ସୁନାର ଫସଲକୁ ବର୍ଷା ଦାଉ

66

ଭୁବନେଶ୍ୱର : ଆଉ ମାସକ ପରେ ଚାଷୀ ଅମଳ କରିଥାନ୍ତା ଧାନ ଫସଲ । ଏପରିକି କମ୍ଦିନିଆ ଧାନସବୁ ପାଚି କ୍ଷେତରେ ହସୁଥିବା ବେଳେ ହଠାତ୍ ଅଦିନିଆ ବର୍ଷାରେ ସେସବୁ ଉଜୁଡ଼ିଯାଇଛି । ବିଶେଷକରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର, କବିସୂର୍ଯ୍ୟନଗର, ବେଲଗୁଣ୍ଠା, ବୁଗୁଡ଼ା, ପୋଲସରା ଓ ଜଗନ୍ନାଥପ୍ରସାଦ ବ୍ଲକ୍ରେ ବର୍ଷା ଆଣିଦେଇଛି ଦୁଃଖ । ଶହ ଶହ ଏକର ଜମି ଜଳମଗ୍ନ ହେବା ସହ ପାଣିରେ ବୁଡ଼ିଛି ପାଚିଲା ଧାନ । ସେଗୁଡ଼ିକ ପଚିସଢ଼ି ନଷ୍ଟ ହେବା ଆଶଙ୍କା ରହିଛି । ଫସଲ ନଷ୍ଟ ଯୋଗୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଳକ୍ରେ ମଧ୍ୟ ସମାନ ଅବସ୍ଥା । ବିଶେଷକରି ବଡ଼ଚଣା ବ୍ଲକ୍ ଦର୍ପଣ ମୌଜାରେ ହଜାର ହଜାର ହେକ୍ଟର ଧାନଫସଲ ପାଣିରେ ବୁଡ଼ିରହିଛି । ସେହିପରି ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍ର ଚଇନା ଓ ପୁଟାସିଂ ଅଞ୍ଚଳର ଚାଷୀ ମଧ୍ୟ ଚିନ୍ତାରେ । ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍ରେ ମଧ୍ୟ ସମାନ ଅବସ୍ଥା । ଧାନ ବାହାରି ଫୁଲ ଉଡାଇବା ବେଳେ ବର୍ଷା ମାଡରେ ଆଣ୍ଠୁଏ ପାଣିରେ ଲୋଟିପଡ଼ିଛି ଧାନଗଛ । ଧାନ ଶୀଷାରେ ବର୍ଷା ପାଣି ପଶିଯିବାରୁ ସେଗୁଡ଼ିକ ଅଗାଡି ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି । ଖାଲି ଧାନଫସଲ ନୁହେଁ, ଅର୍ଥକାରୀ ଫସଲ କୋବି, ବିନ୍ସ, ଆଳୁ, ଝୁଡଙ୍ଗ, କାକୁଡ଼ି, ଜହ୍ନି, କୋଶଳା ଶାଗ ଏବଂ ଧନିଆ ଆଦି ଫସଲ ପାଣିରେ ବୁଡ଼ିରହିଛି । ସେଗୁଡ଼ିକ ନଷ୍ଟ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ବ୍ରହ୍ମପୁର ସହର । ଏପରିକି ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି କରିଛି । ରେକର୍ଡ ରୁମ୍ରେ ପାଣି ପଶିଯିବାରୁ
ଜମିଜମାଠାରୁ ଆରମ୍ଭକରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଛି ।

Comments are closed.