ବଦଳୁଛି କରୋନା ଲକ୍ଷଣ : ଜ୍ୱର ନଥାଇ ବି କୋଭିଡ ପଜିଟିଭ

71

ଭୁବନେଶ୍ୱର : ବଦଳୁଛି କରୋନା ଲକ୍ଷଣ । ଜ୍ୱର ନଥାଇ ବି କୋଭିଡ ପଜିଟିଭ ହେଉଛନ୍ତି ଲୋକେ । ଥଣ୍ଡା, କାଶ ହେଉଥିଲେ ଏହା ହୋଇଥାଇପାରେ କରୋନା । ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ନେଇ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ କରୋନା ନୂଆ ଲକ୍ଷଣ ନେଇ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଦେଖାଯାଉଥିବା ଲକ୍ଷଣରେ ସିଭିୟରଟି ନାହିଁ । ଯଦି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ କରୋନା ଟେଷ୍ଟ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ନୂଆ ନୂଆ ଲକ୍ଷଣ ଦେଖାଯାଉଛି । ପ୍ରଥମ-ଦ୍ୱିତୀୟ ଲହରରେ ରୋଗୀଙ୍କଠାରେ ସ୍ୱାଦ ଓ ବାସ୍ନା ସମ୍ପୂର୍ଣ୍ଣ ଚାଲିଯାଉଥିବା ବେଳେ ତୃତୀୟ ଲହରରେ ୭ରୁ ୮ ଦିନ ମଧ୍ୟରେ ଆଂଶିକ ଭାବେ ଏହା ହ୍ରାସ ପାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜ୍ୱର ନଥାଇ ବି କରୋନା ଆକ୍ରାନ୍ତ ହେଉଛନ୍ତି ଲୋକେ । ଲୋକଙ୍କଠାରେ ଥଣ୍ଡା ଓ କାଶ ଭଳି ଲକ୍ଷଣ ଦେଖିବାକୁ ମିଳୁଛି । ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଦୁର୍ବଳ ଏବଂ ଥକ୍କାପଣ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଏହା ସାମାନ୍ୟ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ୧୦ରୁ ୧୫ ପ୍ରତିଶତ ରୋଗୀ ଶ୍ୱାସକ୍ରିୟା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହା ୧ ପ୍ରତିଶତରୁ କମ୍ ରହିଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୦୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୧୨ ଜଣ, ବରଗଡ଼ରୁ ୧ ଜଣ, ଭଦ୍ରକରୁ ୫ ଜଣ, କଟକରୁ ୨୧ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୫ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୬ ଜଣ,
ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, ଖୋର୍ଦ୍ଧାରୁ ୧୩୨ ଜଣ, କୋରାପୁଟରୁ ୧ ଜଣ, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୫ ଜଣ, ପୁରୀରୁ ୧ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ବଲପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୬ ଜଣ ଓ ଷ୍ଟେଟ୍ପୁଲ୍ରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୫ ହଜାର ୪୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୩୪ ହଜାର ୩୦୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨ ହଜାର ୭୪୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Comments are closed.