କଳିଙ୍ଗନଗର ଡବଲ ମର୍ଡର ଘଟଣା

75

– ଆର୍ଥିକ ସମସ୍ୟାରୁ ସ୍ତ୍ରୀ, ପୁଅକୁ ହତ୍ୟା : ଡିସିପି

ଭୁବନେଶ୍ୱର : ମାନସିକ ଦୁଶ୍ଚିନ୍ତାରୁ ଭୁବନେଶ୍ୱର କଳିଙ୍ଗ ନଗରରେ ସ୍ତ୍ରୀ ଓ ନାବାଳକ ପୁଅ ହତ୍ୟା ଘଟଣା ଘଟିଥିଲା । ଆର୍ଥିକ ସମସ୍ୟା ପାଇଁ ଅଭିଯୁକ୍ତ ଯୁବକ ଅବନ୍ତୀ ମଙ୍ଗରାଜ ତା’ର ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଡିସିପି କହିଛନ୍ତି, ଅଭିଯୁକ୍ତ ଜଣକ ବିଭିନ୍ନ ଜାଗାରୁ ଲୋନ୍ କରିଥିଲା । ଯେଉଁ କାରଣରୁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲା । ପହରଦିନ ଅର୍ଥାତ୍ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଖାଦ୍ୟରେ ମା’ ଓ ପୁଅକୁ ନିଦ ଔଷଧ ଦେଇଥିବା ଅଭିଯୁକ୍ତ ସ୍ୱୀକାର କରିଛି । ଯାହା ପରେ ଯୁବକର ସ୍ତ୍ରୀ ଓ ପୁଅ ସନ୍ଧ୍ୟା ପରେ ଗଭୀର ନିଦରେ ଶୋଇ ପଡ଼ିଥିଲେ । ରାତି ୩ଟା ବେଳେ ଅଭିଯୁକ୍ତ ପ୍ରଥମେ ସ୍ତ୍ରୀ ଓ ପରେ ପୁଅ ବେକକୁ ଓଢ଼ଣୀରେ ଭିଡ଼ି ହତ୍ୟା କରିଥିଲା । ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲା । କିନ୍ତୁ ଏଥିରେ ସେ ବିଫଳ ହୋଇଥିଲା । ମଙ୍ଗଳବାର ଦିନ ୧୦ଟା ଯାଏ ସେ ଘରେ ଥିଲା । ଏହା ପରେ ସେ ଘରକୁ ଭିତର ପଟୁ ବନ୍ଦ କରି ଛାତ ଉପରୁ ଡେଇଁ ବାହାରକୁ ଚାଲିଯାଇଥିଲା ।

ଏହା ପରେ ସେ ଭୁବନେଶ୍ୱରରେ ବୁଲୁଥିବା ସମୟରେ ନିଜ ଭଣଜାକୁ ହ୍ୱାଟ୍ସଆପ୍ ଜରିଆରେ ଜଣାଇଥିଲା ଯେ ସେ ତାଙ୍କ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ଏବଂ ନିଜେ ଆତ୍ମହତ୍ୟା କରିବାକୁ ଯାଉଛି । ସେହି ହ୍ୱାଟ୍ସଆପ୍ ଚାଟକୁ ଜବତ କରାଯାଇଛି । ଅଭିଯୁକ୍ତର ଭଣଜାର ଷ୍ଟେଟମେଂଟକୁ ରେକର୍ଡ କରାଯିବ ବୋଲି ଡିସିପି କହିଛନ୍ତି । ଏମ୍ସରେ ମହିଳା ଓ ତାଙ୍କ ପୁଅର ମୃତଦେହର ପୋଷ୍ଟମର୍ଟମ କରାଯିବ । ଅଭିଯୁକ୍ତକୁ ପୁଲିସ୍ ଗିରଫ କରି କୋର୍ଟକୁ ଚାଲାଣ କରାଯିବ ବୋଲି ଡିସିପି କହିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ତମାଣ୍ଡୋ ଥାନା ଅଧିକ କଳିଙ୍ଗ ନଗର କେ-୪ ଫୋର ଅଂଚଳରେ ଏକ ଘର ଭିତରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ମହିଳାଙ୍କ ନାଁ ସ୍ୱର୍ଣ୍ଣଲତା ମଙ୍ଗରାଜ । ସ୍ୱର୍ଣ୍ଣଲତା ଓ ତାଙ୍କ ୯ ବର୍ଷର ପୁଅକୁ ତଂଟି ଚିପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ମହିଳାଙ୍କ ସ୍ୱାମୀ ଅବନ୍ତୀ ମଙ୍ଗରାଜ ।

Comments are closed.