ଟିକା ନେଇନଥିବା ଲୋକଙ୍କୁ ଖୋଜିବେ ସ୍ୱାସ୍ଥ୍ୟକର୍ମୀ

64

ଭୁବନେଶ୍ୱର : ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟ କର୍ମୀ । ଆଜିଠୁ ଘର ଘର ବୁଲି ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀ ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ । ପ୍ରଥମ ଡୋଜ୍ ନେବା ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲିଯାଉଛନ୍ତି । ଦେଶରେ ୧୧କୋଟି ଓ ରାଜ୍ୟରେ ୨୪ଲକ୍ଷ ଲୋକ କରୋନାର ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ତୁରନ୍ତ ଏହି ଲୋକମାନଙ୍କର ତାଲିକା ପ୍ରସ୍ତୁତ କରି ଦ୍ୱିତୀୟ ଡୋଜ୍ ଟିକା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନଭେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଛି । ରାଜ୍ୟରେ ଦୈନିକ ୪ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ ରଖାଯାଇଛି । ସେହି ଅନୁସାରେ ୧୬ଶହରୁ ଅଧିକ ଟିକାକରଣ କେନ୍ଦ୍ର କରାଯାଇଛି । ସେପଟେ ରାଜ୍ୟରେ ଏବେ କରୋନା ସ୍ଥିତି ଭଲ ଅଛି । ହେଲେ ପଡ଼ୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ । ଦ୍ୱିତୀୟ ଲହର ପଡ଼ୋଶୀ ରାଜ୍ୟରୁ ହିଁ ଆସିଥିଲା । ବିଶେଷ ଭାବରେ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ରହିବାକୁ ପଡ଼ିବ । ସେଠାରେ ସର୍ଭେଲାନ୍ସ ମଧ୍ୟ କଡ଼ାକଡ଼ି କରାଯିବ । ରାଜ୍ୟରେ ଏବେ ଟେଷ୍ଟ, ସର୍ଭେଲାନ୍ସ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଦୀପାବଳି ପାଇଁ ସ୍ୱତନ୍ତ୍ର ଭାବରେ ଗାଇଡଲାଇନ ଆସିବ ।

ଅନ୍ୟପକ୍ଷରେ ଋଷରେ ବେଲଗାମ୍ ହୋଇଛି କରୋନା ଭାଇରସ । ଯାହାଫଳରେ ଋଷର ରାଜଧାନୀ ମସ୍କୋରେ ୧୧ ଦିନ ପାଇଁ ଲକ୍ଡାଉନ ଘୋଷଣା କରାଯାଇଛି । ଦେଶର ଅଧିକାଂଶ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଜାରି ହୋଇଛି ଲକ୍ଡାଉନ୍ । ସମସ୍ତ ଦୋକାନବଜାର, ରେଷ୍ଟୁରାଣ୍ଟ ଓ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । କେବଳ କିଛି ସୁପରମାର୍କେଟ ଓ ଫାର୍ମାସୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ପ୍ରତିଷ୍ଠାନ ବନ୍ଦ ରହିଛି । ଫୁଡ୍ ଆଉଟ୍ଲେଟ୍କୁ କଟକଣା ଭିତ୍ତିରେ ଖୋଲାଯାଇଛି । ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧୫୯ ହେବା ପରେ ଏହି କଟକଣା ଲାଗୁ ହୋଇଛି । ଋଷରେ ୪୦ ହଜାରରୁ ଅଧିକ ସଂକ୍ରମିତ ଠାବ ହେବାରୁ କଟକଣାକୁ ଜୋରଦାର କରାଯାଇଛି । ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨ଲକ୍ଷ ୩୦ହଜାର ପାର୍ ହୋଇଥିବାରୁ ଆତଙ୍କ ପ୍ରକାଶ ପାଇଛି । ତେବେ ଏହି ମୃତ୍ୟୁସଂଖ୍ୟା ବାସ୍ତବରେ ୪ ଲକ୍ଷରୁ ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଇଛି ।

Comments are closed.