ଅସାଧୁ ଅଧିକାରୀଙ୍କୁ ଧରିବାରେ ଓଡିଶା ଆଗରେ

74

ଭୁବନେଶ୍ୱର : ଆୟଠୁ ବହୁ ଗୁଣା ଅଧିକ ସମ୍ପତ୍ତି ଠୁଳ କରୁଛନ୍ତି । ସରକାରୀ କ୍ୱାର୍ଟର୍ସ ବାଦ୍ ବଡ଼ ସହରରେ ନାମୀ ଫ୍ଲାଟରେ ରହୁଛନ୍ତି । ମାଳ ମାଳ ଦାମୀ ପ୍ଲଟ୍ କିଣୁଛନ୍ତି । ତା’ ସାଙ୍ଗକୁ ଗଣ୍ଡା ଗଣ୍ଡା ଦାମୀ ଗାଡି଼ରେ ବୁଲୁଛନ୍ତି । ଏମାନଙ୍କୁ ଧରିବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ଲୋକାୟୁକ୍ତ ଓ ରାଜ୍ୟ ଭିଜିଲାନ୍ସ ଜାଲରେ ସବୁଠୁ ଅଧିକା ଲାଞ୍ଚୁଆ ଅଧିକାରୀ ଫସିଛନ୍ତି । ୨୦୨୦ରେ ଓଡ଼ିଶାରେ ସର୍ବାଧିକ ୯୩ଟି ଆୟ ବହିର୍ଭୂତ ମାମଲା ରୁଜୁ ହୋଇଛି । ଯାହାକି ସାରା ଦେଶରେ ରୁଜୁ ହୋଇଥିବା ମାମଲାର ୩୨ ପ୍ରତିଶତ । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ମୁତାବକ, ୨୦୨୦ରେ ସାରା ଦେଶରେ ମୋଟ ୨୯୨ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ ହୋଇଥିଲା । ଓଡି଼ଶା ଲୋକାୟୁକ୍ତ ସହ ଭିଜିଲାନ୍ସ ପକ୍ଷରୁ ହୋଇଥିବା ୯୩ଟି ମାମଲାରେ ଲାଞ୍ଚୁଆ ଅଧିକାରୀମାନେ ଜେଲ୍ ଯାଇଥିଲେ । ଓଡି଼ଶା ପଛକୁ ରହିଥିଲା ଗୁଜୁରାଟ । ଯେଉଁଠି ୩୭ଟି ମାମଲାରେ ଅଧିକାରୀଙ୍କ ଘରୁ ଆୟଠୁ ଅଧିକ ସମ୍ପତ୍ତି ମିଳିଥିଲା । ଏହା ପଛକୁ ତାମିଲନାଡୁ ଓ ଉତ୍ତରପ୍ରଦେଶରେ ୨୧ଟି ଲେଖାଏଁ ମାମଲା ରୁଜୁ ହୋଇଥିଲା । କର୍ଣ୍ଣାଟକରେ ୨୦ ଓ ରାଜସ୍ଥାନରେ ୧୬ଜଣ ଅଧିକାରୀ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଜେଲ୍ ଯାଇଥିଲେ । ସେପଟେ ଦୁର୍ନୀତି ବାବଦରେ ୨୦୨୦ରେ ୨୪୫ଟି ମାମଲା ଓଡି଼ଶାରୁ ସାମ୍ନାକୁ ଆସିଥିଲା । ଯାହାକି ସାରା ଦେଶରେ ପଞ୍ଚମ । ୨୦୧୯ରେ ୩୫୩ଟି ମାମଲା ଓ ୨୦୧୮ରେ ୪୨୯ଟି ମାମଲା ରୁଜୁ ହୋଇଥିଲା ।

ଓଡ଼ିଶାର ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଭିଜିଲାନ୍ସ କଡ଼ା ନଜର ରଖିଛି । ୨୦୨୦ରେ ସବୁଠୁ ଚର୍ଚ୍ଚିତ ଚେହେରା ଥିଲେ ବିତାଡିତ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ । ନଭେମ୍ବର ୨୫ରେ ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ଉପରେ ଭିଜିଲାନ୍ସ ପଞ୍ଝା ମାରିଥିଲା । ଏକାବେଳକେ ୧୫୦ ଭିଜିଲାନ୍ସ ଅଧିକାରୀ ୩ ଦିନ ଧରି ଭୁବନେଶ୍ୱର ସହ ମୁମ୍ବାଇ, ପୁଣେ ଓ ଦିଲ୍ଲୀରେ ମାରାଥନ ଚଢ଼ଉ କରିଥିଲେ । କୋଟି କୋଟି ଟଙ୍କା ସମ୍ପତ୍ତି, ଘରୋଇ ବିମାନ ଯାତ୍ରା ଓ ୫ ତାରକାରେ ରାଜକୀୟ ରହଣିର ପ୍ରମାଣ ଦେଖାଇଥିଲା । ତାଙ୍କ ଭାବି ସମୁଦି ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ସେହି ଲିଙ୍କରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ । ଏହାବାଦ୍ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାଶ ଠୁଳ କରିଥିବା ବେଆଇନ୍ ସମ୍ପତ୍ତିକୁ ମଧ୍ୟ ଭିଜିଲାନ୍ସ ଖୋଜିଥିଲା । ୨୦୨୦ ଜାନୁଆରୀରେ ପୂର୍ବ ବିଧାୟକ ଅନାମ ନାଏକଙ୍କ ଘରେ ପଶିଥିଲା ଭିଜିଲାନ୍ସ । ସେହିବର୍ଷ କୋଟିପତି ହିନ୍ଦୀ ଓ ଗଣିତ ମାଷ୍ଟ୍ରେ ଭିଜିଲାନ୍ସ ଜାଲରେ ପଡି଼ଥିଲେ । ଚଳିତବର୍ଷ ମଧ୍ୟ ଭିଜିଲାନ୍ସର ମାରାଥନ୍ ଚଢ଼ଉ ଆଗ ଅପେକ୍ଷା ବଢ଼ିଛି । ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚଡିବ୍ଲ୍ୟୁସି)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ କୁବେର ସମ୍ପତ୍ତି ଠାବ ହୋଇଛି । ଏହାବାଦ୍ ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି଼ ଦିଦି, ଅଭ୍ୟାସଗତ ଲାଞ୍ଚୁଆ ତଥା ନିମାପଡ଼ା ତହସିଲଦାର ଓ ଅନ୍ୟ ସରକାରୀ ଅଧିକାରୀମାନେ ପଡିଛନ୍ତି । ଭିଜିଲାନ୍ସ ଅଧ୍ୟକ୍ଷ ଜଶୱନ୍ତ ଜେଠୱା ଲାଞ୍ଚୁଆମାନଙ୍କୁ ଚେତାଇଛନ୍ତି ଯେ, ଏହି ମାରାଥନ୍ ଚଢ଼ଉ ଗ୍ରାଫ୍ ଆଗକୁ ବଢ଼ିବ । ଅତ୍ୟାଧୁନିକ କୌଶଳ ଓ ଯନ୍ତ୍ରପାତି ଜରିଆରେ ତଦନ୍ତ କରାଯାଉଛି ।

Comments are closed.