ଚୀନରେ ଡେଲ୍ଟା ଆତଙ୍କ

70

ବେଜିଂ : ମହାମାରୀ କରୋନାର ମାରାତ୍ମକ ଭାରିଏଣ୍ଟ ଡେଲ୍ଟା ଏବେ ଚାଇନାର ନିଦ ହଜାଇ ଦେଇଛି । ଡେଲ୍ଟା ଭାରିଏଣ୍ଟ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ହୁହୁ ହୋଇ ବଢ଼ି ଚାଲିଛି । ଦେଶର ଉତ୍ତରପୂର୍ବ ସହରରେ ସ୍ଥିତି ସବୁଠାରୁ ସାଂଘାତିକ ରହିଛି । ଏଥିପାଇଁ ସେହି ସହରରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲାଗୁ କରାଯାଇଛି । ଚାଇନାରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ଲକ୍ଷଣ ଯୁକ୍ତ ୧୩୦୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ବେଜିଂ ବ୍ୟତୀତ ଡେଲ୍ଟା ଭାରିଏଣ୍ଟ ଚାଇନାର ୨୧ଟି ପ୍ରଦେଶ, ଅଞ୍ଚଳ ଓ ମ୍ୟୁନସିପାଲଟିରେ ଚିହ୍ନଟ ହୋଇଛି । ତଥାପି ବିଶ୍ୱର ଅନ୍ୟ ରାଷ୍ଟ୍ର ଗୁଡ଼ିକ ତୁଳନାରେ ଚାଇନାର ସ୍ଥିତି ଭଲ ରହିଛି । କିନ୍ତୁ ସରକାର ସଂକ୍ରମଣକୁ ରୋକିବା ପାଇଁ କଠୋର କଟକଣା ଲଗାଉଛନ୍ତି । ସଂକ୍ରମିତ ହେବା କ୍ଷଣି ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଉଛି ।

ସେହିପରି ଏକାଧିକ ରାଉଣ୍ଡ ଟେଷ୍ଟିଂ କରାଯାଉଛି । ମନୋରଞ୍ଜନ, ସାଂସ୍କୃତି କାର୍ଯ୍ୟକ୍ରମ, ପର୍ଯ୍ୟଟନ ସ୍ଥଳୀ ଓ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ସରକାର ରୋକ ଲଗାଇଛନ୍ତି । ଏହା ଦ୍ୱାରା କିଛି ପ୍ରଦେଶରେ ଏବେ ସଂକ୍ରମଣ ସାମାନ୍ୟ କମି ପାରିଛି । ହେଲେ ଡାଲିଆନରେ ସଂକ୍ରମଣ ଏବେ ବି ଉପର ମୁହାଁ ରହୁଛି । ଏଠାରେ ଶହଶହ ଲୋକ ପ୍ରତିଦିନ ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହେଉଛନ୍ତି । ଏଠାରେ ନଭେମ୍ବର ୪ରେ ପ୍ରଥମ ଲକ୍ଷଣ ଯୁକ୍ତ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ୭.୫ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଡାଲିଆନରେ ଦୈନିକ ସଂକ୍ରମିତଙ୍କ ହାର ୨୪ ଛୁଇଁଛି, ଯାହା ଚାଇନାର ଅନ୍ୟ ସହର ଗୁଡ଼ିକ ତୁଳନାରେ ଖୁବ ଅଧିକ । ଡାଲିଆନରେ ସଂକ୍ରମଣ ବ୍ୟାପୁଥିବାରୁ ଏହାର ପାଖରେ ଥିବା ଡାନଡୋଙ୍ଗ, ଅନଶାନ ଓ ଶେନୟାଙ୍ଗ ସହରରେ କଡ଼ା କଟକଣା ଲାଗିଛି । ଡାଲିଆନରୁ ଏହି ସବୁ ସହରକୁ ଆସୁଥିବା ଲୋକଙ୍କୁ ବାଧ୍ୟତାମୂଳକ ୧୪ ଦିନ ସରକାରୀ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ । ଏହାପରେ ସେମାନଙ୍କ ଟେଷ୍ଟିଂ ହେବ ଓ ସେମାନେ ମୁକ୍ତ ଭାବେ ବୁଲି ପାରିବେ । ସୂଚନାଯୋଗ୍ୟ, ଚାଇନାରେ ବର୍ତ୍ତମାନ ସୁଦ୍ଧା ୯୮,୩୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୬୩୬ ଜଣ ପ୍ରାଣ ହରାଇଛନ୍ତି ।

Comments are closed.