ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ୬ ଘଂଟିଆ ହଡତାଳ

68

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଂଟ ଘୋଡାଉଥିବା ଅଭିଯୋଗ କରି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ ହଡତାଳ କରା ଯାଇଛି । ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଏହି ହଡତାଳ କରା ଯାଇଥିବା କଂଗ୍ରେସ ପକ୍ଷରୁ କୁହା ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ କଡା ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା । କିଛି ସ୍ଥାନରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଉତେଜନାପୂର୍ଣ ବାତାବରଣ ମଧ୍ୟ ସୃଷ୍ଟି ହୋଇଛି । ତେବେ ମୋଟ ଉପରେ ଏହି ହଡତାଳ ଶାନ୍ତିପୂର୍ଣ ଭାବେ ସମ୍ପନ୍ନ ହୋଇଛି ।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ସକାଳୁ ସକାଳୁ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ପିକେଟିଂ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଭୁବନେଶ୍ୱରରେ ମୋ ବସ ଚାଲୁଥିବା ଦେଖା ଯାଇଥିଲା । ତେବେ ବସର ସଂଖ୍ୟା କମ ରହିଥିଲା । ଲୋକ ମାନଙ୍କର ସଂଖ୍ୟା କମ ଥିବାରୁ ବସ ଚାଲୁ ନ ଥିବା କୁହା ଯାଉଛି ।

ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଆଜିର ଆନ୍ଦୋଳନର ପ୍ରଭାବ ପଡ଼ିଛି, ଲୋକମାନେ ସମର୍ଥନ ଦେଇଛନ୍ତି । ଆନ୍ଦୋଳନକୁ ପ୍ରଭାବହୀନ କରିବା ପାଇଁ ବିଜେଡି ଚକ୍ରାନ୍ତ କରିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରାନଯିବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ ପୋଲିସ ଡିସିପି ଉମା ଶଙ୍କର ଦାଶ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ପୋଲିସ କାମ କରୁଛି । ଭୁବନେଶ୍ୱର ଠାରେ କେଉଁ ଠାରେ କୌଣସି ଅପ୍ରିୟ ଘଟଣା ହୋଇଥିବାର ସୂଚନା ନାହିଁ । କିଛି ଆନ୍ଦୋଳନକାରୀଙ୍କୁ ଅଟକ ରଖା ଯାଇଥିବା ସେ ପ୍ରକାଶ କରିଛନ୍ତି ।

Comments are closed.