ଜଳବାୟୁ ବିଜ୍ଞାନୀଙ୍କ ଚେତାବନୀ : ଭାରତରେ ଗ୍ରୀଷ୍ମପ୍ରବାହ ୨୫ ଗୁଣ ଅଧିକ ହେବ

62

ନୂଆଦିଲ୍ଲୀ : ଯଦି “କାର୍ବନ୍’ ନିର୍ଗମନ ଉଚ୍ଚ ରହେ ଏବଂ ଏ ଶତାବ୍ଦୀ ଶେଷ ସୁଦ୍ଧା ବୈଶ୍ୱିକ ତାପମାତ୍ରା ୪ ଡିଗ୍ରି ସେଲିସିୟସ୍ ବୃଦ୍ଧି ପାଏ ତେବେ ୨୦୩୬ରୁ ୨୦୬୫ ସୁଦ୍ଧା ଭାରତରେ ଗ୍ରୀଷ୍ମ ପ୍ରବାହ ୨୫ ଗୁଣ ଅଧିକ ସମୟ ରହିବାର ସମ୍ଭାବନା ଥିବା କଥା ଏକ ଆନ୍ତର୍ଜାତିକ ଜଳବାୟୁ ରିପୋର୍ଟରୁ ଜଣାପଡ଼ିଛି । ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବରୁ ତାପମାତ୍ରା ବୃଦ୍ଧି ଘଟୁଛି ବୋଲି ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ “ଜି-୨୦’ ସଦସ୍ୟ ରାଷ୍ଟ୍ର ଉପରେ ବିଧ୍ୱସ୍ତକାରୀ ପ୍ରଭାବ ପକାଇବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି । “ୟୁରୋ-ମେଡିଟେରିୟାନ୍ ସେଣ୍ଟର୍ ଅନ୍ କ୍ଲାଇମେଟ୍ ଚେଞ୍ଚ୍’ର ୪୦ରୁ ଊଦ୍ଧ୍ୱର୍ ବୈଜ୍ଞାନିକ ଜଳବାୟୁ ଉପରେ ଗବେଷଣା କରି ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି । ଉପରୋକ୍ତ ସଂସ୍ଥାଟି ହେଉଛି “ଇଣ୍ଟର୍ଗଭର୍ଣ୍ଣମେଣ୍ଟାଲ୍ ପାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଚ୍’ ଅଧୀନରେ କାମ କରୁଥିବା ଇଟାଲିର ଏକ ଗବେଷଣା ସଂସ୍ଥାନ ।

ଏହି ରିପୋର୍ଟରେ ସତର୍କ କରାଇ ଦିଆଯାଇଛି ଯେ, “ଜି-୨୦’ ରାଷ୍ଟ୍ର ସମୂହ ଉପରେ ଜଳବାୟୁର ପ୍ରଭାବ ଅନୁଭୂତ ହେଲାଣି । ଗତ ୨୦ ବର୍ଷରୁ ଊଦ୍ଧ୍ୱର୍ ସମୟ ମଧ୍ୟରେ “ଜି-୨୦ ରାଷ୍ଟ୍ର ସମୂହରେ ଅଂଶୁଘାତଜନିତ ମୃତ୍ୟୁ ୧୫% ବୃଦ୍ଧି ପାଇବା ସହ ବନାଗ୍ନି ଯୋଗୁଁ କାନାଡା ଭଳି ଆକୃତିର ଦେଶର ଅର୍ଦ୍ଧେକ ଅଞ୍ଚଳ ଜଙ୍ଗଲ ପୋଡ଼ି ଛାରଖାର ହୋଇଗଲାଣି । ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ମଧୁରଜଳ ହ୍ରାସ ପାଇବା ସହ ଉପରୋକ୍ତ ଦେଶମାନଙ୍କରେ ଡେଙ୍ଗୁଜନିତ ମୃତ୍ୟୁ ବୃଦ୍ଧି ପାଇଛି । “ସବୁଜ ଗୃହ ବାଷ୍ପ’ ଗ୍ରିନ୍ ହାଉସ୍ ଗ୍ୟାସ ନିର୍ଗମନ ମାତ୍ରା ହ୍ରାସ ନ ପାଇଲେ ୩୦ ବର୍ଷ ମଧ୍ୟରେ ବିଶ୍ୱର ସବୁଠୁ ସମୃଦ୍ଧ ଅର୍ଥନୀତିଗୁଡ଼ିକ ଉପରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଜନିତ କୁପ୍ରଭାବ ପଡ଼ିବ । ଏଥିଯୋଗୁଁ ପ୍ରଭାବିତ ହେବାକୁ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଉପରେ ସବୁଠୁ ଅଧିକ କୁପ୍ରଭାବ ପଡ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଜଳବାୟୁ ବୈଜ୍ଞାନିକ ଅଞ୍ଜଲ୍ ପ୍ରକାଶ କହନ୍ତି, ଭାରତରେ କେତେଗୁଡ଼ିଏ ଜଳବାୟୁଭିତ୍ତିକ “ହଟସ୍ପଟ୍’ ରହିଛି । ପ୍ରାୟ ୭,୫୦୦ କିଲୋମିଟର୍ ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳରୁ ଆରମ୍ଭ କରି ହିମାଳୟ ପର୍ଯ୍ୟନ୍ତ ବ୍ୟାପ୍ତ ଉତ୍ତର ଏବଂ ପୂର୍ବାଞ୍ଚଳ ଭାରତର ଅନେକ ରାଜ୍ୟ ୫୪% ଶୁଷ୍କ ଅଞ୍ଚଳ ଗ୍ରୀଷ୍ମ ପ୍ରବାହର ଶିକାର ହୁଏ । ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଭାରତ ଉପରେ ଗ୍ରୀଷ୍ମ ପ୍ରବାହର କୁପ୍ରଭାବ ପଡ଼ିବା ସହ ପରିସ୍ଥିତି ଆହୁରି ବିଗିଡ଼ି ଯିବାର ଆଶଙ୍କା ରହିଛି । ଫଳତଃ ୨୦୩୬ ରୁ ୨୦୬୫ ମଧ୍ୟରେ ଭାରତରେ ଗ୍ରୀଷ୍ମ ପ୍ରବାହ ୨୫ ଗୁଣ ଦୀର୍ଘତର ହେବ । ମାତ୍ରାଧିକ ଉତ୍ତାପ ଯୋଗୁଁ ୨୦୫୦ ବେଳକୁ ଶ୍ରମିକମାନଙ୍କର ଜୀବିକାକୁ ମଧ୍ୟ ପ୍ରଭାବିତ କରିବ । କୃଷି ପାଇଁ ୨୯% ଅଧିକ ଜଳ ଆବଶ୍ୟକ ପଡ଼ିବ ଏବଂ ୨୦୩୬ରୁ ୨୦୬୫ ମଧ୍ୟରେ ବହୁବାର ମରୁଡ଼ି ଦେଖାଦେବ । ମାଛମରା ମଧ୍ୟ ୮.୮% ହ୍ରାସ ପାଇବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ।

Comments are closed.