କାର୍ତିକ ପୂର୍ଣ୍ଣମୀରେ ପତିତପାବନଙ୍କୁ ଦର୍ଶନ କରି ଫେରିଲେ ଶ୍ରଦ୍ଧାଳୁ

71

ପୁରୀ : ଭକ୍ତ ଭାବର ଠାକୁର ଭାବ ବିନୋଦିଆ କାଳିଆ ଠାକୁରଙ୍କ ଲୀଳା ଅମାପ । କେତେବେଳେ କେଉଁ ରୂପରେ ପ୍ରଭୁ ଭକ୍ତକୁ ସନ୍ତୁଷ୍ଟ କରିଥାନ୍ତି ତାହା ଜାଣିବା କଷ୍ଟକର । ଆଜି ପବିତ୍ର କାର୍ତିକ ପୂର୍ଣ୍ଣମୀରେ ହଜାର ହଜାର ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥିବା ବେଳେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ଥିବାରୁ ଭକ୍ତ ପତିତପାବନ ବାନା ଓ ନୀଳଚକ୍ରଙ୍କୁ ଦର୍ଶନ କରି ଫେରି ଯାଉଥିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ମାର୍କଣ୍ଡେୟ ପୁଷ୍କରିଣୀ ଓ ସମୁଦ୍ର କୂଳରେ ପୁଲିସ ଜଗିଥିବାରୁ ଡଙ୍ଗା ଭସାକାର୍ଯ୍ୟ ହୋଇପାରିନଥିଲା । ଆକା-ମା-ବଇର ଶଦ୍ଦ ଶୁଭିନଥିଲା । ସେହିପରି ଆଜିର ଦିନରେ ତୀର୍ଥରାଜ ମହୋଦଧି ସମୁଦ୍ରକୂଳରେ ହଜାର ହଜାର ଭକ୍ତ ଡଙ୍ଗା ଭସାଇ ସମୁଦ୍ରରେ ସ୍ନାନକରି ମହାପୁଣ୍ୟ ଅର୍ଜନ କରିଥାନ୍ତି । ଯେଉଁ ସମୁଦ୍ରକୂଳରେ କାର୍ତିକ ପୂର୍ଣ୍ଣମୀରେ ଲୋକଙ୍କ ନାହିଁ ନଥିବା ଭିଡ଼ ଲାଗି ରହିଥାଏ, ପ୍ରଶାସନର କରୋନା କଟକଣା ପାଇଁ ଆଜିର ଦିନରେ ସେଠାରେ ସେତେଟା ଜନଗହଳି ନଥିଲା । ପୁଲିସ ଓ ଲାଇଫଗାର୍ଡମାନେ ଗତ ରାତିରୁ ଏସବୁ ସ୍ଥାନରେ ପଇଁତରା ମାରୁଥିବାରୁ ଡଙ୍ଗା ଭସାଇ ପାରିନଥିଲେ ଭକ୍ତ ।

Comments are closed.