ବାୟୁ ପ୍ରଦୂଷଣ: ଦିଲ୍ଲୀମୁହାଁ ଭୁବନେଶ୍ୱର ସ୍ଥିତି !

74

ଭୁବନେଶ୍ୱର : ବିପଦ ବଳୟରେ ସ୍ମାର୍ଟ ସିଟି ଭୁବନେଶ୍ୱର । ବଢିବାରେ ଲାଗିଛି ଭୁବନେଶ୍ୱରର ବାୟୁ ପ୍ରଦୂଷଣ । ରାଜଧାନୀ ଭୁବନେଶ୍ୱରରେ ଗଡୁଥିବା ଲକ୍ଷାଧିକ ଗାଡି ଏବେ ପରିବେଶ ପାଇଁ ଚିନ୍ତା ବଢାଇଛି । ଯାହାଫଳରେ ଭୁବନେଶ୍ୱର ଏବେ ଦିଲ୍ଲୀମୁହାଁ ହେଉଥିବା ଆକଳନ କଲେଣି ପରିବେଶବିତ୍ । ଚାକଚକ୍ୟ ଭରା ରାଜଧାନୀ ଭୁବନେଶ୍ୱର ଏବେ ପ୍ରଦୂଷଣ ଘେରରେ । ବାୟୁ ପ୍ରଦୂଷଣର ଚାଦର ତଳେ ଢାଙ୍କି ହୋଇ ଚାଲିଛି ସ୍ମାର୍ଟ ସିଟି ଭୁବନେଶ୍ୱର । ଦିନ ୧୨ଟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଧୂଆଁମୟ ଆକାଶ ହିଁ ବୁଝାଇ ଦେଉଛି କିଭଳି ଆମ ରାଜଧାନୀକୁ ଘେରି ରହିଛି ଧୂଆଁର ବଳୟ । ଭୁବନେଶ୍ୱରରେ ଗଡୁଥିବା ହଜାର ହଜାର ଗାଡି ପାଇଁ ଏଭଳି ପରିସ୍ଥିତି ହେଉଥିବା ଆକଳନ କରୁଛନ୍ତି ବିଶେଷଜ୍ଞ ।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଧିକ ଗାଡି ଗଡୁଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ହାର ବୃଦ୍ଧି ପାଇଥିବା ବିଶେଷଜ୍ଞ କହିଛନ୍ତି । ଦିନକୁ ଦିନ ଭୁବନେଶ୍ୱରର ଜନସଂଖ୍ୟା ବଢିବାରେ ଲାଗିଛି । କିଏ ପାଠ ପଢିବାକୁ ଆସୁଛି ତ କିଏ ଚାକିରି ସନ୍ଧାନରେ । ସେହି ପରିମାଣରେ କୋଠାବାଡି ସଂଖ୍ୟା ବି ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଗଢି ଉଠୁଛି ବଡ ବଡ ଅଟ୍ଟାଳିକା । ଭୁବନେଶ୍ୱରର ବାୟୁ ପ୍ରଦୂଷଣ ବଢିବା ପାଇଁ କୋଠାବାଡି ନିର୍ମାଣ ବି ଏକ ବଡ କାରଣ ବୋଲି ପରିବେଶବିତ୍ କହିଛନ୍ତି । ଗତ କିଛି ଦିନ ହେବ ଭୁବନେଶ୍ୱର ଏକ୍ୟୁଆଇ ମାନ ୧୦୦ ତଳକୁ ଖସୁନାହିଁ । ପରିବେଶବିତ୍ଙ୍କ କହିବା କଥା ଏବେଠାରୁ ସଜାଗ ନହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ।

Comments are closed.