ଦରବୃଦ୍ଧି: ଆଜିଠୁ ରାସ୍ତାକୁ ଓହ୍ଲାଇବ ବିଜେଡି

98

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତାଦଳ ଯୁଦ୍ଧଂ ଦେହି ଡାକରା ଦେଇଛି । ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ । ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତିନି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦରଦାମ୍ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି ।

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ । ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି । ୧୫.୪ କିଲୋ ଓଜନର ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି । ଏଲପିଜି ଦର ଶେଷ ଥର ପାଇଁ ୨୦୨୧ ଅକ୍ଟୋବର ୬ତାରିଖରେ ୧୪.୨ କିଲୋ ସିଲିଣ୍ଡର ପିଛା ୧୫ଟଙ୍କା ବୃଦ୍ଧି ପାଇଥିଲା । ଯାହାକି ୨୦୨୧ ଜୁଲାଇରୁ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି ପାଇଥିଲା । ଏଲପିଜି ରନ୍ଧନ୍ ଗ୍ୟାସ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ । ଯାହାକି ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେବ । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି । ତେବେ ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ଟଙ୍କା ରହିଥିଲା ।

ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ । କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ଯାହାକି ରାଜ୍ୟର ମା’ଓ ଭଉଣୀମାନଙ୍କୁ ଅଧିକ ବ୍ୟଥା ଓ ଯନ୍ତ୍ରଣା ଦେଇଛି । ତୈଳ ଓ ଇନ୍ଧନ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ହୋଇଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦%ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି । ରନ୍ଧନ ଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି । ଆଉ ସବୁଠାରୁ ଉଦ୍ବେଗର କଥା ହେଲା ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରି·ଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି । କେନ୍ଦ୍ରରେ ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା’ ଭଉଣୀଙ୍କ ସମେତ ଓଡିଶାର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି । ବିଶେଷକରି ମା’ ଓ ଭଉଣୀଙ୍କ ହାଣ୍ଡିଶାଳ ଉପରେ ମହଙ୍ଗାମାଡ ଅନୁଭୂତ ହେଉଛି । ଆସନ୍ତା ୩୧ ତାରିଖରେ ବିଜୁ ମହିଳା ଜନତାଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ । କେନ୍ଦ୍ରର ବିଜେପି ସରକାର ଦ୍ୱାରା ପେଟ୍ରୋଲ, ଡିଜେଲ, ଏଲ୍ପିଜି, ଖାଇବା ତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ । ସେହିପରି ଆସନ୍ତା ନଭେମ୍ବର ୧ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତାଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.