ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ : ବଡ଼ଓଷା ବେଳକୁ ନେଇପାରେ ବାତ୍ୟା ରୂପ

45

ଭୁବନେଶ୍ୱର : ବଡ଼ ଓଷାରେ ମାଡ଼ ହୋଇପାରେ ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୫ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରି ଅବପାତର ରୂପ ନେବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ୧୮ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଲଘୁଚାପଟି ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ପାଣିପାଗ ବିଭାଗର ପ୍ରାକ୍ ଆକଳ ଅନୁସାରେ ବାତ୍ୟା ହେଲେ ଆନ୍ଧ୍ର ଉପକୂଳରେ ମାଡ଼ ହେବାର ଆଶଙ୍କା ରହିଛି । ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । ଉତ୍ତର ତାମିଲନାଡୁରୁ ଓଡିଶା ଉତ୍ତର ଉପକୂଳ ଅଞ୍ଚଳ ଉପରେ ଟ୍ରପଲାଇନ ରହିଛି । ଏହା ଆଜି ମଧ୍ୟ ସକ୍ରିୟ ରହିଛି । ଯାହା ପ୍ରଭାବରେ ବର୍ଷା ହେଉଛି ।

ଆଜି ୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ସହିତ ପୁରୀ ଜିଲ୍ଲାରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡ଼ା ୧୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ମାତ୍ରା ପୁଣି ବୃଦ୍ଧି ପାଇବ । ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ । ଏହାପରେ ଏହି ଲାଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦେଇ ଗତିକରିବ । ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅପାତର ରୂପ ନେବ । ଏହା ପ୍ରଭାବରେ ପୁଣି ୧୭ ତାରିଖଠାରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ । ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ବର୍ଷା ଓ କୋହଲା ପ୍ରଭାବ ରହିବ । ଏଥିପାଇଁ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ଏପଟେ ଚାଷ ଉପରେ ବର୍ଷାର ପ୍ରଭାବ ପଡିବ । ବର୍ତ୍ତମାନ ଧାନ ପାଚିଥିବାରୁ ବର୍ଷା ଧାନକୁ ମଧ୍ୟ ନଷ୍ଟ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମର ପୁରୁଷୋତ୍ତମପୁରଠାରେ ସର୍ବାଧିକ ୧୭୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ୧୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୩୩.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

Comments are closed.