ବଦଳିଲା ବ୍ରିଟିଶ ଅମଳର ନିୟମ : ଏଣିକି ରାତିରେ ବି ପୋଷ୍ଟମର୍ଟମ

71

ନୂଆଦିଲ୍ଲୀ : ଶବ ବ୍ୟବଚ୍ଛେଦ ପ୍ରୋଟୋକଲରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ସୂର୍ଯ୍ୟାସ୍ତ ବା ରାତି ସମୟରେ ବି ଶବଗୁଡ଼ିକ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇପାରିବ । ଯେଉଁ ହସ୍ପିଟାଲରେ ରାତିରେ ବ୍ୟବଚ୍ଛେଦ କରିବାକୁ ଆବଶ୍ୟକ ଭିତ୍ତିଭୂମି ଥିବ, ସେଠାରେ ଏହି ନିୟମ ଲାଗୁ ହେବ । ଏହାର ଅର୍ଥ ଯେକୌଣସି ସମୟରେ ଏଣିକି ଶବ ବ୍ୟବଚ୍ଛେଦ କରାଯାଇ ପାରିବ । ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ପୂର୍ବରୁ କେବଳ ସନ୍ଧ୍ୟା ୫ଟା ବା ସୂର୍ଯ୍ୟ ଅସ୍ତ ପୂର୍ବରୁ ହିଁ ହସ୍ପିଟାଲଗୁଡ଼ିକରେ ଶବ ବ୍ୟବଚ୍ଛେଦ ହୋଇ ପାରୁଥିଲା । ଅନେକ ସମୟରେ ସମ୍ବେଦଶୀନ ମାମଲାରେ ଶବ ବ୍ୟବଚ୍ଛେଦ ପାଇଁ ଗୋଟିଏ ଦିନ ଅପେକ୍ଷା ମଧ୍ୟ କରିବାକୁ ପଡ଼ୁଥିଲା । ଏଥିଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଥିବାରୁ କେନ୍ଦ୍ର ସରକାର ଶବ ବ୍ୟବଚ୍ଛେଦ ପାଇଁ ଲାଗୁ ସମୟ କଟକଣାକୁ ହଟାଇ ଦେଇଛନ୍ତି । ଶ୍ରୀ ମାଣ୍ଡଭୀୟ କହିଛନ୍ତି, ବ୍ରିଟିଶ ଶାସନ ସମୟରୁ ଥିବା ନିୟମ ଶେଷ ହୋଇଛି । ଏଣିକି ୨୪ ଘଣ୍ଟା ହୋଇପାରିବ ଶବ ବ୍ୟବଚ୍ଛେଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ଶାସନ ନୀତିକୁ ଆଗକୁ ବଢ଼ାଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି । ଯେଉଁସବୁ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ରହିଛି, ସେମାନେ ସୂର୍ଯ୍ୟାସ୍ତ ପରେ ବି ଏହା କରିପାରିବେ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏହି ପରିବର୍ତ୍ତିତ ନିୟମ ଆବଶ୍ୟକ ସମୟ ଭିତରେ ଅର୍ଗାନ ପ୍ରତିରୋପଣ କରିବାରେ ସହାୟକ ହେବ । ଅନେକ ସମୟରେ ରାତିବେଳା ଶବ ବ୍ୟବଚ୍ଛେଦ ହେଉ ନଥିବାରୁ ଅଙ୍ଗଦାନରେ ବିଳମ୍ବ ହେଉଥିଲା । ଅନେକ ସମୟରେ ଏଥିପାଇଁ ମୃତକଙ୍କ ପରିବାର ଲୋକ ଓ ସମ୍ପର୍କୀୟମାନେ ଅସୁବିଧାରେ ପଡ଼ୁଥିଲେ । ଏକାଧିକ ବିଶେଷଜ୍ଞ କମିଟି ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତଙ୍କ ମତାମତକୁ ଗ୍ରହଣ କରି ଏପରି ନିଷ୍ପତ୍ତି ନେଇଛି । କିଛି ଇନ୍ଷ୍ଟିଚ୍ୟୁଟ ଏବେ ବି ରାତି ସମୟରେ ଶବ ବ୍ୟବଚ୍ଛେଦ କରୁଛନ୍ତି । ସେମାନଙ୍କ ପାଖରେ ରାତିରେ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ଟେକ୍ନୋଲୋଜି ଓ ଲାଇଟର ବ୍ୟବସ୍ଥା ଥିବାରୁ ସେମାନେ ଏହା କରିପାରୁଛନ୍ତି । ଏବେ ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ହସ୍ପିଟାଲ ଯୋଡ଼ି ହୋଇପାରିବେ ବୋଲି ମନ୍ତ୍ରଣାଳୟ କହିଛି ।

Comments are closed.