ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ମିଶନ ଶକ୍ତି ମା’ଙ୍କୁ ଅଧିକ ସରକାରୀ କାମ ଦିଅ

57

ଭୁବନେଶ୍ୱର : ରାଜ୍ୟରେ ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଯୋଗାଇଦେବା ଏହାର ଏକ ପ୍ରମୁଖ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉ । ରାଜ୍ୟ ସରକାରଙ୍କ ସବୁ ବିଭାଗମାନେ ଏହାକୁ ମହିଳା ଆର୍ଥିକ ସଶକ୍ତିକରଣର ଏକ ଦିଗ ଭାବେ ଗ୍ରହଣ କରି କାମ କରନ୍ତୁ । ଆବଶ୍ୟକସ୍ଥଳେ ମିଶନ ଶକ୍ତି ମା’ମାନଙ୍କର ପାରିଶ୍ରମିକ ମଧ୍ୟ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ବିଭିନ୍ନ ସରକାରୀ ବିଭାଗ କାମ ଯୋଗାଇ ଦେବା ସମ୍ପର୍କରେ ୨୦ଟି ବିଭାଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ସବୁ ବିଭାଗ ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ କାମ ଯୋଗାଇ ଦେବା ପାଇଁ ଆଗାମୀ ୩ବର୍ଷ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।

ବୈଠକରେ ମିଶନ ଶକ୍ତି ବିଭାଗ କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହି ଉପସ୍ଥାପନା ଅନୁଯାୟୀ ୧୩ଟି ବିଭାଗ ୨୦୨୦-୨୧ ଆର୍ଥିକ ବଷଁରେ ୧୦୪୭୧୨ଟି ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ବିଜିନେସ୍ ସରକାର ଯୋଗାଇ ଦେଇଛନ୍ତି । ମିଶନ ଶକ୍ତି ଗୋଷ୍ଠୀର ମା’ମାନେ ୨୯୬ କୋଟି ଟଙ୍କାର ରୋଜଗାର ପାଇଛନ୍ତି । ବୈଠକରେ ସବୁ ବିଭାଗମାନେ ଆଗାମୀ ୩ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବ୍ୟାଙ୍କ ସୁବିଧା ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ମିଶନ ଶକ୍ତିର ମା’ମାନଙ୍କୁ ବ୍ୟାଙ୍କ କରେସ୍ପଣ୍ଟେଣ୍ଟ ଭାବେ ନିଯୁକ୍ତି ଦେବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏକ ଗେମ୍ ଚେଞ୍ଜର ଭାବେ ବର୍ଣ୍ଣନା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ୬୭୯୮ଟି ଗ୍ରାମପଞ୍ଚାୟତରୁ ମାତ ୨୧୪୯ଟି ଗ୍ରାମରେ ବ୍ୟାଙ୍କ ଶାଖା ରହିଛି । ବାକି ୪୬୪୯ଟି ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ । ଏହିସବୁ ପଞ୍ଚାୟତରେ ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଣ୍ଟ ଭାବେ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୨୬୨ଟି ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ତାଙ୍କ ବିଜନେସ୍ରେ ସହାୟତା କରିବା ପାଇଁ ପ୍ରାରମ୍ଭିକ ଭାବେ ସରକାରଙ୍କ ପକ୍ଷରୁ ମାସକୁ ଦୁଇହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯାଉଛି ବୋଲି ମିଶନ ଶକ୍ତି ସଚିବ ସୂଚନା ଦେଇଥିଲେ ।

ଟେକ୍ ହୋମ୍ ରାସନ, ଆହାର, ମାଛଚାଷ ଓ କୃଷି ଉତ୍ପାଦକ ଗୋଷ୍ଠୀ ଆଦି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା’ମାନେ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ଜଣାଯାଇଛି । କୃଷି, ଶକ୍ତି, ମତ୍ସ୍ୟ ଓ ପଶୁସମ୍ପଦ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆଦି ବିଭାଗର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଏହାକୁ ଆହୁରି ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ । ନଗର ଉନ୍ନୟନ ବିଭାଗ ଦ୍ୱାରା ମୁକ୍ତା ଯୋଜନା ଆନ୍ତର୍ଜାତିକ ସ୍ତରରେ ପଞ୍ଚମ ଇଣ୍ଟରନ୍ୟାସନାଲ ଗୁଆଙ୍ଗଝଉ ଆୱାର୍ଡ ପାଇଥିବା ବେଳେ ମିଶନ ଶକ୍ତି ଗୋଷ୍ଠୀର ସମଲିଙ୍ଗୀମାନଙ୍କୁ କାମ ଯୋଗାଇ ଦେବା କାର୍ଯ୍ୟକ୍ରମ ପାଇଁ ଫିକି ନ୍ୟାସନାଲ ଆୱାର୍ଡ ମିଳିଛି ବୋଲି ସୂଚନା ଦିଆଯାଇଥିଲା । ଯେଉଁ ବିଭାଗମାନେ ଏପର୍ଯ୍ୟନ୍ତ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିନାହାନ୍ତି, ସେମାନଙ୍କ ପାଇଁ ଖୁବ୍ଶୀଘ୍ର ଆଉ ଏକ ସମୀକ୍ଷା ବୈଠକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଚିହ୍ନଟ କରାଯାଇ ମା’ମାନଙ୍କୁ କାମ ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା । ସୂଚନାଯେଗ୍ୟା , ୨୦୧୯ ମଇ ୨୦ରେ ପ୍ରଥମ କ୍ୟାବିନେଟ୍ ବୈଠକରେ ମିଶନ ଶକ୍ତିର ମା’ମାନଙ୍କୁ ୫ବର୍ଷରେ ୫ହଜାର କୋଟି ଟଙ୍କାର କାମ ଯୋଗାଇ ଦେବା ପାଇଁ ନିଷତ୍ତି କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ବୈଠକ ପରିଚାଳନା କରିଥିବା ବେଳେ ଉନ୍ନୟନ କମିଶନର ପି.କେ.ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Comments are closed.