ପଞ୍ଚାୟତ ନିର୍ବାଚନ: ଇଭିଏମ୍ ବଦଳରେ ବାଲାଟ ପେପରରେ ଭୋଟ୍

71

-ଏଥର ତିନିଦିନ ଗଣତି

ଭୁବନେଶ୍ୱର : ଆସନ୍ତାବର୍ଷ ଫେବୃଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଇଭିଏମ୍ ମେସିନ୍ ବଦଳରେ ବାଲାଟ ପେପରରେ ହେବ । ଏହାସହିତ ଭୋଟଗଣତି କ୍ରମାଗତ ୩ଦିନ ଧରି ଚାଲିବ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରାଯିବା ସହ ଆସନ୍ତା ୬ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି । ପ୍ରଥମଥର ପାଇଁ ବ୍ଲକସ୍ତରରେ ଭୋଟଗଣତି ହେବାର ଥିବାରୁ ନଭେମ୍ବର ୧୫ତାରିଖ ସୁଦ୍ଧା ଭୋଟଗଣତି
କେନ୍ଦ୍ରଗୁଡ଼ିକର ତାଲିକା ପଠାଇବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଞ୍ଚାୟତ ନିର୍ବାଚନ ପରିଚାଳନା ଓ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ୧୮ ପୃଷ୍ଠାର ଗାଇଡଲାଇନ୍ ଜାରି କରାଯାଇଛି । ଏଥିରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗଣତି କେନ୍ଦ୍ରଠୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ(ବାଲାଟ ବାକ୍ସ ରହିବା ସ୍ଥାନ), ଭୋଟ ଗଣତି ସ୍ଥାନ, ସମୟ, ଗଣନା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି, ଗଣନା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି, କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପ୍ରାର୍ଥୀଙ୍କ ଏଜେଣ୍ଟ ନିଯୁକ୍ତି, ଗଣତି ଆରମ୍ଭ, ଗଣନା ସମୟରେ ସୁରକ୍ଷା ବ୍ୟବସ୍ଥା, ଗଣନା କେନ୍ଦ୍ରକୁ ଅନୁମତି,ବାଲାଟ ବାକ୍ସ ପରିବହନ, ଭୋଟ ଗଣତି, ଗଣତି ଟେବୁଲ, ପୁନଃଗଣତି, ବାଲାଟ ପେପରକୁ ସିଲ୍ ଆଦି ପ୍ରସଙ୍ଗରେ ଗାଇଡଲାଇନ୍ ଜାରି କରାଯାଇଛି ।

ଗାଇଡ଼ଲାଇନ୍ ଅନୁସାରେ, ୨୦୧୭ ମସିହା ଭଳି ଆଗାମୀ ପଞ୍ଚାୟତ ନିର୍ବାଚନରେ ବାଲାଟ ପେପରରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ । ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଇଭିଏମ୍ ମେସିନ୍ ରେ ମତଦାନ ହେଉଥିବାବେଳେ ପଞ୍ଚାୟତ ନିର୍ବାଚନରେ ବାଲାଟ ପେପରରେ ନିର୍ବାଚନ କରାଇବାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ପ୍ରଥମଥର ପାଇଁ ବ୍ଲକରେ ଭୋଟଗଣତି ହେଉଥିବାରୁ ସୁରକ୍ଷା ଓ ଭୋଟଗଣତି କେନ୍ଦ୍ର ଚୟନ କାର୍ଯ୍ୟକୁ କଡ଼ାକଡ଼ି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଭୋଟଗଣତି କେନ୍ଦ୍ର ମୁଖ୍ୟତଃ ବ୍ଲକ ମୁଖ୍ୟାଳୟରେ ହେବା ଉଚିତ୍ । ଯଦି ବ୍ଲକ କାର୍ଯ୍ୟାଳୟରେ ସେଭଳି ଘରର ବ୍ୟବସ୍ଥା ନଥିବ ତା’ହେଲେ ବ୍ଲକ ମୁଖ୍ୟାଳୟରେ ଥିବା ହାଇସ୍କୁଲ କିମ୍ବା କଲେଜରେ ଭୋଟଗଣନା କେନ୍ଦ୍ରର ବ୍ୟବସ୍ଥା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । କୌଣସି ପରିସ୍ଥିତିରେ ବି ଅସ୍ଥାୟୀ ଗୃହରେ ଭୋଟଗଣତି ହୋଇପାରିବ ନାହିଁ । ଭୋଟଗଣତି କେନ୍ଦ୍ରର ସାଇଜ୍ ଅତିକମ୍ ରେ (୩୫ଫୁଟ୍ ଓ ୨୦ଫୁଟ୍) ହେବା ଜରୁରି । ଯଦି କୌଣସି ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନରୁ ଅଧିକ ଜୋନ୍ ଥିବ ତା’ହେଲେ ସେଠାରେ ୨ଟି ଏଭଳି ହଲ୍ ଗଣନା ପାଇଁ ଆବଶ୍ୟକ ପଡ଼ିବ । ଭୋଟଗଣତି କେନ୍ଦ୍ରର ୧୦୦ମିଟର ପରିସର ଭିତରକୁ ମୋଟରଯାନ ପ୍ରବେଶ ନିଷେଧ ।

ଭୋଟ ଗଣତି କେନ୍ଦ୍ରକୁ ପ୍ରାର୍ଥୀ, ଏଜେଣ୍ଟ ଓ ଗଣନାକାରୀ କର୍ମ·ରୀମାନେ ନିଜର ଫୋନ୍ ଅବା କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ନେଇ ପାରିବେ ନାହିଁ । ଭୋଟଦାନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟ ଗଣତି କାର୍ଯ୍ୟରେ ସାମିଲ କରାଯିବ ନାହିଁ । କମିଶନ ତାଙ୍କ ଗାଇଡଲାଇନରେ ଦର୍ଶାଇଛନ୍ତି ଯେ, ଜିଲ୍ଲା ପରିଷଦ ଜୋନୱାରି ଗଣନା ବ୍ଲକରେ କରାଯିବ । ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଥିବା ସମସ୍ତ ପଞ୍ଚାୟତର ଗଣନା କ୍ରମାନ୍ୱୟନରେ ହେବ । ପ୍ରଥମ ଦିନ ବ୍ଲକର ପ୍ରଥମ ଜିଲ୍ଲା ପରିଷଦ ଜୋନର ଗଣନା ହେବ । ଦ୍ୱିତୀୟ ଦିନ ଦ୍ୱିତୀୟ ଜିଲ୍ଲା ପରିଷଦ ଓ ତୃତୀୟ ଦିନରେ ୩ ଓ ୪ନମ୍ବର ଜୋନ ଗଣନା ହେବ । ଗୋଟିଏ ଜୋନରେ ଥିବା ସମସ୍ତ ପଞ୍ଚାୟତର ଭୋଟ୍ ଗଣନା ପାଇଁ ଗୋଟିଏ ଲେଖାଏଁ ଟେବୁଲ ପଡ଼ିବ । କେଉଁ ଟେବୁଲରେ କେଉଁ କର୍ମଚାରୀ ବସି ଗଣନା କରିବେ ତାହା ଲଟେରୀ ମାଧ୍ୟମରେ ନିର୍ବାଚନ ଅଧିକାରୀ ନିର୍ଦ୍ଧାରଣ କରିବେ । ଗୋଟିଏ ଟେବୁଲରେ ଗଣନା ନିମନ୍ତେ ଜଣେ ସୁପରଭାଇଜର,୨ଜଣ ଗଣନା କର୍ମଚାରୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିୟୋଜିତ ରହିବେ ।

Comments are closed.