ସ୍ୱାସ୍ଥ୍ୟସେବାରେ ଯୋଡିହେଲା ବରଗଡ଼ : ସ୍ମାର୍ଟ କାର୍ଡ ଦୂର କରିବ ଗରିବଙ୍କ ଦୁଃଖ

80

-୧୨ ବ୍ଲକ୍ ର ୩.୬୪ଲକ୍ଷ ଲୋକ ଉପକୃତ ହେବେ
-ଜିଲ୍ଲାକୁ ୩୦୦ କୋଟିରୁ ଊଦ୍ଧ୍ୱର୍ ପ୍ରକଳ୍ପ ଭେଟି
-ଶିଳାନ୍ୟାସ କଲେ କ୍ୟାନ୍ସର ହସ୍ପିଟାଲ
-ରୂପାନ୍ତର କାର୍ଯ୍ୟକ୍ରମରେ ୭୧ ସ୍ମାର୍ଟ ସ୍କୁଲ ଲୋକାର୍ପିତ

ବରଗଡ :ମିଶନ ସ୍ମାର୍ଟ ବରଗଡ । ବିଜେପୁରରୁ ବରଗଡ଼ ପାଇଁ ଅଙ୍କା ହେଲା ବିକାଶର ବ୍ଲୁପ୍ରିଣ୍ଟ । ବିଜେପୁରରୁ ଶୁଭିଲା ବିକାଶର ଶଙ୍ଖନାଦ । ସ୍ୱାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେଲା ବରଗଡ଼ ଜିଲ୍ଲା । ବିଜେପୁର ଗଣ୍ଡପାଲି ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଜିଲ୍ଲାର ୩ ଲକ୍ଷ ୬୪ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ । ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବରଗଡ଼ ଜିଲ୍ଲା ପାଇଁ ୩୦୦ କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ରେ ୭୧ଟି ସ୍କୁଲର ରୂପାନ୍ତର ହୋଇଛି । ସ୍ମାର୍ଟ ସ୍କୁଲ ଉଦ୍ଘାଟନ ସହିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ନୃସିଂହନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ନିଅଁ ପଡ଼ିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବରଗଡ଼ ହେଉଛି ମାଆ ଲକ୍ଷ୍ମୀଙ୍କ ପବିତ୍ର ଭୂମି, ଓଡ଼ିଶାର ଭାତ ହାଣ୍ଡି । ଚାଷୀଙ୍କ ଭଳି ବରଗଡ଼ର ବୁଣାକାର ମଧ୍ୟ ସାରା ବିଶ୍ୱକୁ ସମ୍ବଲପୁରୀ ଶାଢ଼ୀ ଉପହାର ଦେଇଛନ୍ତି । ବରଗଡ଼ର ଚାଷୀ ଓ ବୁଣାକାରଙ୍କ ଦକ୍ଷତାକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ନେଇ ବରଗଡ଼ ଗର୍ବିତ । ମୁଖ୍ୟମନ୍ତ୍ରୀ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆରମ୍ଭ କରିଥିବା ବେଳେ ୨ ହଜାର ୫ ଶହ କୋଟିର ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଗୁରୁତ୍ୱପୂର୍ଣ୍ଣ ଗଙ୍ଗାଧର ମେହେର ଉଠା ଜଳସେଚନ କାର୍ଯ୍ୟ ୨ହଜାର ୯୦କୋଟି ଟଙ୍କାରେ ଚାଲିଛି । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପରୁ ପାଣି ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିଏସ୍କେୱାଇ କାର୍ଡ ବାଣ୍ଟିବା ସହ କହିଛନ୍ତି, ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା-ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂଠାରୁ ଆରମ୍ଭ କରି ଟ୍ରିଟ୍ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ବିଜେପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ରୀତା ସାହୁ, ସ୍ନେହାଙ୍ଗୀନୀ ଛୁରିଆ ପ୍ରମୁଖ ଉଦ୍ବୋଧନ ଦେଇ ବିଭିନ୍ନ କ୍ଷେତ୍ରରେ ବିଜେପୁରର ବିକାଶ ଉପରେ ଆଲୋକପାତ କରିଥିଲେ । ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ଆଉ କେଉଁଠାରେ ନାହିଁ ବୋଲି ସେମାନେ କହିଥିଲେ । ଏହି ଯୋଜନା ଗରିବ ଲୋକଙ୍କର, ବିଶେଷ କରି ମହିଳାମାନଙ୍କର ଏକ ବଡ ଚିନ୍ତା ଦୂର କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ୫-ଟି ସଚିବ ଭି କେ ପାଣ୍ଡିଆନ୍ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏଥିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇନାହାନ୍ତି । କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂହ ସ୍ୱାଗତ
ଭାଷଣ ଦେଇଥିଲେ । ମନ୍ତ୍ରୀ ନିରଞ୍ଜନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

୨୭ରେ ରାଜଧାନୀରେ ୧ ଲକ୍ଷ ହିତାଧିକାରୀ ପାଇବେ କାର୍ଡ :

ଚଳିତ ମାସ ୨୭ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ବଣ୍ଟାଯିବ ବିଏସ୍କେୱାଇ ସ୍ମାର୍ଟ କାର୍ଡ । ଭୁବନେଶ୍ୱରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ସବୁ ରାସନ କାର୍ଡଧାରୀ ବିଏସ୍କେୱାଇ ସ୍ମାର୍ଟ କାର୍ଡ ପାଇବେ । ଖୋର୍ଦ୍ଧା ଜିଲ୍ଲାର ୪୮ଟି ଘରୋଇ ହସ୍ପିଟାଲ ଏହି ଯୋଜନାରେ ସାମିଲ୍ ହେବେ । ବର୍ତ୍ତମାନ ସୁଦ୍ଧା ୩୬ଟି ଘରୋଇ ହସ୍ପିଟାଲ ସହ ଏମଓୟୁ ସ୍ୱାକ୍ଷର ହୋଇଛି । ଏହି
ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ମିଳି ପାରିବ । ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ପହିଲାରୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲାଗୁ ହୋଇଛି । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଦିଆଯିବ କାର୍ଡ । ସାରା ଦେଶରେ ଏପରି ସୁବିଧା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଷ୍ଟୋନ୍ । ରାଜ୍ୟ ତଥା ରାଜ୍ୟ ବାହାରର ସବୁ ଛୋଟ ବଡ଼ ହସ୍ପିଟାଲରେ ଏହି କାର୍ଡରୁ ସୁବିଧା ପାଇପାରିବେ ହିତାଧିକାରୀ ।

Comments are closed.