ଡିସେମ୍ବର ୧ରୁ ବିଧାନସଭାର ଶୀତ ଅଧିବେଶନ

44

-ଅଧିବେଶନରେ ରହିଛି ୨୬ କାର୍ଯ୍ୟଦିବସ
-ଡିସେମ୍ବର ୩୧ ଯାଏଁ ଚାଲିବ ଅଧିବେଶନ
-ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଆଗତ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ପହିଲାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ । ଆଜି ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଦିନ ଅଧିବେଶନ ବସିବ । ଏଥିରେ ଡିସେମ୍ବର ୧୦ ତାରିଖରେ ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟ ମଞ୍ଜୁରୀ ବିଲ ଆଗତ ଆସିବ । ଡିସେମ୍ବର ୧୧ରୁ ଡିସେମ୍ବର ୩୧ ଯାଏ ଗୃହର ଅଧିବେଶନରେ କି କାର୍ଯ୍ୟକ୍ରମ ହେବ, ତାହା ସ୍ଥିରୀକୃତ ହୋଇନାହିଁ । କେବଳ ଅଫିସିଆଲ ବିଜନେସ୍ ଓ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ଭାବେ ଉଲ୍ଲେଖ ରହିଛି । ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଛୁଟି ରହିବ । ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହେବା ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରାଇବ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ଅଧିବେଶନ ବସୁଥିବାରୁ ଉଭୟ ଶାସକ ଓ ବିରୋଧୀ ନିଜ ନିଜର ରଣନୀତି ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିବେ । ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୬୦ ଦିନ ବସିବାର ନିୟମ ରହିଛି । ଏବେ ୨୬ ଦିନ ବାକି ରହିଥିଲା । ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେବା ସହ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଥିଲେ ।

Comments are closed.