ବ୍ୟାନ୍ ସତ୍ତେ୍ୱ ବାଣ ବିକ୍ରି ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ : ଉତ୍ସବ ପାଇଁ ଲୋକଙ୍କ ଜୀବନ ସହ ଖେଳିହେବନି

63

ନୂଆଦିଲ୍ଲୀ : ବାଣ ନିଷିଦ୍ଧ ନିଷ୍ପତ୍ତି କୌଣସି ସମ୍ପ୍ରଦାୟ ବିରୋଧୀ ନୁହଁ । ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏକଥା କହିଛନ୍ତି । ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟକୁ ଟାର୍ଗେଟ କରି ବାଣକୁ ନିଷିଦ୍ଧ କରାଯାଉଛି ବୋଲି କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଉପଭୋଗ ନାମରେ ନାଗରିକ ଅଧିକାରକୁ ଉଲ୍ଲଂଘନ କରିହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ୍ ଏମ୍ ଆର ଶାହା ଏବଂ ଏଏସ୍ ବୋପାନ୍ନାଙ୍କ ଅଧ୍ୟକ୍ଷତାରେ ଶୁଣାଣି କରି ଏହି ରାୟ ଦିଆଯାଇଛି । କେତେ ଲୋକଙ୍କ ମଜା ମଉଜ ପାଇଁ ତୁମେ ନାଗରିକଙ୍କ ଜୀବନ ସହ ଖେଳ ଖେଳିପାରିବ ନାହିଁ । ଆମେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧୀ ନୁହଁ । ଆମେ ଦୃଢତାର ସହ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ, ନାଗରିକମାନଙ୍କ ମୌଳିକ ଅଧିକାର ସୁରକ୍ଷା ପାଇଁ ଆମେ ଏଠାରେ ଅଛୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ପୂର୍ବରୁ ସୁପ୍ରିମକୋର୍ଟ ବାଣକୁ ନିଷିଦ୍ଧ କରିଥିଲେ । କିନ୍ତୁ ସବୁ ପ୍ରକାର ବାଣ ଉପରେ ରୋକ୍ ଲଗାଯାଇ ନଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ସବୁ ପ୍ରକାର ବାଣକୁ ନିଷିଦ୍ଧ କରିନାହୁଁ । ପ୍ରଦୂଷଣ ଦ୍ୱାରା ଦିଲ୍ଲୀ ଲୋକେ କେମିତି ଯନ୍ତ୍ରଣା ଭୋଗୁଛନ୍ତି ତାହା ସମସ୍ତେ ଜାଣନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ପରିପ୍ରେକ୍ଷୀରେ ବାଣ ତିଆରି କରୁଥିବା ୬ଟି କାରଖାନାକୁ ସୁପ୍ରିମକୋର୍ଟ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ ବାଣ ନିଷିଦ୍ଧାଦେଶ ଜାରି କରି କେବଳ ଲାଇସେନ୍ସପ୍ରାପ୍ତ ବାଣ ନିର୍ମାଣକାରୀ ସଂସ୍ଥା ବିକ୍ରି କରିପାରିବେ ବୋଲି କହିଥିଲେ । ତେବେ ସର୍ତ୍ତ ଅନୁଯାୟୀ, ସେମାନେ କେବଳ ସବୁଜ ବାଣ ବିକ୍ରି କରିପାରିବେ ବୋଲି କୁହାଯାଇଥିଲା । ସେହିପରି ଅନଲାଇନ୍ରେ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିଲା । ବାଣ ଯୋଗୁ ପ୍ରଦୂଷଣ ବଢ଼ୁଥିବାରୁ ଏକ ଆବେଦନ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ରୋକ ଲଗାଇଥିଲେ ।

Comments are closed.