ତୈଳଦର ବୋଝ

74

ଭୁବନେଶ୍ୱର : ଗାଡ଼ି ଧରିଲେ କରେଣ୍ଟ ମାରିବା ଭଳି ଅବସ୍ଥା । ଗତ କିଛିଦିନ ଧରି ଦେଶରେ ତୈଳ ଦର କ୍ରମାଗତ ଭାବେ ବଢ଼ି ଚାଲିଛି । ସୋମବାର ଦିନ ପେଟ୍ରୋଲ ଓ ଡିଜେଲ ଦର ୩୫ପଇସା ଲେଖାଏ ବୃଦ୍ଧି ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୧୦ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ପାଖାପାଖି ୯୯ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଦର ୧୧୫ ଟଙ୍କା ଓ ଡିଜେଲ ଦର ୧୦୭ ଟଙ୍କା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୧ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୧୦୮ ଟଙ୍କା ପ୍ରାୟ ହୋଇଛି । ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ଦର ଖୁବ ଉଚ୍ଚ ରହିଛି । ଏହିଭଳି ଲଗାତାର ତୈଳ ବୃଦ୍ଧି ଯୋଗୁଁ ଛଟପଟ ହେଉଛନ୍ତି ସାଧାରଣ ଖାଉଟ । ଥମୁନି ତେଲ ତାତି । ପ୍ରତିଦିନ ବଢୁଛି ପେଟ୍ରୋଲ ଏବଂ ଡିଜେଲ ଦର । ବର୍ଦ୍ଧିତ ତୈଳ ଦର ଲୋକଙ୍କ ନିଦ ହଜାଇ ଦେଇଛି । ଆଗକୁ ଏହି ଦର କମିବାର ସମ୍ଭାବନା ଖୁବ କମ୍ ବୋଲି କୁହାଯାଉଛି । ଆର୍ଥିକ ସୁରକ୍ଷା ଏବଂ ନିବେଶ ନିବେଶ ପରିଚାଳନା ସଂସ୍ଥା ଓ ବ୍ରୋକରେଜ୍ ହାଉସ୍ ଗୁଡିକ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ, ଆଗାମୀ ଦିନରେ ଭାରତରେ ତୈଳ ଦର ୧୫୦ ଟଙ୍କା ଛୁଇଁବାର ପୂରା ସମ୍ଭାବନା ରହିଛି । ରିପୋର୍ଟ ମୁତାବକ, କେବଳ ଅକ୍ଟୋବର ମାସରେ ଦେଶରେ ତୈଳ ଦର ୮ଟଙ୍କା ମହଙ୍ଗା ହୋଇଛି । ଏହି ମାସରେ ପେଟ୍ରୋଲ ଦର ୨୪ଥର ବଢିଛି । ତୈଳ ଦର ବୃଦ୍ଧି ପଛରେ ସବୁଠାରୁ ବଡ଼ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ।

ଚଳିତ ବର୍ଷ ଆରମ୍ଭରୁ ବିଶ୍ୱ ବଜାରରେ ତେଲ ଦର ବଢ଼ିବାରେ ଲାଗିଛି । କରୋନା ସ୍ଥିତି ହାଲ୍କା ହେବା ସହ ସମଗ୍ର ବିଶ୍ୱରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହେବା ପରେ ଡ଼ିଜେଲ ଓ ପେଟ୍ରୋଲ ଚାହିଦା ବଢ଼ିଛି । ଅଥଚ ପେଟ୍ରୋଲିୟମ ରପ୍ତାନୀ ଦେଶର ସଂଗଠନ ଓପେକ ଯୋଗାଣ ଉପରେ ନିୟନ୍ତ୍ରଣ ବଜାୟ ରଖିଛି । ଏଣେ ଆସନ୍ତା ବର୍ଷ ସୁଦ୍ଧା ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ଡଲାର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ବ୍ରୋକରେଜ୍ ଫାର୍ମ ଗୋଲ୍ଡମ୍ୟାନ୍ ଏଜେନ୍ସି । ଯଦି ତାହା ହୁଏ ଭାରତରେ ପେଟ୍ରୋଲ ଦର ୧୫୦ ଟଙ୍କାକୁ ଛୁଇଁପାରେ ବୋଲି ଏହାର ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ଡିଜେଲ ଦର ଲିଟର ପିଛା ୧୪୦କୁ ଟପିଯାଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଚାହିଦା ଓ ଯୋଗାଣ ପରିସ୍ଥିତିରେ ଅସନ୍ତୁଳନ ଲାଗିରହିଥିବା ଯୋଗୁଁ ସବୁ ଦେଶରେ ତେଲ ଦର ବଢ଼ିଛି,କେବଳ ଭାରତରେ ଏହା ସୀମିତ ନୁହେଁ । ଏଣୁ ଖାଉଟିଙ୍କୁ ତୈଳ ଦର ବୃଦ୍ଧିରୁ ମୁକ୍ତି ଦେବାକୁ ହେଲେ ଆଭ୍ୟନ୍ତରୀଣ ଭାବେ ଟିକସ କାଟ କରିବା ଦରକାର । ତେବେ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ବିଲେଇ ବେକରେ ଘଣ୍ଟି ବାନ୍ଧିବା ପାଇଁ ଚାହୁଁଛନ୍ତି । ଫଳରେ ଖାଉଟିଙ୍କ ଉପରେ ହିଁ ଦର ବୃଦ୍ଧି ବୋଝଟି ପଡ଼ୁଛି ।

Comments are closed.