ନିଶା ମାଫିଆଙ୍କ କୋକୁଆଭୟ : ୧୦ ଦିନରେ ୭୮୩ ଜଣଙ୍କୁ ଜେଲ୍

70

କଟକ : ରାଜ୍ୟରେ ନିଶା କାରବାର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଗଲା ୧୦ ଦିନ ଭିତରେ ମୋଟ ୭୮୩ଜଣ ନିଶା ମାଫିଆ ଗିରଫ ହେଲେଣି । ଏମାନଙ୍କ ବିରୋଧରେ ୯୨୦ ମାମଲା ରୁଜୁ ହୋଇଛି । ମାଫିଆଙ୍କ ନିକଟରୁ ଗଞ୍ଜେଇ, ବ୍ରାଉନସୁଗାର ଓ ମଦକୁ ମିଶାଇ ମୋଟ ୫କୋଟି ୩୪ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଛି । ପରିସ୍ଥିତି ଏଭଳି ହେଲାଣି ଯେ ରାଜ୍ୟରେ ନିଶା ମାଫିଆମାନେ ସଡ଼କପଥରେ ନିଶା କାରବାର କରିବାକୁ ଭୟ କଲେଣି । ତେଣୁ ଏବେ ସାମୟିକ ଭାବେ ନିଶା କାରବାର ବନ୍ଦ କରିଥିବା କୁହାଯାଉଛି । ଅବକାରୀ ବିଭାଗର ସୂଚନା ଅନୁଯାୟୀ, ନଭେମ୍ବର ୧ ତାରିଖରୁ ୧୦ ତାରିଖ ଭିତରେ ଅବକାରୀ ବିଭାଗ ଦୈନିକ ପ୍ରାୟ ୭୮ଜଣ ନିଶା ମାଫିଆଙ୍କୁ ଗିରଫ କରୁଛି । ଏହି ୧୦ ଦିନ ଭିତରେ ମୋଟ ୨୩ ହଜାର ୫୨୦ ଲିଟର ଦେଶୀମଦ, ୨ଲକ୍ଷ ଲିଟରରୁ ଅଧିକ ଦେଶୀମଦ ତିଆରି ସାମଗ୍ରୀ, ୨୦୫ ଲିଟର ବିଦେଶୀ ମଦ, ୬ ହଜାର ୭୯୦ ଲିଟର ବିଅର, ୧ ହଜାର ୧୮ କେଜି ଗଞ୍ଜେଇ, ୪ ଶହ ୪୧ ଗ୍ରାମ ବ୍ରାଉନସୁଗାର, ୮ ଶହ ୧୨ କେଜି ଭାଙ୍ଗ ଏବଂ ୩ ଶହ ୭୫ ଲିଟର ନକଲି ଓ ଟିକସ ଫାଙ୍କି ବିଦେଶୀ ମଦ ସହିତ ୪୬ଟି ଦୁଇଚକିଆ ଓ ·ରିଚକିଆ ଯାନ ଜବତ ହୋଇଛି । ରାଜ୍ୟ ଫ୍ଲାଇଙ୍ଗ ସ୍କ୍ୱାଡ୍ ଖୋର୍ଦ୍ଧା ସହରରୁ ୨ ଶହ ୨୫ ଲିଟର ନକଲି ବିଦେଶୀ ମଦ ଓ ୩୯ ଲିଟର ବିଅର ଜବତ ସହିତ ଏହି ମାମଲରେ ଜଣଙ୍କୁ ଗିରଫ କରିଥିଲା ।

ସେହିଭଳି ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ନୂଆପାଟଣା ଅଞ୍ଚଳରୁ ୮୪ଲିଟର ନକଲି ବିଦେଶୀ ମଦ ସହିତ ଗୋଟିଏ ଅଟୋ ଓ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ବ୍ରହ୍ମପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ନବରଙ୍ଗପୁର ଜିଲ୍ଲାରୁ ୮୨ଲିଟର ନକଲି ଓ ଟିକସ ଫାଙ୍କି ବିଦେଶୀ ମଦ ଜବତ କରିଥିବା ବେଳେ ଏହି ମାମଲାରେ ଜଣେ ମାଫିଆ ଗିରଫ ହୋଇଛି । ଗଜପତି ଜିଲ୍ଲା ଅବକାରୀ ବିଭାଗ ୬ ଶହ କେଜି ଗଞ୍ଜେଇ ସହିତ ଗୋଟିଏ ପିକଅପ୍ ଭ୍ୟାନ ଜବତ କରିଥିବା ବେଳେ ଜଣେ ମାଫିଆକୁ ଗିରଫ କରିଛି । ବୌଦ୍ଧ ଜିଲ୍ଲାର ଅବକାରୀ ବିଭାଗ ୧ଶହ ୩୨ କେଜି ଗଞ୍ଜେଇ ଜବତ କରିଛି । କଟକ ଜିଲ୍ଲା ଅବକାରୀ ବିଭାଗ ୯୮ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୨ହଜାର ଟଙ୍କା ଆକଳନ କରାଯାଇଛି । ସେହିଭଳି ଚଳିତମାସ ୯ତାରିଖରେ କଟକ ଅବକାରୀ ଅଧିକାରୀ ଓ ଫ୍ଲାଇଂ ସ୍କ୍ୱାଡ୍ ଖେର୍ଦ୍ଧା ଜଙ୍କିଆରୁ ୮ଶହ କେଜି ଭାଙ୍ଗ ଜବତ କରିଥିବାବେଳେ ୮ତାରିଖ ରେ ପ୍ରାୟ ୭୦ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିବା ସୂଚନା ମିଳିଛି । ଅବକାରୀ ବିଭାଗ ଯେଭଳି ନିୟମିତ ଚଢ଼ଉ ଜାରି ରଖିଛି ରାଜ୍ୟରେ ନିଶା ମାଫିଆଙ୍କ ଭିତରେ କୋକୁଆଭୟ ସୃଷ୍ଟି ହୋଇଛି ।

Comments are closed.