ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଶୃଙ୍ଖଳା ଛାଟ : ତଡ଼ା ଖାଇଲେ ଆଉ ୮ ଅଧିକାରୀ

70

ଭୁବନେଶ୍ୱର : ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ସବୁବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଏଭଳି ସ୍ଥଳେ ଆଉ ୮ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ସରକାରୀ ଅଧିକାରୀଙ୍କୁ ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କରାଯାଇଛି । ନିମାପଡ଼ାର ପୂର୍ବତନ ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ରାମଚନ୍ଦ୍ର ଜେନା, ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ଗୌରାଙ୍ଗ ଚରଣ ମହାନ୍ତି, ସୁନ୍ଦରଗଡ଼ ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନ ବରଗଡ଼ର ଅମ୍ବାଭୋନାରେ ବିଡିଓ ଥିବା ଆଲଫୋନ୍ସ ବିଲୁଙ୍ଗ, କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିନଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ, କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ୍ ସିଡିପିଓ ମୀନା ପାତ୍ର, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ସିଡିପିଓ ପୁଷ୍ପାଞ୍ଚଳି ରଥ,
ଦେବଗଡ଼ର ପୂର୍ବତନ ଡେପୁଟି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର ଓ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କ୍ୟାସିଅର ପ୍ରଭାକର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏହି ୮ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୩୦ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ନିମାପଡ଼ାର ପୂର୍ବତନ ତହସିଲଦାର ତଥା ସବ୍ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ରାମଚନ୍ଦ୍ର ଜେନା ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ସେ ପ୍ରଥମେ ନିଲମ୍ବିତ ହେବା ପରେ ଏବେ ଚାକିରିରୁ ତଡ଼ା ଖାଇଛନ୍ତି ।

ସେହିପରି ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ଗୌରାଙ୍ଗ ମହାନ୍ତିଙ୍କ ନାଁରେ ୭ଟି ଦୁର୍ନୀତି ଅଭିଯୋଗ ରହିଛି । ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ସେ ନିଲମ୍ବିତ ହେବା ସହ ଏବେ ଚାକିରି ଯାଇଛି । ଆଉ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ଜୁନାଗଡ଼ ଲାଠିକଟାର ପୂର୍ବତନ ତହସିଲଦାର ଆଲଫୋନ୍ସ ବିଲୁଙ୍ଗ ଜମି କିସନ ପରିବର୍ତ୍ତନ ତଥା ରାଜସ୍ୱ ଆଦାୟ କ୍ଷେତ୍ରରେ ଅନୁଗ୍ରହ ଦେଖାଇ ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ । କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନ୍ର ପୂର୍ବତନ ସୁପରିଣ୍ଟେଣ୍ଡିଙ୍ଗ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ ଗତ ଅକ୍ଟୋବରରେ ୧୦ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଧରିଥିଲା ଭିଜିଲାନ୍ସ । ଆୟଠାରୁ ଜମା କରିଥିଲେ ଅଧିକ ସମ୍ପତ୍ତି । ସେହିପରି ସ୍ୱୟଂସହାୟକ ଗୋଷ୍ଠୀଠାରୁ ଛତୁଆ ଯୋଗାଣ ପାଇଁ ୮୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଲାଞ୍ଜିଗଡ଼ ସିଡିପିଓ ମୀନା ପାତ୍ର । ଅକ୍ଟୋବର ୨୫ରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ । ସେହିପରି ଦୁର୍ନୀତି ଅଭିଯୋଗରେ ଅଜିତ ମହାପାତ୍ର, ପ୍ରଭାକର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ୨୦୧୯ରୁ ସରକାରଙ୍କ ଏହି ଦୁର୍ନୀତି ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା । ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଏପରି ଅଭିଯାନ ସାରା ଦେଶରେ ପ୍ରଥମ ।

Comments are closed.