ଲଘୁଚାପ ସକ୍ରିୟ: ୧୬ ଯାଏଁ ବର୍ଷା

64

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାଗ କୋହଲା ରହିବା ସହିତ ସାମାନ୍ୟ ବର୍ଷା ହେବାର ଆଶଙ୍କା ରହିଛି । ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଶୁକ୍ରବାରଠାରୁ ୧୫ ତାରିଖ ଭିତରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଓଡ଼ିଶାରେ କେତେକ ଜିଲ୍ଲାରେ ହାଲକା ବର୍ଷା ହୋଇଛି । ସର୍ବାଧିକ ବର୍ଷା ଗୋପାଳପୁଠାରେ ୮.୨ ମିଲିମିଟର ହୋଇଛି । ଏହି ଅବପାତ ପ୍ରଭାବରେ ରାତିର ତାପମାତ୍ରାରେ ବୃଦ୍ଧି ଘଟିଛି । ଓଡ଼ିଶାର ସବୁ ଜିଲ୍ଲାରେ ରାତ୍ରକାଳୀନ ତାପମାତ୍ରା ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩.୯ ଡିଗ୍ରୀ ବୃଦ୍ଧି ଘଟିଛି । ଠିକ୍ ସେହିପରି ପାରାଦୀପରେ ୩.୧ ଡିଗ୍ରୀ, ସୋନପୁରରେ ୨.୫ ଡିଗ୍ରୀ, ବାରିପଦାରେ ୨.୫ ଡିଗ୍ରୀ, ଅନୁଗୋଳରେ ୨.୪ ଡିଗ୍ରୀ, କେନ୍ଦୁଝରରେ ୨.୪ ଡିଗ୍ରୀ, ଭୁବନେଶ୍ୱରରେ ୨.୫ ଡିଗ୍ରୀ, କଟକରେ ୧.୬ ଡିଗ୍ରୀ ବୃଦ୍ଧି ଘଟିଛି ବୋଲି ପାଣିଗାଗ ବିଜ୍ଞାନୀ କହିଛନ୍ତି । ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ପ୍ରଭାବରେ ଓଡ଼ିଶା ଆଡ଼କୁ ଉଷ୍ମ ଜଳୀୟବାସ୍ପ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଆଗାମୀ ଦିନରେ ରାତ୍ରକାଳୀନ ତାପମାତ୍ର ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ଆଶଙ୍କା କରାଯାଉଛି । ସେଥିରେ ପରବର୍ତ୍ତୀ ସମୟରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

Comments are closed.