ବନ୍ଦ ରହିଛି । ଋଷରେ ଟିକା ନେବାକୁ ଲୋକେ ଆଗ୍ରହ ପ୍ରକାଶ କରୁନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ୁଥିବା ଜଣାଯାଇଛି ।

ମହାରାଷ୍ଟ୍ର ସମେତ ୬ ରାଜ୍ୟରେ ନୂଆ ଭାରିଏଣ୍ଟ :

ବିଶ୍ୱର କିଛି ଦେଶରେ କରୋନା ଭାଇରସ ଯୋଗୁଁ ସ୍ଥିତି ଏବେ ବି ଖରାପ ରହିଛି । ବର୍ତ୍ତମାନ ଭାରତରେ କରୋନା ଭାଇରସର ତୃତୀୟ ଲହର ଆଶଙ୍କା ପ୍ରକାଶ ପାଇଛି । କାରଣ ଭାରତର ୬ ରାଜ୍ୟରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଏ.ୱାଇ.୪.୨ ପହଞ୍ଚି ସାରିଛି । ଏଥିରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, କେରଳ, ଜାମ୍ମୁ କାଶ୍ମୀର ଓ ତେଲେଙ୍ଗାନା ସାମିଲ ଅଛି । ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଏହି ନୂଆ ଭାରିଏଣ୍ଟର ଯାଞ୍ଚ ଚାଲିଛି । ଏହି ନୂଆ ଭାରିଏଣ୍ଟ କରୋନା ଭାଇରସର ଡେଲଟା ପ୍ଲସ ଭାରିଏଣ୍ଟର ସମୂହ ବୋଲି ବିଶେଷଜ୍ଞ କହିଛନ୍ତି । ମହାରାଷ୍ଟ୍ରରେ କରୋନା ମାମଲାରେ ଲଗାତାର ଦ୍ୱିତୀୟ ଦିନ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ୧୪୮୨ ନୂଆ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ୩୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାର ୧୫୬ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ୭୩୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୮୯ ମାମଲା ରହିଛି । ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ପ୍ରାୟ ୧୧ କୋଟି ଜନତା ଧାର୍ଯ୍ୟ ତାରିଖ ଯିବା ପରେ ବି କରୋନା ଭ୍ୟାକସିନର ଦ୍ୱିତୀୟ ଡୋଜ ନେଇନାହାନ୍ତି । ଭ୍ୟାକ୍ସିନ ଡାଟା ଅନୁଯାୟୀ, ୩.୯୨ କୋଟିରୁ ଅଧିକ ଲୋକ ଦ୍ୱିତୀୟ ଡୋଜର ଧାର୍ଯ୍ୟ ତାରିଖର ୬ ସପ୍ତାହ ପରେ ବି ଭ୍ୟାକସିନ ନେଇନାହାନ୍ତି । ୧.୫୭ କୋଟି ଲୋକ ୪ରୁ ୬ ସପ୍ତାହ ବିଳମ୍ବରେ ଅଛନ୍ତି । ୧.୫୦ କୋଟି ଲୋକ ଦୁଇରୁ ଚାରି ସପ୍ତାହ ପରେ ବି ଭ୍ୟାକସିନ ନେଇନାହାନ୍ତି ।

Comments are closed.