ଆମେରିକା ବି ପଛାଇଲା : ରହସ୍ୟରେ ରହିଯିବ କରୋନା ଉତ୍ପତ୍ତି

59

ଓ୍ୱ।ସିଂଟନ୍ :କୋଭିଡ୍-୧୯ର ଉତ୍ପତ୍ତି ଚିହ୍ନଟ କରିବାରେ ଅସମର୍ଥ ହୋଇପାରନ୍ତି ଆମେରିକାର ଗୁଇନ୍ଦା ଏଜେନ୍ସି । ଏ ନେଇ ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ଏଜେନ୍ସିମାନେ ଏକ ସମୀକ୍ଷାମୂଳକ ରିପୋର୍ଟ ପ୍ରକାଶ କରିଛନ୍ତି । ଏଥିରେ କରୋନାଭାଇରସ୍ ପ୍ରାଣୀ ନିକଟରୁ ମନୁଷ୍ୟକୁ ବ୍ୟାପିଛି କିମ୍ବା ପରୀକ୍ଷାଗାରରୁ “ଲିକ୍’ ହୋଇଛି ତାହା ଜାଣିବା ସମ୍ଭବ ହୋଇ ନପାରେ ବୋଲି ତଥ୍ୟ ଦିଆଯାଇଛି । କୋଭିଡ୍-୧୯ର ଉତ୍ପତ୍ତି ନେଇ ସେମାନେ ବିଭିତ୍ତ ପ୍ରକାରର ସମୀକ୍ଷା କରିଥିଲେ । “ୟୁଏସ୍ ଡାଇରେକ୍ଟର ଅଫ୍ ନ୍ୟାସ୍ନାଲ୍ ଇଣ୍ଟେଲିଜେନ୍ସ୍’ କାର୍ଯ୍ୟାଳୟ ଉନ୍ମୃକ୍ତ କରାଯାଇଥିବା ଏକ ଗୋପନୀୟ ରିପୋର୍ଟରେ କହିଛି ଯେ, ଏହି ଭୂତାଣୁ ଉଭୟ ପ୍ରାକୃତିକ ଉତ୍ସ ଏବଂ ପରୀକ୍ଷାଗାରରୁ “ଲିକ୍’ ହୋଇ ବ୍ୟାପିଥାଇ ପାରେ । କିନ୍ତୁ, ଏହା ବାସ୍ତବରେ କେଉଁ ଉତ୍ସରୁ ବ୍ୟାପିଛି, ସେ ବିଷୟରେ ଅନୁଶୀଳନକାରୀମାନେ ଏକମତ ହୋଇ ପାରୁ ନାହାନ୍ତି ।

କରୋନା ଭାଇରସ୍କୁ ଗୋଟାଏ “ଜୈବାସ୍ତ୍ର’ ଭାବେ ସୃଷ୍ଟି କରାଯାଇଥିବା କଥାକୁ ମଧ୍ୟ ଉକ୍ତ ରିପୋର୍ଟରେ ଅଗ୍ରାହ୍ୟ କରାଯାଇଛି । ଶୁକ୍ରବାର ଦିନ ଜାରି ହୋଇଥିବା ଏହି ସଦ୍ୟତମ ସମୀକ୍ଷା ରିପୋର୍ଟ ହେଉଛି ଅଗଷ୍ଟ ମାସରେ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶାସନ ରିଲିଜ୍ କରିଥିବା ସମୀକ୍ଷା ରିପୋର୍ଟର ଉତ୍ତୀତ ସଂସ୍କରଣ । ଯୁକ୍ତରାଷ୍ଟ୍ର ଗୁଇନ୍ଦା ଏଜେନ୍ସିଙ୍କର ମନେ ହେଉଛି ଯେ, କୋଭିଡ୍-୧୯ର ଉତ୍ପତ୍ତି ସଂକ୍ରାନ୍ତରେ ସେମାନେ ସୁନିଦ୍ଦିଷ୍ଟ ଭାବେ କୌଣସି କୈଫିୟତ୍ ଦେବାରେ ସମର୍ଥ ହେବାର ସମ୍ଭାବନା ନାହିଁ । କାରଣ, ଉକ୍ତ ଭୂତାଣୁ କି, କେଉଁ ଉପାୟରେ ପ୍ରାଣୀ ଶରୀରରୁ କିମ୍ବା ପରୀକ୍ଷାଗାରରୁ ମନୁଷ୍ୟ ଶରୀରକୁ ସଂକ୍ରମିତ ହେଲା ତା’ର ଆଉ କୌଣସି ନୂତନ ସୂଚନା ମିଳୁନାହିଁ । ସୂଚନାଯୋଗ୍ୟ, କୋଭିଡ୍- ୧୯ ଉତ୍ପତ୍ତି ସମ୍ବନ୍ଧୀୟ ତଦନ୍ତରେ ପୂର୍ଣ୍ଣମାତ୍ରାରେ ସହଯୋଗ କରୁ ନ ଥିବାରୁ ଚୀନ୍ ଆନ୍ତର୍ଜାତିକ ସମାଲୋଚନାର ସରବ୍ୟ ହେଉଛି । କିନ୍ତୁ, ୱାସିଂଟନ୍ରେ ଥିବା ଚୀନା ଦୂତାବାସ ଏବିଷୟରେ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ ।

Comments are closed.