ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ୍: ଭାସିଲା ତିରୁପତି

65

ନୂଆଦିଲ୍ଲୀ : ତିରୁପତିରେ ପ୍ରକୃତିର ତାଣ୍ଡବ । ମୂଷଳଧାରାରେ ବର୍ଷା ପରେ ପାହାଡରୁ ମାଡ଼ିଆସିଲା ପାଣି । ପ୍ରବଳ ଜଳସ୍ରୋତରେ ଭାସିଲା ଗାଡିମୋଟର । ଏପରିକି ରାସ୍ତା ଉପରେ ୭ରୁ ୮ଫୁଟ୍ର ପାଣି ଜମି ରହିଲା । ମୂଷଳଧାରା ବର୍ଷାରେ ଆନ୍ଧ୍ରପ୍ରଦେଶର ତିରୁପତିରେ ଭୟଙ୍କର ବର୍ଷା ବିତ୍ପାତ୍ ଦେଖିବାକୁ ମିଳିଥିଲା । ପାହାଡ ଧସିବା ସହିତ ପାଣି ମାଡ଼ି ଆସିବାରୁ ଜନଜୀବନ ପ୍ରଭାବିତ ହୋଇଥିଲା । ଏପରିକି ବାଲାଜୀଙ୍କ ମନ୍ଦିରରେ ମଧ୍ୟ ଫସିରହିଥିଲେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ । ଅଞ୍ଜନେଇ ମନ୍ଦିରରେ ପାଣି ପଶିବାରୁ ଭଗବାନଙ୍କ ମୂର୍ତ୍ତି ବୁଡି ରହିଥିଲା । ତିରୁପତି ସହରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଳବନ୍ଦୀ ଯୋଗୁ କିଛି ସ୍ଥାନରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଦଉଡି ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପାହାଡ ଉପରେ ପ୍ରବଳ ବର୍ଷା ଯୋଗୁ ଜୀବଜନ୍ତୁ ମଧ୍ୟ ଜୀବନ ବିକଳରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ଉତ୍ତର ଉପକୂଳ ତାମିଲନାଡୁ ଉପରେ ସକ୍ରିୟ ଅବପାତ ପ୍ରଭାବରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଛି । ଅବପାତ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହୋଇ ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଆଗାମୀ ୨୪ ଘଣ୍ଟାରେ ଏହା କ୍ରମଶଃ ଦୁର୍ବଳ ହୋଇପଡିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛନ୍ତି । ଲଘୁଚାପ ପ୍ରଭାବରେ ଶୁକ୍ରବାର ରୟାଲସୀମା, ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରିଣ କର୍ଣ୍ଣାଟକ ଉପକୂଳ, ଉତ୍ତର ଆଭ୍ୟନ୍ତରିଣ ତାମିଲନାଡୁ, ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଦିର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ଆଇଏମ୍ଡି ଆକଳନ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନ ସାଢେ ୮ଟା ସୁଦ୍ଧା ଶେଷ ହୋଇଥିବା ୨୪ ଘଣ୍ଟାରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ରୟାଲସୀମାର ନାମ୍ବିଲୀପୁଲିକଣ୍ଟାରେ ସର୍ବାଧିକ ୨୪ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି।

ସେହିପରି ପୁଡୁଚେରୀରେ ୧୯, ଧରମପୁରୀରେ ୧୮, ଉପକୂଳ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା କାଣ୍ଡୁକୁରରେ ୧୧, ନେଲୋର ଭେଙ୍କଟଗିରିରେ ୧୦ ଓ ପୂର୍ବଗୋଦାବରୀ ଅମଲାପୁରମରେ ସର୍ବାଧିକ ୯ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ପୂର୍ବ କେନ୍ଦ୍ରୀୟ ଆରବସାଗରରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହୋଇଥିବା ଆଇଏମ୍ଡି ସୂଚିତ କରିଛନ୍ତି । ଆଗାମୀ ୨୪ ଘଣ୍ଟାରେ ଏହା ସେହି କ୍ଷେତ୍ରରେ ଅଧିକ ଘନିଭୂତ ହୋଇ ଅବପାତର ରୂପ ନେବ । ଏହି ଲଘୁଚାପ ପ୍ରଭାବରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଶୁକ୍ର ଓ ଶନିବାର ଦୁଇ ଦିନ ଅଶାନ୍ତ ରହିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଧରିବାକୁ ଥିବାବେଳେ ଝଟକା ପ୍ରତି କିଲୋମିଟର ୬୦ କିଲୋମିଟର ରହିପାରେ ବୋଲି ଆଇଏମ୍ଡି ଆକଳନ କରିଛନ୍ତି । ଏଣୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରିଛନ୍ତି ଆଇଏମ୍ଡି । ଏପରିକି ତିରୁପତିରେ ବର୍ଷା ଜଳରେ ଗୋଟିଏ ସ୍କୁଲ ବସ୍ ଡ୍ରେନ୍ ମଧ୍ୟକୁ ଖସିଯାଇଥିଲା । ଏଥିରେ ୪୦ ଛାତ୍ରଛାତ୍ରୀ ଥିଲେ । ମାତ୍ର ସେମାନଙ୍କୁ ସୁରକ୍ଷିତ ଭାବେ ଏନ୍ଡିଆରଏଫ୍ ଟିମ୍ ।

Comments are closed.