ଅଫ୍ଲାଇନ୍ ଓ ଅନ୍ଲାଇନ୍ ରେ ଭୋଟର ତାଲିକା ସଂଶୋଧନ : ୨୧ରେ ସ୍ପେଶାଲ ଡ୍ରାଇଭ୍

0 67

ଭୁବନେଶ୍ୱର : ନୂଆ ଭୋଟର ତାଲିକା ଓ ସଂଶୋଧନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲୁଛି । ସମସ୍ତେ ନିଜ ନିଜର ନାଁ ଓ ଏପିକି ଆଇଡି ଚେକ୍ କରିପାରିବେ । ଏଥିପାଇଁ ୨୧ ତାରିଖରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ ଏବଂ ସେଠାରେ ବି ସଂଶୋଧନ କରିପାରିବେ । ତେବେ ନାମ ଯୋଡିବା ପାଇଁ ଫର୍ମ ୬, ନାମ କାଟିବା ପାଇଁ ଫର୍ମ ୭ ବ୍ୟବହାର କରିପାରିବେ । ସେହିଭଳି ନାମ ସଂଶୋଧନ ପାଇଁ ଫର୍ମ ୮ ଏବଂ ସ୍ଥାନାନ୍ତର ହୋଇଥିଲେ ଫର୍ମ ୮-ଏ ବ୍ୟବହାର କରିବେ । ବିଏଲଓଙ୍କ ନିକଟକୁ ଯାଇ ମଧ୍ୟ ସଂଶୋଧନ କରିପାରିବେ । ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧମରେ ସଂଶୋଧନ କରିପାରିବେ । ଭୋଟର ହେଲ୍ପଲାଇନକୁ ଯାଇ ଏହି ସଂଶୋଧନ କରିପାରିବେ । ସେ ଆହୁରି କହିଛନ୍ତି ଯେ, ଏପିକି ନମ୍ବର ସ୍ପୀଡ଼ପୋଷ୍ଟରେ ଯିବ । ତେଣୁ ସଠିକ ଠିକଣା ଦିଅନ୍ତୁ । କୋଭିଡ୍ କାରଣରୁ ଅନ୍ଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି । ସେ ମଧ୍ୟରୁ ୮୦ ପ୍ରତିଶତ ଅନ୍ଲାଇନ୍ ମାଧ୍ୟମରେ ପାଇଛୁ । ଗତବର୍ଷ ଏହା ୮ ପ୍ରତିଶତ ରହିଥିଲା । ୧ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଡ଼ବଲ ଆଇଡି ଡ଼ିଲିଟ୍ କରିଛୁ । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡ଼ିଲିଟ୍ କରାଯିବ ।

ବଦଳିବନି ବିଏମ୍ସି ୱାର୍ଡ ସଂଖ୍ୟା :

ଯାହା ଆଶା କରାଯାଉଥିଲା, ତାର ବିପରୀତ ହେବାକୁ ଯାଉଛି । ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ (ବିଏମ୍ସି) ଅଧୀନରେ ୱାର୍ଡ ସଂଖ୍ୟା ବୃଦ୍ଧି ହେବ ନାହିଁ । ବିଏମ୍ସି ୬୭ଟି ୱାର୍ଡର ଏକ ତାଲିକା ଦାଖଲ କରିଛି ଯାହାକୁ ନେଇ ମତଦାନ ହେବ । ସରକାରୀ ସୂତ୍ରରୁ ପ୍ରକାଶ ଯେ, ୨୦୧୧ ଜନଗଣନା ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଯଦିଓ ସହରର ପରିସୀମା ଭିତରେ ଥିବା ୬ଟି ପଞ୍ଚାୟତକୁ ବିଏମ୍ସି ସୀମା ଅଧୀନକୁ ଅଣାଯାଇଛି, ପୂର୍ବ ନିର୍ବାଚନ ଭଳି ୱାର୍ଡ ସଂଖ୍ୟା ଅପରିବର୍ତ୍ତିତ ରହିଛି । ନିକଟରେ ବିଏମ୍ସି ଅଧୀନକୁ ଆସିଥିବା ପଞ୍ଚାୟତଗୁଡ଼ିକ ହେଉଛି କଳାରାହାଙ୍ଗ, ସୁବୁଦ୍ଧିପୁର, ପାତ୍ରପଡା, ଶଙ୍କରପୁର, ଭଗବାନପୁର ଏବଂ ପାଇକରାୟପୁର । ବିଏମ୍ସି ସହିତ ଅନ୍ତର୍ଭୁକ୍ତ ହେବା ପରେ ଏହି ପଞ୍ଚାୟତର ଭୋଟରମାନେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବରଂ ବିଏମ୍ସି ନିର୍ବାଚନ ବେଳେ ଭୋଟ ଦାନ କରିବେ । ବିଏମ୍ସି ନିର୍ବାଚନ ପାଇଁ ତିଆରି ହୋଇଥିବା ନୂଆ ତାଲିକା ଅନୁଯାୟୀ, ୬ଟି ୱାର୍ଡ ଅନୁସୂଚିତ ଜାତି (ଏସ୍ସି) ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଅନୁସୂଚିତ ଜନଜାତି (ଏସ୍ଟି) ପାଇଁ ୩, ଓବିସି ପାଇଁ ୧୮ଟି ଏବଂ ମହିଳାଙ୍କ ପାଇଁ ୨୦ଟି ୱାର୍ଡ ସଂରକ୍ଷିତ ରହିଛି । ଅବଶିଷ୍ଟ କୋଡିଏଟି ୱାର୍ଡକୁ ଅଣସଂରକ୍ଷିତ ରଖାଯାଇଛି ।

Leave A Reply

Your email address will not be published.