୨ହଜାର ବିସ୍ଥାପିତଙ୍କୁ ମିଳିବ ଘରଡିହ : ଦୂର ହେଲା ଷାଠିଏ ଦଶନ୍ଧିର ଦୁଃଖ

77

-ବିଏସ୍କେୱାଇରେ ଯୋଡିହେଲା ଝାରସୁଗୁଡ଼ା
-ଉପକୃତ ହେବେ ୧ଲକ୍ଷ ୧୫ହଜାର ହିତାଧିକାରୀ
-୩୧୨ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ

ଝ।ରସୁଗୁଡ। /ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ସାମିଲ ହେଲା ଝାରସୁଗୁଡା ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ ଲୋକ ଏହି ସୁବିଧା ପାଇବେ । ଝାରସୁଗୁଡା ସହିତ ରାଜ୍ୟର ୧୨ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡାର ୨୦୦୦ ବିସ୍ଥାପିତ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହାଦ୍ୱାରା ବିସ୍ଥାପିତଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ । ଆଜି ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା ।

ଝାରସୁଗୁଡା ଓ ବ୍ରଜରାଜନଗର ପାଇଁ ଦୁଇଟି (ୱାଟର ଟ୍ରିଟମେଣ୍ଟ ପ୍ଳାନ୍)ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ଏହି ଦୁଇଟି ସହରର ଲୋକମାନେ ଭଲ ପିଇବା ପାଣି ପାଇପାରିବେ । ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ଭଲ ପିଇବା ପାଣି ଯୋଗାଇ ଦେବାପାଇଁ ୬୧୮ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶକରି ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୨୨ ଜୁନ୍ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ । ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପରେ ଏକ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି । ଏହାସହିତ ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି ଏବଂ ଜିଲ୍ଲାର ସବୁ ଅଞ୍ଚଳକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବ୍ଶୀଘ୍ର ପୂରଣ ହେବ । ଝାରସୁଗୁଡାରେ ନିର୍ମାଣାଧୀନ ୧୦୦ ଶଯ୍ୟା ବିଶିଷ୍ଟ ହୃଦ୍ରୋଗ ଚିକିତ୍ସାଳୟର ନିର୍ମାଣ ଖୁବ୍ଶୀଘ୍ର ଶେଷ ହେବାକୁ ଯାଉଛି । ଏହାଦ୍ୱାରା ଲୋକମାନେ ଉନ୍ନତମାନର ଚିକିତ୍ସା ପାଇପାରିବେ । ଏଥିପାଇଁ ୧୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ଲୋକ ସ୍ମାର୍ଟ ହେଲଥ୍ କାର୍ଡ ପାଇବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ । ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ । ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲାସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ।

ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମହାନ୍ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ଆଦର୍ଶ, ସଂଗ୍ରାମ ଓ ଦେଶପ୍ରେମ ଯୁଗ ଯୁଗ ଧରି ଆମକୁ ପ୍ରେରଣା ଦେଉଥିବ । ସ୍ୱାଧୀନତା ସଂଗ୍ରାମୀ ବିହାରୀ ରାମ ତନ୍ତୀ, ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଚିନ୍ତାମଣି ପୂଜାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ ସାଂସଦ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଝାରସୁଗୁଡା ଜିଲ୍ଲାର ବିକାଶ ଉପରେ ଆଲୋକପାତ କରିଥିଲେ । ସେମାନେ କହିଥିଲେ, ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ରାଜ୍ୟର ବିକାଶକୁ ଏକ ନୂଆସ୍ତରକୁ ଆଣିବା ସହିତ ଗରିବ ଲୋକଙ୍କ ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି, ତାହା ସମଗ୍ର ଦେଶରେ ବିରଳ ।

“ସ୍କୁଲକୁ ଫେରିବା’ ପୁସ୍ତକ ଉନ୍ମୋଚିତ :

“ମୋ ସ୍କୁଲ ଅଭିଯାନ’କୁ ପୂରିଲା ୪ ବର୍ଷ । ୪ ବର୍ଷ ମଧ୍ୟରେ ସଫଳତାର ସହ ଆଗକୁ ବଢ଼ିଛି ଅଭିଯାନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “କଫି ଟେବୁଲ୍ ବୁକ’ ଓ ଏକ ସ୍ୱତନ୍ତ୍ର ବୁକଲେଟ୍ “ସ୍କୁଲକୁ ଫେରିବା’ ଉନ୍ମୋଚନ କରିଛନ୍ତି । ବହୁ ପୂର୍ବତନ ଛାତ୍ରଛାତ୍ରୀଙ୍କ ସଫଳ କାହାଣୀ ଏଥିରେ ରହିଛି । ଯାହକୁ ପଢ଼ି ଛାତ୍ରଛାତ୍ରୀ ଆଗକୁ ବଢ଼ିବାକୁ ଉତ୍ସାହିତ ହେବ । ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀ ଓ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ୨୦୧୭ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ‘ମୋ ସ୍କୁଲ ଅଭିଯାନ’ । ଗତକାଲି ଶିଶୁଦିବସରେ ଏହି ଅଭିଯାନକୁ ୪ ବର୍ଷ ପୂରଣ ହୋଇଛି ।

୨୦ରେ ଅନୁଗୁଳ ଯିବେ ମୁଖ୍ୟମନ୍ତ୍ରୀ :

ଆସନ୍ତା ୨୦ ତାରିଖରେ ଅନୁଗୁଳ ସହରକୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଷ୍ଟାଡିୟମରେ ଅବତରଣ କରି ସେଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ କେବଳ ସ୍ୱାସ୍ଥ୍ୟ କାର୍ଡ୍ ବାଣ୍ଟିବେନି, ଅନୁଗୁଳ ସହର ଓ ତାଳଚେର ସହରବାସୀ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ । ତେବେ ଉଦ୍ଘାଟନୀ ଅପେକ୍ଷାରେ ଥିବା କିଛି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.