ଫୁଟିବ ସବୁଜ ବାଣ: ରାତି ୮ରୁ ୧୦ ଯାଏ ଅନୁମତି

51

ଭୁବନେଶ୍ୱର : ଆସନ୍ତା ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର । ନୂଆ ନିୟମ ଅନୁସାରେ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି । ବାଣ ଫୁଟାକୁ ନେଇ ଗତ ଅକ୍ଟୋବର ୩୦ରେ ସୁପ୍ରିମକୋର୍ଟ ଓ ଆଜି ଓଡ଼ିଶା ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାର ଏହି ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି । ଆଜି ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରି କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେସୋ) ଅନୁମତିପ୍ରାପ୍ତ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଦୀପାବଳି ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ମିଳିଛି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେସୋ) ଅନୁମୋଦିତ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦିଆଯାଇଛି । ଅନ୍ୟପ୍ରକାରର ବାଣର ବିକ୍ରି ଓ ଫୁଟାଇବାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । କେବଳ ପେସୋ ଦ୍ୱାରା ପ୍ରମାଣପତ୍ର ପାଇଥିବା ଡିଲର ହିଁ ବାଣ ବିକ୍ରି କରିପାରିବେ । ଭାରତୀୟ ବିସ୍ଫୋରକ ଆଇନ ଅଧିନରେ ଉପଯୁକ୍ତ ଅଧିକାରୀଙ୍କଠାରୁ ଅନୁମତିପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ହିଁ ବାଣ ଦୋକାନ ଖୋଲିପାରିବେ । ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ହିଁ ବାଣ ଦୋକାନ ଖୋଲାଯାଇପାରିବ । ସେଠାରେ କୋଭିଡ୍ କଟକଣା ପାଳନ କରାଯିବ ।

ସେହିପରି ସବୁଜ ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ହାଇକୋର୍ଟ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଉଚ୍ଚନ୍ୟାୟାଳୟ ଅନୁମତି ଦେଇଛନ୍ତି । ପିଇଏସ୍ଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ଅନୁମତି ମିଳିଛି । ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ ଦ୍ୱାରା ଅନୁମତି ପ୍ରାପ୍ତ ବାଣକୁ ବ୍ୟବସାୟୀ ମାନେ ବିକ୍ରି କରିପାରିବେ । ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନ୍ ଅନୁସାରେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇପାରିବ । ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ ବାଣ ଫୁଟାଇବା ନେଇ ଆବେଦନ କରାଯାଇଥିଲା । ପୂର୍ବରୁ ଆବେଦନକାରୀଙ୍କ ସହିତ ଆଲୋଚନା କରି ରିପୋର୍ଟ ଦେବାକୁ ଏସ୍ଆରସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ଶନିବାର ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରି ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲେ ଏସ୍ଆରସି । ଏହି ରିପୋର୍ଟ ଆଧାରରେ ହାଇକୋର୍ଟ ଚୂଡାନ୍ତ ଶୁଣାଣି କରିଛନ୍ତି । ସବୁଜ ବାଣଗୁଡିକ ପରିବେଶ ପାଇଁ ଅନୁକୂଳ ଅଟେ । ଏହି ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷଣ ଅପେକ୍ଷାକୃତ କମ୍ ହୋଇଥାଏ । ଏଥିରେ ପ୍ରଦୂଷଣ ସୃଷ୍ଟି କରୁଥିବା କଞ୍ଚାମାଲ୍ କମ୍ ବ୍ୟବହାର ହୋଇଥାଏ । ସବୁଜ ବାଣରେ ଥିବା କେମିକାଲ୍ କମ୍ପୋଜିସନ୍ ବାଣ ଜଳିବା ପରେ ବି କମ୍ ପାଉଁଶ ସୃଷ୍ଟି କରିଥାଏ । ସବୁଜ ବାଣରେ ଆର୍ସେନିକ୍, ଲିଥିୟମ୍,ବାରିୟମ୍ ଭଳି କ୍ଷତିକାରକ କେମିକାଲ୍ ନଥାଏ । ଯାହା ଫଳରେ ପରିବେଶ ପାଇଁ ଏହା ଅଧିକ କ୍ଷତିକାରକ ନୁହେଁ । ବାଣ ତୁଳନାରେ ସବୁଜ ବାଣରେ ୩୦ ପ୍ରତିଶତ କମ୍ ପ୍ରଦୂଷଣ ହୋଇଥାଏ ।

Comments are closed.