ଟିକାକରଣ: ଓଡ଼ିଶା ଆଗରେ

67

ଭୁବନେଶ୍ୱର : ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା । ସେହିପରି ରାଜ୍ୟରେ ଟିକା ୱେଷ୍ଟେଜ୍ ହାର ରହିଛି ମାତ୍ର ମାଇନସ୍ ୫ ଦଶମିକ ୩ ପ୍ରତିଶତ । ଏବେ ସୁଦ୍ଧା ୪ ଦଶମିକ ୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ୨କୋଟି ୬୮ ଲକ୍ଷ ୪ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି । ୧ କୋଟି ୩୪ ଲକ୍ଷ ୯୬ହଜାର ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଟିକାକରଣର ଜାତୀୟ ହାର ଅପେକ୍ଷା ରାଜ୍ୟ ହାର ଅଧିକ ରହିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟିକାକରଣକୁ ନେଇ ବସିଥିବା ବୈଠକରୁ ଏହି ସୂଚନା ମିଳିଛି । ପ୍ରଥମ ଡୋଜ୍ ଟିକାକରଣରେ ଜାତୀୟ ହାର ୭୯ ଦଶମିକ ୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ପ୍ରଥମ ଡୋଜ୍ ଟିକାକରଣ ହାର ରହିଛି ୮୨ ଦଶମିକ ୪ ପ୍ରତିଶତ । ସେହିପରି ଦ୍ୱିତୀୟ ଡୋଜ୍ ଟିକାକରଣରେ ଜାତୀୟ ହାର ୩୮ଦଶମିକ ୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୧ଦଶମିକ ୫ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଦ୍ୱିତୀୟ ଡୋଜ୍ । ନଭେମ୍ବର ୩୦ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟିକାକରଣକୁ ନେଇ ବସିଥିବା ବୈଠକରୁ ଏହି ସୂଚନା ମିଳିଛି । ତେବେ ଏଯାବତ୍ ରାଜ୍ୟରେ ମୋଟ ୪.୦୩ କୋଟି ଡୋଜ୍ କରୋନା ଟିକାକରଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ କୋଟି ୬୮ଲକ୍ଷ ୪୭୫୫ ଜଣ କରୋନା ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିସାରିଥିବା ବେଳେ ୧କୋଟି ୩୪ଲକ୍ଷ ୯୬ହଜାର ୫୯ ଜଣ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ତେବେ ଏହି ପରିସଂଖ୍ୟାନକୁ ଡିସେମ୍ବର ସୁଦ୍ଧା ଶତ ପ୍ରତିଶତରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଅନ୍ୟପକ୍ଷରେ ଟିକାର ଅପଚୟ ରାଜ୍ୟରେ ବହୁତ କମ୍ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ରାଜ୍ୟରେ ଟିକାର ପରିବହନକୁ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କରାଯାଇଥିବାରୁ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ କୁଶଳ ଟିକାକରଣ ଯୋଗୁଁ ରାଜ୍ୟରେ ଟିକାର ଅପଚୟ କମ୍ ହୋଇଥିବା ସେ କହିଛନ୍ତି । ରାଜ୍ୟ ପ୍ରାୟ ୨୦ ଲକ୍ଷ କରୋନା ଡୋଜର ଅପଚୟକୁ ରୋକିପାରିଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୩ ଜଣ, ଭଦ୍ରକରୁ ୩ ଜଣ, ବୌଦ୍ଧ ଜିଲ୍ଲାରୁ ୨ ଜଣ, କଟକରୁ ୧୫ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୪ ଜଣ, ଯାଜପୁରରୁ ୧୨ ଜଣ, ଝାରସୁଗୁଡ଼ାରୁ ୩ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୧୨୦ ଜଣ, ସମ୍ବଲପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୫ ଜଣ ଓ ଷ୍ଟେଟ ପୁଲରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୫ ହଜାର ୮୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୩୪ ହଜାର ୭୫୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨ ହଜାର ୬୬୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Comments are closed.