ପ୍ରବଳ ବର୍ଷା ସମ୍ଭାବନା , ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

74

ଭୁବନେଶ୍ୱର : ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେଇ ଉତର ଆଣ୍ଡାମାନ ଉପକୂଳ ଓ ତତସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଂଚିବ ବୋଲି ଅନୁମାନ କରାଯାଉଛି । ପରେ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ୧୮ ତାରିଖ ସନ୍ଧ୍ୟାରେ ଅତିକ୍ରମ କରିବ । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳ ବର୍ଷା ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଉପୂକଳ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧୪ ତାରିଖ ସକାଳ ମଧ୍ୟରେ ଖୋର୍ଦ୍ଧା, ପୁରୀ, ଗଂଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ନୟାଗଡ, ଗଜପତି, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୪ରୁ ୧୫ ତାରିଖ ମଧ୍ୟରେ ପୁରୀ, ଜଗତସିଂହପୁର,ଗଂଜାମ,କଟକ,ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.